୧୨ ଘଣ୍ଟିଆ ମାଲକାନଗିରି ବନ୍ଦରେ ଜୀବନଯାତ୍ରା ଠପ୍: ସୀମାନ୍ତ ମୋଟୁରେ ଶତାଧିକ ଟ୍ରକ ଅଟକି ରହିଲା, ଚାରି ରାଜ୍ୟ ସହ ଯୋଗାଯୋଗ ପୂରାପୂରି ବିଛିନ୍ନ l
ମାଲକାନଗିରି: ଜିଲ୍ଲା କଂଗ୍ରେସ ପକ୍ଷରୁ ଚାରି ଦଫା ଦାବିକୁ ନେଇ ଆଜି ଆହ୍ୱାନ କରାଯାଇଥିବା ୧୨ ଘଣ୍ଟିଆ ମାଲକାନଗିରି ବନ୍ଦର ପ୍ରଭାବ ସମଗ୍ର ଜିଲ୍ଲାରେ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି। ବିଶେଷ କରି ସୀମାନ୍ତ ଅଞ୍ଚଳ ମୋଟୁରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିବା ବେଳେ ଜାତୀୟ ରାଜପଥ ଉପରେ ଶତାଧିକ ଟ୍ରକ ଅଟକି ରହିଥିବାରୁ ଯାତାୟାତ ବ୍ୟବସ୍ଥା ପୂରାପୂରି ବିଛିନ୍ନ ହୋଇଛି।
ଏହି ବନ୍ଦ ପରିପ୍ରେକ୍ଷୀରେ ମୋଟୁ ଅଞ୍ଚଳରେ କଂଗ୍ରେସ କର୍ମୀମାନେ ମୁଖ୍ୟ ଛକଠାରେ ବ୍ୟାରିକେଡ ସ୍ଥାପନ କରି ରାସ୍ତା ଅବରୋଧ କରିଥିବା ସହ ଦୋକାନ ବଜାର ବନ୍ଦ କରାଇଥିବା ଦେଖାଯାଇଛି। ଫଳସ୍ୱରୂପ, କାଲେରୁ ଠାରୁ ମୋଟୁ ପର୍ଯ୍ୟନ୍ତ ଶତାଧିକ ଟ୍ରକ ଦେଖିବାକୁ ମିଳିଥିବାରୁ ସାଧାରଣ ଯାତାୟାତ ପ୍ରଣାଳୀ ଠପ୍ ପଡ଼ିଥିଲା।
ଏହି ବନ୍ଦର ପ୍ରଭାବରେ ଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାଙ୍କ ସହ ଯୋଗାଯୋଗ ସ୍ଥାୟୀ ଭାବେ ବିଛିନ୍ନ ହୋଇଥିବାରୁ ବାଣିଜ୍ୟିକ ଓ ଦୈନନ୍ଦିନ ଚଳଚଳାହଟ ଉପରେ ମଧ୍ୟ ପ୍ରଭାବ ପଡ଼ିଛି।
ବନ୍ଦର ମୂଳ ଦାବିଗୁଡ଼ିକ ମଧ୍ୟରେ ମଣ୍ଡିରୁ ଧାନ ଉଠାଣ ବ୍ୟବସ୍ଥା ସୁନିଶ୍ଚିତ କରିବା, ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ପାଇଁ କୃଷକମାନଙ୍କୁ ଯଥାଯୋଗ୍ୟ କ୍ଷତିପୂରଣ ପ୍ରଦାନ, ଜିଲ୍ଲାରେ ପର୍ଯ୍ୟାପ୍ତ ପେଟ୍ରୋଲ ଓ ଗ୍ୟାସ ସିଲିଣ୍ଡର ଯୋଗାଣ ନିଶ୍ଚିତ କରିବା ସହିତ ଖାଲି ବସ୍ତା ବାବଦରେ ଚାଷୀଙ୍କୁ ଗତ ୩ ବର୍ଷର ବକେୟା ଅର୍ଥ ପ୍ରଦାନ ଆଦି ମୁଖ୍ୟ ଅଟେ।
ଜିଲ୍ଲା କଂଗ୍ରେସ ସଭାପତିଙ୍କ ଆହ୍ୱାନକ୍ରମେ ମୋଟୁ ଅଞ୍ଚଳରେ ଜିଲ୍ଲା ଯୁବ ଉପସଭାପତି ଆରସନ୍ଦ ଖାନ, ଭିମା ମାଡକାମୀ, ଆପାରାଓ ତେଲାମ, ଜଗା ମାଡକାମୀ, ତାମାୟା ଉଇକା, ରାଜା ଡାରି, କୋଷା କାହ୍ନ ସମେତ ଅନ୍ୟାନ୍ୟ କର୍ମୀମାନେ ବନ୍ଦକୁ ସଫଳ କରିବାରେ ସକ୍ରିୟ ଭୂମିକା ନେଇଥିଲେ।
ସେହିପରି, କାଲିମେଳା ବ୍ଲକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ବ୍ଲକ କଂଗ୍ରେସ ସଭାପତି ଅଶୋକ ମଣ୍ଡଳଙ୍କ ନେତୃତ୍ୱରେ ବରିଷ୍ଠ ନେତା ମାଲା ମାଢ଼ି, ଲ୍ୟାମ୍ପ ସଭାପତି ବୁଦ୍ରା କବାସି ଓ ଅନ୍ୟାନ୍ୟ କର୍ମୀମାନେ ମୁଖ୍ୟ ଛକଠାରେ ରାସ୍ତା ଅବରୋଧ କରି ବଜାର ବନ୍ଦ କରାଇଥିଲେ।
ସୁରକ୍ଷା ଦୃଷ୍ଟିରୁ ପୁଲିସ ବ୍ୟବସ୍ଥା କଡାକଡି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ପୁଲିସ କର୍ମୀମାନେ ମୁତୟନ ହୋଇଥିବା ଦେଖିବାକୁ ମିଳିଛି। ସମଗ୍ର ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିବା ସତ୍ତ୍ୱେ ଯାତାୟାତ ଓ ବାଣିଜ୍ୟିକ କାର୍ଯ୍ୟକଳାପ ଉପରେ ବନ୍ଦର ପ୍ରଭାବ ଲକ୍ଷଣୀୟ ରହିଛି।