ଘୂର୍ଣ୍ଣିଝଡ଼ରେ ଗୁରୁତର ଛାତ୍ରୀଙ୍କ ମୃତ୍ୟୁ
କେନ୍ଦୁଝର: କରଞ୍ଜିଆ ବ୍ଲକ୍ରେ ଗତମାର୍ଚ୍ଚ ୧୫ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ଼ରେ ଗୁରୁତର ହୋଇଥିବା କେନ୍ଦୁଝର ଜିଲ୍ଲାର ଜଣେ କଲେଜ ଛାତ୍ରୀ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗୁଣ୍ଡୁରିପୋଷି ଗାଁର ମୋନାଲିସା ମହାରଣା (୧୭) ଏବଂ ସେ ପାଞ୍ଚପିଢ଼ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀ ଥିଲେ। ମୋନାଲିସାଙ୍କୁ ମିଶାଇ ମୃତ୍ୟୁ ସଙ୍ଖ୍ୟା ୩ ରେ ପହଁଚିଛି।
ସୂଚନା ଅନୁଯାୟୀ, ମୋନାଲିସା ଘଟଣା ଦିନ ତାଟୋରୁ କରଞ୍ଜିଆ ଅଭିମୁଖେ ଅଟୋରିକ୍ସା ଯୋଗେ ଆସୁଥିଲେ । ଅଟୋଟି ଘୂର୍ଣିଝଡ଼ରେ ଉଡ଼ିଯାଇ ନିକଟସ୍ଥ ଏକ ପୋଖରୀରେ ପଡ଼ିଥିଲା l ମୋନାଲିସାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ କରଞ୍ଜିଆ ପରେ କେନ୍ଦୁଝର ମେଡିକାଲ୍ କଲେଜ ଏବଂ ସେଠାରୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରା ଯାଇଥିଲା । ସେଠାରେ ମୃତ୍ୟୁ ସହିତ ସଂଗ୍ରାମ କରି ଗତ ସୋମବାର ବିଳମ୍ବିତ ରାତ୍ରୀରେ ମୃତ୍ୟୁ ହୋଇଥିଲା।
ଗତ ମଙ୍ଗଳବାର ଦିନ ତାଙ୍କର ମରଶରୀର ଗାଁ'ରେ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ମରଶରୀର ପାଞ୍ଚପିଢ଼ ମହିଳା ମହାବିଦ୍ୟାଳୟକୁ ନିଆ ଯାଇଥିଲା। ସେଠାରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଜ୍ଞାଞ୍ଜଳି ସଭାରେ ମୃତ ଛାତ୍ରୀଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ବିଦ୍ୟାଳୟର ଅଧ୍ୟାପକ ମାନସ ବେହେରାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, ଘଟଣା ଦିନ କରଞ୍ଜିଆ ସମେତ ପାଖାପାଖି ଅଞ୍ଚଳରେ ଝଡ଼ତୋଫାନରେ ପ୍ରବଳ କ୍ଷୟ କ୍ଷୟକ୍ଷତି ଘଟିଥିଲା। ୩୦୦ ଘର ନଷ୍ଟ ହୋଇଥିବାବେଳେ ୨୯ ଜଣ ଆହତ ଏବଂ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ୯ଜଣ ଗୁରୁତରଙ୍କୁ କେନ୍ଦୁଝର ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ଜଣ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଥିଲା ।