ବିଶ୍ୱ ଜଳ ଦିବସରେ ଶୁଭାରମ୍ଭ ହେଲା ବରଗଡ଼ ପୌର ପରିଷଦର ସମୂହ ସଫେଇ ଅଭିଯାନ "ସମର୍ପଣ"
ବରଗଡ଼, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଅଭିବୃଦ୍ଧି ସହ ଦୈନନ୍ଦିନ ଚାହିଦା ବୃଦ୍ଧି, ସହରର ସ୍ୱଚ୍ଛତା ପରିଚାଳନା ବ୍ୟବସ୍ଥା ଉପରେ ଅଧିକ ଚାପ ସୃଷ୍ଟି କରିବା ସହ ପରିବେଶ ପ୍ରଦୂଷଣ ଏକ ଚିନ୍ତାର କାରଣ ହୋଇଯାଇଛି । ଏଭଳି ପରିସ୍ଥିତିରେ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ସହିତ ସାଧାରଣ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ ।
ଭାରତ ସରକାରଙ୍କ ସ୍ଵଚ୍ଛ ସର୍ବେକ୍ଷଣ ଅଭିଯାନର ୧୦ମ ସଂସ୍କରଣ ଅବସରରେ ବରଗଡ଼ ପୌରପରିଷଦ ପକ୍ଷରୁ “ସମର୍ପଣ” ନାମକ ଏକ ବିଶେଷ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଛି, ଯାହାର ଅର୍ଥ ହେଉଛି ନିଷ୍ଠା ଏବଂ ଉତ୍ସର୍ଗୀକୃତ ଭାବନା ସହିତ ସହରକୁ ସ୍ୱଚ୍ଛ ରଖିବା ଏବଂ ସୁସ୍ଥ ପରିବେଶର ସଂରକ୍ଷଣ କରିବା।
ଏହି ପରିପ୍ରେକ୍ଷୀରେ ଆଜି ବିଶ୍ୱ ଜଳ ଦିବସ ୨୦୨୬ ଅବସରରେ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ଏକ ସାମୁହିକ ସଫେଇ ତଥା ସଚେତନତା ରାଲି ଆୟୋଜନ ସହ ଏହି ଅଭିଯାନକୁ ଶୁଭାରମ୍ଭ କରାଯାଇଛି। ବରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମିନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା ଏବଂ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଉପସ୍ଥିତ ରହି ବରଗଡ଼ ସହରର ଐତିହ୍ୟ ତଥା ଆଧ୍ୟାତ୍ମିକ ମହତ୍ତ୍ୱରୁ ପ୍ରେରଣା ନେଇ ସମସ୍ତ ବରଗଡ଼ବାସୀ ତଥା ସ୍ଥାନୀୟ ଚାଷୀ, ବୁଣାକାର, କଳାକାର, ସମାଜସେବୀ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀ ଏହି ଅଭିଯାନରେ ସାମିଲ ହୋଇ ସହରକୁ ସ୍ୱଚ୍ଛ-ସୁନ୍ଦର କରିବା ପାଇଁ ସକ୍ରିୟ ଭାଗୀଦାରୀରେ ଏକ ଜନ ଆନ୍ଦୋଳନର ରୂପ ଦେବା ପାଇଁ ଆହ୍ଵାନ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଗୋୟଲ ସହରର ସମସ୍ତ ନାଗରିକ ତଥା ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ସମାଜ ସେବୀ ଏବଂ ସ୍ଥାନୀୟ ସଂଗଠନ ମାନଙ୍କୁ ଅଭିଯାନରେ ଅନ୍ତର୍ଭୁକ୍ତ କରି ନିଜ ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କ ମଧ୍ୟରେ ଦାୟିତ୍ୱବୋଧ ଉତ୍ପନ୍ନ କରିବା ସହ ଜନସହଭାଗିତା ଓ ସମୁହିକ ପ୍ରଚେଷ୍ଟାରେ ବରଗଡ଼ ସହରକୁ ଏକ ଆଦର୍ଶ ସ୍ୱଚ୍ଛ ସହରରେ ପରିଣତ କରିବା। ବର୍ଜ୍ୟବସ୍ତୁର ବିଭାଜନ, ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ ଓ ସହରର ସ୍ୱଚ୍ଛତା ପ୍ରତି ଦୈନନ୍ଦିନ ଅଭ୍ୟାସ ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ଆବର୍ଜନାର ସଂଗ୍ରହ, ବିଭାଜନ, ପୁନଃବ୍ୟବହାର ଓ ବୈଜ୍ଞାନିକ ପ୍ରକ୍ରିୟାରେ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ହେଉଛି ଏହି ସମୂହ ସଫେଇ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବଲି କହିଥିଲେ। ଏହି ଅବସରରେ ସମର୍ପଣ ଅଭିଯାନକୁ ପ୍ରତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମଳ ଓ ସୁଗନ୍ଧା ନାମକ ଦୁଇଟି ସ୍ୱତନ୍ତ୍ର ମାସ୍କଟ ଏବଂ ସମ୍ବଲପୁରୀ ବାସ୍ତ୍ରାଳୟ ତରଫରୁ ସ୍ଥାନୀୟ ବୁଣାକାର ମାନଙ୍କ ଦ୍ୱାରା ନିର୍ମିତ ସମର୍ପଣ କପଡା ବ୍ୟାଗକୁ ଲୋକାର୍ପଣ କରାଯାଇଥିଲା।
ସୂଚନା ଯୋଗ୍ୟକୀ ଏହି ଅଭିଯାନର ତିନିଟି ମୁଖ୍ୟ ସ୍ତମ୍ଭ ଗୁଡିକ ହେଲା ୧. ମାଟିର ସେବା: ସ୍ଥାନୀୟ ଲୋକଙ୍କ ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଭାବେ ଆବର୍ଜନାର ସୁପରିଚାଳନା କରି ବରଗଡ଼ ସହରକୁ ସ୍ୱଚ୍ଛ, ସୁନ୍ଦର ଓ ଉର୍ବର ରଖିବା ପାଇଁ ସମୁହିକ ପ୍ରତିବଦ୍ଧ ହେବା । ୨. ଶୁଦ୍ଧ ଜଳ:ସହରର ସମସ୍ତ ପୋଖରୀ ଏବଂ କେନାଲ ଭଳି ସମସ୍ତ ଜଳଧାରାମାନଙ୍କୁ ପ୍ଲାଷ୍ଟିକ-ଆବର୍ଜନା ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ନିୟମିତ ପରିଷ୍କାର ଓ ସୁରକ୍ଷା କରିବା । ୩. ସବୁଜ ବଜାର: ପ୍ରତ୍ୟେକ ଘର ଓ ଦୋକାନରେ ପ୍ଲାଷ୍ଟିକ ବ୍ୟାଗ ବା ପଲିଥିନ ବ୍ୟବହାର ପରିବର୍ତ୍ତେ ସ୍ଥାନୀୟ କପଡ଼ା/ହାଣ୍ଡଲୁମ୍ ବ୍ୟାଗ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବା, ଯଦ୍ଵାରା ପରିବେଶ ସଂରକ୍ଷଣ ହେବା ସଙ୍ଗେ ସଙ୍ଗେ ସ୍ଥାନୀୟ ବୁଣାକାର ମାନଙ୍କର ଜୀବିକା ପ୍ରତ୍ସାହିତ ହେବ ।
“ସମର୍ପଣ” ସ୍ଵଚ୍ଛତା ଅଭିଯାନର ସଫଳ କାର୍ଯ୍ୟନ୍ୱୟନ ପାଇଁ ବିଭିନ୍ନ ପ୍ରକାର ଅଭିନବ ପ୍ରଚେଷ୍ଟା କରାଯିବ କାର୍ଯ୍ୟକାରୀ ପଦକ୍ଷେପ କରାଯିବ, ସେଗୁଡିକ ହେଲା ସମର୍ପଣ ଶ୍ରମଦାନ: ସହରର ନାଗରିକମାନେ ନିଜ ସୁବିଧା ମୁତାବକ ନିଜର ଚତୁପାର୍ଶ୍ଵକୁ ସଫା କରିବା ପାଇଁ ଅନ୍ୟୁନ ଦୁଇ ଘଣ୍ଟା ସମୟ ଦେବେ କିମ୍ବା ପ୍ରଶାସନ ଦ୍ଵାରା ଆୟୋଜିତ ହେଉଥିବା ସାମୁହିକ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ସହରର ସ୍ଵଚ୍ଛତା ପାଇଁ ନିଜର ଶ୍ରମଦାନ କରିବେ । ସମର୍ପଣ “ଗ୍ରୀନ ୱିଭ୍ସ” : ସମ୍ବଲପୁରୀ ହାଣ୍ଡଲୁମର କେନ୍ଦ୍ର ଭାବେ ପରିଚିତ ବରଗଡ଼ ଜିଲ୍ଲାର ବୁଣକାର ମାନଙ୍କୁ ପ୍ରୋତ୍ସାହିତ କରିବା ସହ ଦୈନିକ ବଜାରରେ ପ୍ଲାଷ୍ଟିକ୍ ବ୍ୟବହାରକୁ କମାଇବା ପାଇଁ ସମସ୍ତେ “ସମର୍ପଣ ବ୍ୟାଗ୍” (ପୁନଃବ୍ୟବହାରଯୋଗ୍ୟ କପଡ଼ା ବ୍ୟାଗ୍) ବ୍ୟବହାର କରିବେ । ସମର୍ପଣ ସାରଥି: ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ “ସମର୍ପଣ ସାରଥି” ଭାବେ ନିଜ ଅଞ୍ଚଳ/ଗଳି ସଫାରଖିବା ପାଇଁ ନିଜ ପରିବାରର ସଦସ୍ୟ ଏବଂ ପଡୋଶିଙ୍କୁ ପ୍ରେରିତ କରିବା ପାଇଁ ନେତୃତ୍ୱ ନେବେ। ସମର୍ପଣ ସେବକ: ସ୍ଥାନୀୟ ଯୁବସମାଜ, ସ୍ୱେଚ୍ଛାସେବୀ ଓ ସମାଜସେବୀମାନଙ୍କୁ “ସମର୍ପଣ ସେବକ” ଭାବେ ଯୋଡି ସ୍ୱଚ୍ଛତା ଅଭିଯାନକୁ ଶକ୍ତିଶାଳୀ କରାଯିବ। ଡିଜିଟାଲ ସମର୍ପଣ – “ବରଗଡ଼ ସେବା ଚ୍ୟାଲେଞ୍ଜ” :ହ୍ଵାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଆଦି ସୋସିଆଲ ମିଡିଆ ମାଧ୍ୟମରେ ସ୍ଥାନୀୟ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର କିମ୍ବା ଜନସାଧାରଣ ଏହି ଅଭିଯାନ ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ନିଜ ପ୍ରୟାସରେ ଲୋକଙ୍କ ସାହାଯ୍ୟ ନେଇ ସହରର ଅସ୍ୱଚ୍ଛ ସ୍ଥାନକୁ ସଫା କରିବେ ଏବଂ ସେହି ଅସ୍ୱଚ୍ଛ ସ୍ଥାନର ପୂର୍ବ ଫଟୋ (Before Photo) ଏବଂ ପରିଷ୍କାର କରିବା ପରେ (After Photo) ପଠାଇବେ।
ଏହି ଅଭିଯାନରେ ଜଡ଼ିତ ସକ୍ରିୟ ଜନସାଧାରଣ ତଥା ସମର୍ପଣ ସାରଥି କିମ୍ବା ସମର୍ପଣ ସେବକ, ସବୁଠାରୁ ସ୍ୱଚ୍ଛ ଦୋକାନୀ, ପରିଷ୍କାର କର୍ମଚାରୀ, ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର କିମ୍ବା ସକ୍ରିୟ ଯୁବ ଗୋଷ୍ଠୀ ନିଜ ଚତୁପାର୍ଶ୍ଵ ସଫା ରଖିବା ସହ ରାସ୍ତାଘାଟରେ ଆବର୍ଜନା ସଫା କରିବା ସହ ଅନ୍ୟମାନଙ୍କୁ ପ୍ରେରିତ କରିବେ କିମ୍ବା ପ୍ଲାଷ୍ଟିକ ବ୍ୟାଗ୍ ପରିବର୍ତ୍ତେ କପଡ଼ା ବ୍ୟାଗ ବ୍ୟବହାର କରିବେ ସେମାନଙ୍କୁ “ସମର୍ପଣ ସେବୀ” ଭାବରେ ସମ୍ମାନିତ କରିବା ସହ ତାଙ୍କ ନାମରେ ସାର୍ବଜନିନ ସ୍ଥାନରେ ବୃକ୍ଷ ରୋପଣ କରାଯିବ ।