ଧୂମଧାମରେ ସମ୍ପନ୍ନ ହେଲା ଶ୍ରୀରାମଙ୍କ ବିବାହୋତ୍ସବ, ଦାମନଯୋଡି,କୋରାପୁଟ
ଦାମନଯୋଡ଼ି,୨୨/୦୩:ନାଲକୋ ଟାଉନସିପ ସେକ୍ଟର-୧ ସ୍ଥିତ ମାରୁତି ମଣ୍ଡପ ଠାରେ ୯ଦିନ ବ୍ୟାପି ଚାଲିଥିବା ଶ୍ରୀରାମନବମୀ ଉତ୍ସବର ଚତୁର୍ଥ ଦିବସରେ ରବିବାର ଶ୍ରୀରାମ ସୀତାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସକାଳେ ସୂର୍ଯ୍ୟ ପୂଜା,ଝଣ୍ଡା ପୂଜା,ଯଜ୍ଞ,ପାରାୟଣ ପାଠ ପରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଭଦ୍ରକରୁ ଆସିଥିବା ପୂଜକ ପଣ୍ଡିତ ବଳରାମ ଦାଶ ଓ ପୂଜକ ବିବେକାନନ୍ଦ ପଣ୍ଡା ପୂଜାକାର୍ଯ୍ୟ କରିଥିଲେ।ଶ୍ରୀରାମଙ୍କ ପିତା ଦଶରଥ ଓ ମାତା କୌଶଲ୍ୟାଙ୍କ ରୂପେ କେ.ଚଣ୍ଡିପ୍ରସାଦ ରାଓ ଓ ତାଙ୍କ ଧର୍ମପତ୍ନୀ କେ.ଭବାନୀ ଦାୟିତ୍ୱ ତୁଲାଇଥିବା ବେଳେ ସୀତାଙ୍କ ପିତା ଜନକ ମହାରାଜ ଓ ମାତା ସୁନୟନାଙ୍କ ରୂପେ ସରୋଜ କୁମାର ଦଳେଇ ଓ ପତ୍ନୀ ସରସ୍ଵତୀ ଦାୟିତ୍ୱ ତୁଲାଇଥିଲେ।ବାଜା ଓ ବାଣ ସହିତ ବିବାହ ଉତ୍ସବରେ ବରଣ,ଗନ୍ଧାଧିବାସ,ବହିଶାଲା ରୋପଣ,କୌତୁକ ସୂତ୍ର ବନ୍ଧନ,ସମୁଦି ମିଳନ ଆଦି କାର୍ଯ୍ୟକ୍ରମ ସହିତ ସମୂହ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା।ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ସ୍ମିତା ପଟ୍ଟନାୟକ,ସୁଗାତୋ ଆନନ୍ଦ ବାସୁ ଓ ତାଙ୍କ ଧର୍ମପତ୍ନୀ ଅମ୍ରିତା ବାସୁ, ଦିଲ୍ଲୀପ ବାଗ,ନଗେନ ବେହେରା,ଏମ.ଆର. ପଣ୍ଡା ଏବଂ ବରିଷ୍ଠ ଅଧିକାରୀ ଅରୁଣ କୁମାର ମହାନ୍ତି ପ୍ରମୁଖ ଉତ୍ସବ ପରିଦର୍ଶନ କରିଥିଲେ।ଶ୍ରୀରାମନବମୀ ପୂଜାକମିଟି ପକ୍ଷରୁ ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଅନାମ ଚରଣ ନାୟକ,କୋଷାଧ୍ୟକ୍ଷ ଲମ୍ବୋଦର ସ୍ୱାଇଁ ଓ ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ବେହେରାଙ୍କ ସହିତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ।