ଚମ୍ପୁଆ ବ୍ଲକ ଉନ୍ନୟନ କାର୍ଯ୍ୟରେ ହରିଲୁଟ : ନିମ୍ନମାନର ଗାଧୁଆ ତୁଠ କାର୍ଯ୍ୟକୁ ନେଇ ବଢୁଛି ଅସନ୍ତୋଷ
ଚମ୍ପୁଆ, ୨୨/୩ : ଚମ୍ପୁଆ ବ୍ଲକ ଉନ୍ନୟନ କାର୍ଯ୍ୟ ଗୁଡିକରେ ବିଭାଗ ପକ୍ଷରୁ ନିମ୍ନ ମାନର କାମ କରି ଅନୁଦାନ ଟଙ୍କାକୁ ହରିଲୁଟ କରାଯାଉଥିଲେ ମଧ୍ୟ ବ୍ଲକ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଗ୍ରାମାଞ୍ଚଳର ବିକାଶ ନିମନ୍ତେ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଚମ୍ପୁଆ ବ୍ଲକରେ ଅଧିକାରୀଙ୍କ ମନମାନି ଏବଂ ମାରଣନୀତି ଯୋଗୁଁ ତାର ବିପରୀତ ପ୍ରତି ଫଳନ ଦେଖିବାକୁ ମିଳୁଛି। ଫଳରେ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି। ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା, ଚମ୍ପୁଆ ବ୍ଳକ, କାଳିକାପ୍ରସାଦ ପଞ୍ଚାୟତରେ। ସୂଚନା ଅନୁଯାୟୀ, କାଳିକାପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମର ଡ଼ଙ୍ଗାକଟା ନାଳରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଆର୍ଥିକ ବର୍ଷ ୨୦୨୪ - ୨୫, ଅଟକଳ ମୂଲ୍ୟ ତିନି ଲକ୍ଷ ଟଙ୍କା ଅନୁଦାନରେ ଏକ ଗାଧୁଆ ତୁଠ ନିର୍ମାଣ କରା ଯାଇଅଛି। ଏହି ଗାଧୁଆ ତୁଠ ର କାର୍ଯ୍ୟନିର୍ବାହୀ ସଂସ୍ଥା ପଞ୍ଚାୟତ ସମିତି ଚମ୍ପୁଆ ରହିଥିବାବେଳେ ସୁଚନା ଫଳକରେ ଏହାର କାର୍ଯ୍ୟାରମ୍ଭ ତାରିଖ କିମ୍ବା କାର୍ଯ୍ୟର ଶେଷ ତାରିଖ ଲେଖା ଯାଇନାହିଁ ।
ତେବେ ଏହି ଗାଧୁଆ ତୁଠ ପ୍ରାୟ ପାଞ୍ଚ ରୁ ସାତ ଫୁଟ ଭିତରେ ନିର୍ମାଣ କରାଯାଇଥିବା ବେଳେ ଏହା ମାଟି ଭିତରୁ କୌଣସି ଫାଉଣ୍ଡେସନ ନ ପକାଇ କେବଳ ମାଟି ଉପରେ କଂକ୍ରିଟ ଢ଼ଳେଇ କରା ଯାଇଛି। ଏହା ଏକ ଜିଅନ୍ତା ନାଳ ହୋଇଥିବାରୁ ବର୍ଷା ଦିନେ ଗାଧୁଆ ତୁଠ ଢ଼ଳେଇ ତଳର ମାଟି ଧୋଇ ଯିବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ତୁଠ ଦୁଇ କଡରେ ନିର୍ମାଣ କରାଯାଇଥିବା ସୁରକ୍ଷା ପାଚେରୀ ମଧ୍ୟ ଅତି ନିମ୍ନ ମାନର ହୋଇଥିବାରୁ ଏହି ଗାଧୁଆ ତୁଠର ସ୍ଥାଇତ୍ୱକୁ ନେଇ ସନ୍ଦେହ ପ୍ରକଟ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଉକ୍ତ ସ୍ଥାନକୁ ଲୋକଙ୍କ ଚଳ ପ୍ରଚଳ କମ ରହୁଥିବାରୁ ବିଭାଗୀୟ ଅଧିକାରୀ ମାନେ ଯୋଜନାବଦ୍ଧ ଭାବେ ଅନୁଦାନ ଟଙ୍କାକୁ ହରିଲୁଟ କରିଛନ୍ତି। ଏଠାରେ ନିମ୍ନ ମାନର ଗାଧୁଆ ତୁଠ ନିର୍ମାଣ କରି ଯେନ ତେନ ପ୍ରକାରେ କାମ ସାରିଦେଇ ଅନୁଦାନ ଟଙ୍କାକୁ ଚଳୁ କରିଥିବାରୁ ଏହା ଉପରେ ଉଚ୍ଚକର୍ତୃପକ୍ଷ ଦୃଷ୍ଟି ଦେବା ସହିତ ଏହାର ବିଧିବଦ୍ଧ ତଦନ୍ତ ନିମନ୍ତେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବୀ ହେଉଛି।