ଡ଼ିମିରିପୋଷି ଆଶ୍ରମ ବିଦ୍ୟାଳୟର ୭୭ତମ ବାର୍ଷିକୋତ୍ସବ ପାଳିତ
ଦେବଗଡ଼, ତା ୨୦/୦୩/୨୦୨୬ ରିଖ :-ବାରକୋଟ ବ୍ଲକ ଅନ୍ତର୍ଗତ ଡ଼ିମିରିପୋଷି ଗ୍ରାମରେ ଅବସ୍ଥିତ ଡ଼ିମିରିପୋଷି ଆଶ୍ରମ ବିଦ୍ୟାଳୟର ୭୭ତମ ବାର୍ଷିକୋତ୍ସବ ଚୈତ୍ର ଶୁକ୍ଳ ଦ୍ୱିତୀୟା ତିଥିରେ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ପ୍ରକୃତିର ସବୁଜ ପରିବେଶ ମଧ୍ୟରେ ଆୟୋଜିତ ଏହି ଉତ୍ସବ ସଂସ୍କୃତି ଓ ପ୍ରକୃତିର ମଞ୍ଜୁଳ ସମନ୍ୱୟକୁ ପ୍ରକାଶ କରିଥିଲା।
ଏହି ଅବସରରେ ଦେବଗଡ଼ ଜିଲ୍ଲାର ଅତିରିକ୍ତ ଜନ କଲ୍ୟାଣ ଅଧିକାରୀ ଶ୍ରୀ ଡୋମନ ଏକ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ି ତୋଳିବାରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ।
ଶିକ୍ଷୟିତ୍ରୀ ମମତାରାଣୀ ବେହେରାଙ୍କ ଦ୍ୱାରା ସୁନ୍ଦର ଭାବରେ ସଂଚାଳିତ ଏହି କାର୍ଯ୍ୟକ୍ରମରେ ସି.ଆର.ସି.ସି ପ୍ରଦୀପ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଇ.ଏମ.ଆର.ଏସ.ର ଅଧ୍ୟାପକ ମନୋରଞ୍ଜନ ବାରିକ୍ ବରଣ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକୋତ୍ସବର ମହତ୍ତ୍ୱ ଉପରେ ମାର୍ମିକ ଅଭିଭାଷଣ ଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ଦେହୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଉତ୍ସବର ସଫଳ ଆୟୋଜନ ପାଇଁ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ବେହେରା, ସୁବାସ ବେହେରା, ଲକ୍ଷ୍ମୀକାନ୍ତ ସୁନା, ମମତା ରାଣୀ ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ମହତ୍ୱପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ଲକ୍ଷ୍ମୀକାନ୍ତ ସୁନା ଧନ୍ୟବାଦ ଜ୍ଞାପନ କରିଥିଲେ।
ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏହି ଉତ୍ସବକୁ ଆନନ୍ଦ ଓ ଉତ୍ସାହର ସହ ଉପଭୋଗ କରିଥିଲେ।