ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।
ଦେବଗଡ଼, ତା ୧୯/୦୩/୨୦୨୬ ରିଖ :-
ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକଙ୍କ ଆବାହନକ୍ରମେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ଶ୍ରୀ ସାହୁ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ମୁଦ୍ଦା ଉପରେ ବିଶେଷ ଆଲୋକପାତ କରିଥିଲେ। ସେ ଏନ୍ଏଚ୍-୪୯ ରେ ରାସ୍ତା ପାର୍ଶ୍ୱରେ ଥିବା ଜବରଦଖଲ ଦୋକାନଗୁଡ଼ିକୁ ଚିହ୍ନଟ କରି ଶୀଘ୍ର ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ମଦ ବିକ୍ରୟ ଢାବାଗୁଡ଼ିକର ନିୟମିତ ଯାଞ୍ଚ କରିବାକୁ କହିଥିଲେ।
ଦେବଗଡ଼ ରଜାମୁଣ୍ଡା ଆମ୍ବେଦକର ଛକରେ ହାଇମାଷ୍ଟ ଲାଇଟ୍ ସ୍ଥାପନ କରିବା, ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ସେ ଗୁରୁତ୍ୱ ଦେଇଥିଲେ।
ସେହିପରି ଯାନ ଚଳାଚଳ ସମୟରେ ହେଲମେଟ ଓ ସିଟବେଲ୍ଟ ପିନ୍ଧିବା, ନିର୍ଦ୍ଧାରିତ ଗତିସୀମା ମାନିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଥିଲା।
ବୈଠକରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ଅଧିକ୍ଷଣ ଯନ୍ତ୍ରୀ (ରାସ୍ତା ଓ ଗୃହ) ଅଭିଷେକ ଓଝା, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରିତିକାନ୍ତ ଶୁକ୍ଳା, ଟିପିଡବ୍ଲୁ ନିର୍ବାହୀ ଯନ୍ତ୍ରୀ ରାଜୁ ସହା, ଡେପୁଟି କଲେକ୍ଟର କଳିଙ୍ଗ ଆଶିଷ ଶତପଥି, ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ଚନ୍ଦ୍ର ମହାରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।