ଅଧପନ୍ତରିଆ ଅବସ୍ଥାରେ କଳାପରିଷଦ ହଲ, ଭୂତକୋଠୀ ପରି ଦେଖାଯାଉଛି
ଦେବଗଡ଼, ତା ୧୮/୦୩/୨୦୨୬ ରିଖ:- ସହରର ଘରୋଇ ବସଷ୍ଟାଣ୍ଡ ନିକଟରେ ପୌରପରିଷଦ କାର୍ଯ୍ୟାଳୟ ପକ୍ଷରୁ ନିର୍ମାଣଧୀନ କଳାପରିଷଦ ହଲ ଦୀର୍ଘ ୮ ବର୍ଷ ଧରି ଅଧପନ୍ତରିଆ ଅବସ୍ଥାରେ ପଡିରହିଛି। ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ତାହା ନେଇ ଅନିଶ୍ଚିତତା ଦେଖାଦେଇଛି।
ହଲଟିର ଚାରିପାଖରେ ଅନାବନା ଗଛପାଲା ଉଗିଯାଇ ଏହାକୁ ଭୂତକୋଠୀ ସଦୃଶ ଦୃଶ୍ୟ ପ୍ରଦାନ କରୁଛି। ନିର୍ମାଣ କାର୍ଯ୍ୟ ଧୀର ଗତିରେ ଚାଲିଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ସୂଚନା ଅନୁସାରେ, ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କଳାର ବିକାଶ ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ଆର୍ଥିକ ବର୍ଷ ୨୦୧୨-୧୩ରେ ନୂତନ କଳାପରିଷଦ ଓ ଅଡିଟୋରିୟମ ନିର୍ମାଣ ପାଇଁ ଅନୁମୋଦନ ମିଳିଥିଲା। ୨୦୧୪-୧୫ରେ କାର୍ଯ୍ୟ ଆରମ୍ଭ ହେଲେ ମଧ୍ୟ ମଧ୍ୟରେ ବାରମ୍ବାର ବନ୍ଦ ହୋଇଯାଇଛି। ୨୦୧୭-୧୮ରେ ପୁଣି କାମ ଆରମ୍ଭ ହେଲେ ମଧ୍ୟ ବର୍ତ୍ତମାନ ପୁଣି ବନ୍ଦ ଅବସ୍ଥାରେ ରହିଛି। ସରକାରୀ ଧନରୁ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଥିବା ସତ୍ତ୍ୱେ ବାରମ୍ବାର ଟେଣ୍ଡର ଓ ଠିକାଦାର ପରିବର୍ତ୍ତନ ସତ୍ତ୍ୱେ କାମ ସମାପ୍ତ ହୋଇନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଏନେଇ ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ ଭୋଜ କହିଛନ୍ତି, ଶୀଘ୍ର କଳାପରିଷଦ ନିର୍ମାଣ କାର୍ଯ୍ୟ ସମାପ୍ତ ପାଇଁ ପଦକ୍ଷେପ ନିଆଯିବ।