logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଲୋକ ଅଦାଲତ ନାଁରେ ଲୁଟ୍: ଜନ ସେବା କେନ୍ଦ୍ର ମାଲିକ ଆୟୁବ ଖାଁ ଗିରଫ

ସମ୍ବଲପୁର: ଜାତୀୟ ଲୋକ ଅଦାଲତରେ ସମସ୍ୟାର ସମାଧାନ କରିଦେବା ନାଁରେ ସାଧାରଣ ଲୋକଙ୍କୁ ଠକେଇ କରିବା ଅଭିଯୋଗରେ ସମ୍ବଲପୁର ଟାଉନ୍ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ମୋଦିପଡ଼ା ଆମ୍ବେଦକର ନଗରର ଆୟୁବ ଖାନ (୩୨)।
ସମ୍ବଲପୁର ପିରବାବା ଛକ ନିକଟରେ ‘ଆୟଶା କମ୍ୟୁନିକେସନ’ ନାମକ ଏକ ଜନ ସେବା କେନ୍ଦ୍ର ଚଲାଉଥିବା ଆୟୁବ ଖାନ, ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ଜଣକ ପିଛା ୧୦୦ ଟଙ୍କା ଲେଖାଏଁ ଆଦାୟ କରି ମିଥ୍ୟା ପଞ୍ଜିକରଣ କରୁଥିଲେ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ର ପିଏଲଭି ସରୋଜ ବାଗଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସୂଚନା ଅନୁସାରେ, 'ସମ୍ବଲପୁର ଟିଭି'ର ଶ୍ୟାମଲ ନାମକ ଜଣେ ବ୍ୟକ୍ତି ଏହି ସୂଚନା ପ୍ରସାରଣ କରିବା ପରେ ପ୍ରାୟ ୧୦୦ରୁ ଅଧିକ ଲୋକ ଏହାକୁ ସତ ମାନି ଠକେଇର ଶିକାର ହୋଇଥିଲେ।
ଟାଉନ୍ ଥାନା କେସ୍ ନମ୍ବର ୯୦ (ତା-୧୩/୦୩/୨୦୨୬) ଅନୁସାରେ BNS ର ଧାରା ୩୦୮(୨)/୩୧୮(୩)/୩୧୯(୨) ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି। ତଦନ୍ତ ବେଳେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ନିମ୍ନଲିଖିତ ସାମଗ୍ରୀ ଜବତ କରିଛି:
ଗୋଟିଏ ଲାପଟପ୍ ଓ ପ୍ରିଣ୍ଟର
ଏକ ମୋବାଇଲ୍ ଫୋନ୍
ଜାଲ୍ DLSA ଫର୍ମ
୮୮ଟି ଆଧାର କାର୍ଡ
ଅଭିଯୁକ୍ତ ଆୟୁବ ଖାନଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା ଜାରି ରଖିଛି। ସାଧାରଣ ଲୋକଙ୍କୁ ଏଭଳି ଅସାଧୁ ଠକଙ୍କ ପ୍ରଲୋଭନରେ ନ ପଡ଼ିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।

9
932 views

Comment