ଅଳତି ଗ୍ରାମର ପାଞ୍ଚବର୍ଷ ଝୀଅ ତନ୍ମୟୀ ଦୁର୍ଘଟଣା ଜନିତ ଦୁଃଖଦ ମୃତ୍ୟୁରେ ସମଗ୍ର ଅଞ୍ଚଳ ଶୋକାକୁଳ!
ଅଳତି ଗ୍ରାମର ପାଞ୍ଚବର୍ଷ ଝୀଅ ତନ୍ମୟୀ ଦୁର୍ଘଟଣା ଜନିତ ଦୁଃଖଦ ମୃତ୍ୟୁରେ ସମଗ୍ର ଅଞ୍ଚଳ ଶୋକାକୁଳ!
ଘଷିପୁରା: ୧୩/୦୩ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ଅଳତି ଗ୍ରାମର ଜିତେନ୍ଦ୍ର ମଲ୍ଲିକଙ୍କ ଏକମାତ୍ର କନ୍ୟା ସନ୍ତାନ ତନ୍ମୟୀ ମଲ୍ଲିକ (୫)ଙ୍କ ଦୁଃଖଦ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ସୂଚନା ଅନୁଯାୟୀ, ତନ୍ମୟୀ ପ୍ରାୟ ଦୁଇ ବର୍ଷ ହେବ ତାଙ୍କ ମାମୁଁ ଘର ଘଷିପୁରା ବ୍ଲକ ଅନ୍ତରଗତ ଜେନାପଦାରେ ରହି ପାଠ ପଢ଼ୁଥିଲେ। ଗତ ୪ ମାର୍ଚ୍ଚ ୨୦୨୬ ତାରିଖ ହୋଲି ଦିନ କିଛି ଅସାମାଜିକ ଯୁବକ ମଦ୍ୟପାନ କରି ବେପରୁଆ ଭାବରେ ଗାଡ଼ି ଚଳାଇ ଶିଶୁ ତନ୍ମୟୀଙ୍କ ଉପରେ ଚଢ଼ାଇ ଦେଇଥିଲେ। ଏହାରେ ଶିଶୁଟି ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକମାନେ ତତ୍କ୍ଷଣାତ୍ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ୯ ଦିନ ଧରି ଚିକିତ୍ସା ଚାଲିଥିବା ବେଳେ ଗତକାଲି ରାତିରେ ଶିଶୁଟି ଜୀବନ ଯୁଦ୍ଧରେ ହାରିଯାଇଥିଲା।କିନ୍ତୁ ଏହି ଘଟଣାର ସବୁଠାରୁ ଦୁଃଖଦ ଓ ବିଡ଼ମ୍ବନାପୂର୍ଣ୍ଣ ପ୍ରସଙ୍ଗ ହେଲା, ପରିବାର ପକ୍ଷରୁ ୫ ମାର୍ଚ୍ଚ ୨୦୨୬ ତାରିଖରୁ ରାମଚନ୍ଦ୍ରପୁର ଥାନାରେ ଲିଖିତ ଭାବରେ ଅଭିଯୋଗ ଦାଖଲ କରାଯାଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ FIR ପଞ୍ଜୀକୃତ ହୋଇନାହିଁ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଯାଇନାହିଁ। ଘଟଣାକୁ ୯ ଦିନ ବିତିଯାଇଥିବା ସତ୍ତ୍ୱେ ମଧ୍ୟ ପ୍ରଶାସନର ଏହି ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମୂଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆଇନ ଶୃଙ୍ଖଳାର ସ୍ଥିତି କେତେ ସୁଦୃଢ ତାହା ଏହି ଘଟଣା ସ୍ପଷ୍ଟ କରୁଛି ବୋଲି ଲୋକମାନେ ମତ ପ୍ରକାଶ କରୁଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ପୀଡ଼ିତ ପରିବାରକୁ ତୁରନ୍ତ ଆଇନଗତ ଏବଂ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ଲୋକ ଦାବି କରୁଛନ୍ତି।
ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।