ଦେବଗଡ ଜିଲ୍ଲାର ନୂତନ ମୁଖ୍ୟ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତରଙ୍କ ଯୋଗଦାନ, ସ୍ୱାସ୍ଥ୍ୟ ସେବାରେ ଆସିଲା ଉନ୍ନତି
ଦେବଗଡ ତା ୧୩/୦୩/୨୦୨୬ ରିଖ :-ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଭାବେ ୨୦ ଜଣ ବିଶେଷଜ୍ଞ ଡାକ୍ତର ଯୋଗ ଦେଇଛନ୍ତି। ପୂର୍ବରୁ ଏଠାରେ ୮ ଜଣ ଡାକ୍ତର କାର୍ଯ୍ୟରତ ଥିବା ବେଳେ ବର୍ତ୍ତମାନ ସମୁଦାୟ ୨୮ ଜଣ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହୋଇଥିବାରୁ ରୋଗୀମାନେ ଉନ୍ନତ ଚିକିତ୍ସା ସେବା ପାଇ ପାରୁଛନ୍ତି।
ଏହି ଡାକ୍ତରମାନେ ସର୍ଜରୀ (୩), ଓର୍ଥୋପେଡିକ୍ସ (୧), ଭେଷଜ (୩), ଦାନ୍ତ (୩), ଚକ୍ଷୁ (୨), ସ୍ତ୍ରୀ ଓ ପ୍ରସୂତି (୮), ଶିଶୁ ରୋଗ (୪), ଫୁସଫୁସ ଜନିତ ରୋଗ (୧), ନିସ୍ତେଜକ (୧), ଚର୍ମ ରୋଗ (୧) ଏବଂ ଚକ୍ଷୁ-ନାକ-ଗଳା (୧) ବିଭାଗରେ ସେବା ଯୋଗାଇ ଦେଉଛନ୍ତି।
ତଦୁପରି, ଏହି ବିଶେଷଜ୍ଞ ଡାକ୍ତରମାନେ ଜିଲ୍ଲାର ବିଭିନ୍ନ ବ୍ଲକ୍ ର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ମଙ୍ଗଳବାରରେ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବୁଧବାରରେ ବାରକୋଟ ଓ ବମ୍ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗୁରୁବାରରେ ତିଲେଇବଣୀ ଏବଂ ଶୁକ୍ରବାରରେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ରୋଗ ଓ ସ୍ତ୍ରୀ ରୋଗ ବିଶେଷଜ୍ଞମାନେ ସେବା ଯୋଗାଇ ଦେଉଛନ୍ତି।
ଏହା ସମ୍ବନ୍ଧରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧନଞ୍ଜୟ ମହନ୍ତ ଏହି ସୂଚନା ଦେଇଥିଲେ।