ଏଲ୍ପିଜି ରନ୍ଧନ ଗ୍ୟାସ ଯୋଗାଣ ଓ ବଣ୍ଟନ ତଦାରଖ ପାଇଁ ସମନ୍ୱୟ ବୈଠକ
ଦେବଗଡ଼ ତା ୧୨/୦୩/୨୦୨୬ ରିଖ :-ଦେବଗଡ଼ ଜିଲ୍ଲାରେ ଏଲ୍ପିଜି ରନ୍ଧନ ଗ୍ୟାସର ସୁଚାରୁ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ଆଜି ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ ଯେ, ଦେବଗଡ଼ ଜିଲ୍ଲାରେ ଏଲ୍ପିଜି ରନ୍ଧନ ଗ୍ୟାସ ଯୋଗାଣ ସମ୍ପର୍କରେ ସାଧାରଣ ଲୋକମାନେ କୌଣସି ପ୍ରକାର ଭୟ କିମ୍ବା ଆତଙ୍କରେ ନ ରହନ୍ତୁ। ଜିଲ୍ଲାର ସମସ୍ତ ଗ୍ୟାସ ବିତରକମାନଙ୍କ ସହ ଏହି ବିଷୟରେ ସବିଶେଷ ଆଲୋଚନା କରାଯାଇ ଲୋକମାନଙ୍କୁ ସମୟମତେ ଓ ସୁଚାରୁ ଭାବରେ ଗ୍ୟାସ ସିଲିଣ୍ଡର୍ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସରକାରଙ୍କ ନିର୍ଦ୍ଦିଷ୍ଟ ନିୟମାବଳି ଅନୁସାରେ ଉପଭୋକ୍ତାମାନେ ଗ୍ୟାସ ବୁକିଙ୍ଗ କରି ନିଜ ଘରକୁ ଗ୍ୟାସ ସିଲିଣ୍ଡର୍ ପାଇପାରିବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ। ଯୋଗାଣ ପ୍ରକ୍ରିୟାରେ କୌଣସି ପ୍ରକାର ଅସୁବିଧା ନ ହେବା ପାଇଁ ଗ୍ୟାସ ଏଜେନ୍ସିମାନଙ୍କୁ ବିଶେଷ ପରାମର୍ଶ ଦିଆଯାଇଥିଲା।
ସେହିପରି ଜିଲ୍ଲାର ଡାକ୍ତରଖାନା, ଶିକ୍ଷା ପ୍ରତିଷ୍ଠାନ, ଆହାର କେନ୍ଦ୍ର, ଜେଲଖାନା ଇତ୍ୟାଦି ସଂସ୍ଥାଗୁଡ଼ିକୁ ଗ୍ୟାସ ଯୋଗାଣ ବେଳେ କୌଣସି ଅସୁବିଧା କିମ୍ବା ଗଣ୍ଡଗୋଳ ସୃଷ୍ଟି ନ ହେବା ପାଇଁ ସମୟମତେ ଗ୍ୟାସ ପହଞ୍ଚାଇବାକୁ ଜୋର ଦିଆଯାଇଥିଲା।
ଗ୍ୟାସ ଯୋଗାଣ ସମ୍ପର୍କିତ ଯେକୌଣସି ସମସ୍ୟା ନେଇ ଜନସାଧାରଣ ଜିଲ୍ଲା ମନିଟରିଂ ହେଲ୍ପଲାଇନ୍ ନମ୍ବର ୯୬୬୮୩୪୬୪୭୮ ଓ ୮୭୬୩୪୯୪୯୩୭ ରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି।
ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ଚନ୍ଦ୍ର ମହାରଣା, ଡେପୁଟି କଲେକ୍ଟର (ଜୁଡିସିଆଲ) କଳିଙ୍ଗ ଆଶିଷ ଶତପଥି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ତହସିଲଦାର କର୍ଣ୍ଣ ମଲିକ, ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରତିକାନ୍ତ ଶୁକ୍ଳା ସହିତ ସମସ୍ତ ଗ୍ୟାସ ଏଜେନ୍ସି ପ୍ରତିନିଧି, ପେଟ୍ରୋଲ ପମ୍ପ ମାଲିକ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।