ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଗ୍ଲକୋମା ସପ୍ତାହ ପାଳିତ
ଦେବଗଡ଼: କଳାମାଟି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ କଳା ମୋତିଆ ବିନ୍ଦୁ ବା ଗ୍ଲକୋମା ସପ୍ତାହ ଉପଲକ୍ଷେ ଜାଗରୁକତା କାର୍ୟକ୍ରମ ଆୟୋଜିତ ହୋଇଥିଲା। ଅଧ୍ୟାପକ ମନୋରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟକ୍ରମରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡା. ଅମୃତ ପ୍ରୀତମ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ଲକୋମା ରୋଗର କାରଣ, ଲକ୍ଷଣ, ପ୍ରତିରୋଧ ଓ ତ୍ୱରିତ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।
ଏହି ଅବସରରେ “ଗ୍ଲକୋମା” ବିଷୟକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ କ୍ୱିଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ଏକାଦଶ ଶ୍ରେଣୀର ଜସ୍ମିତା ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସନ୍ଦୀପା ପ୍ରଧାନ ଦ୍ୱିତୀୟ ଓ ଅଙ୍କିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଜେତା ଛାତ୍ରୀମାନଙ୍କୁ ଅତିଥିମାନଙ୍କ ହସ୍ତରୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ସେଥିପାଇଁ ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷା ମଧ୍ୟ କରାଯାଇଥିଲା। କାର୍ୟକ୍ରମର ଶେଷରେ ଶ୍ରୀ ରଞ୍ଜନ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ।