୨୦୨୭ ଜନଗଣନା ନିମନ୍ତେ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀ (F.T.S.)ଙ୍କ ପ୍ରଶିକ୍ଷଣ ଶିବିର
ବରଗଡ଼: ଆଜି ସ୍ଥାନୀୟ ଉପ-ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକାଙ୍କ ସମ୍ମଳିନୀ କକ୍ଷଠାରେ ୨୦୨୭ ଜନଗଣନା ପାଇଁ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀ (F.T.S.)ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅତିରିକ୍ତି ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ପ୍ରଶିକ୍ଷଣ ଶିବିରରେ ଡେପୁଟି କଲେକ୍ଟର ସୁମତି ପଣ୍ଡା, ପରିସଂଖ୍ୟାନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି ଜନଗଣନାର ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ନେଇଥିଲେ ।
ସୂଚନାଯୋଗ୍ୟ କି, ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟ ଦ୍ଵାରା ୧୦.୦୩.୨୦୨୬ ରୁ ୧୨.୦୩.୨୦୨୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ଜନଗଣନା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥି ନିମନ୍ତେ ଡିଜିଟାଲ ସ୍ୱଗଣନା ବ୍ୟବସ୍ଥା ରହିବ । ଯେଉଁଥିରେ ଯେକୌଣସି ବ୍ୟକ୍ତି ସେନସସ୍ ପୋର୍ଟାଲ୍ ବ୍ୟବହାର କରି ନିଜର ସମସ୍ତ ତଥ୍ୟ ଅପଲୋଡ୍ କରିବା ପରେ ଏକ ରେଫରେନ୍ସ ନମ୍ବର ପାଇପାରିବେ । ଏହାପରେ ସମ୍ପୃକ୍ତ ଏନ୍ୟୁମରେଟର୍ ଘରୋଇ ସେନସସ୍ ସର୍ଭେ ସମୟରେ ପୁନର୍ବାର ଯାଞ୍ଚ କରି ସଠିକ ତଥ୍ୟ ଅନଲାଇନ ମାଧ୍ୟମରେ ଲିପିବଦ୍ଧ କରିବେ । ଏହି ଜନଗଣନା କାର୍ଯ୍ୟକ୍ରମରେ ମୋଟ ୫୦ ଜଣ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି ଓ ଅଧ୍ୟାପକ ତଥା ଶିକ୍ଷକମାନଙ୍କୁ ଫିଲଡ- ଟ୍ରେନର ଭାବେ ନିଯୁକ୍ତି କରାଯାଇଛି । ଜନଗଣନାର ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ଭାବେ ବୁଝି ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ପାଇଁ ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଶିବିରରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅବସରରେ ଡେପୁଟି କଲେକ୍ଟର ସୁମତି ପଣ୍ଡା ସମସ୍ତଙ୍କୁ ସ୍ବାଗତ କରିବାପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସାହୁ ଏବଂ ଡେପୁଟି କଲେକ୍ଟର ନିଜ ବକ୍ତବ୍ୟରେ କହିଥିଲେ ଯେ, ଜନଗଣନା ହେଉଛି ଦେଶର ଦର୍ପଣ ସଦୃଶ । ଏଥିରେ କେବଳ ବ୍ୟକ୍ତିବିଶେଷଙ୍କ ଗଣନା ନୁହେଁ ବରଂ ପ୍ରତ୍ୟେକ ପରିବାରର ଆର୍ଥିକ, ସାମାଜିକ ଅବସ୍ଥାର ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରାଯିବ ଯାହା ଯୋଜନା ଏବଂ ନୀତି ପ୍ରଣୟନରେ ସାହାଯ୍ୟ କରେ । ତେଣୁ ସମସ୍ତେ ନିଜର ସଠିକ ତଥ୍ୟ ପ୍ରଦାନ କରିବା ଉଚିତ ।
ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଟ୍ରେନିଂ ଅଫିସର ଭାବେ ଶ୍ରୀକାନ୍ତ ବେହେରା ଓ ଶ୍ରୀ ନିରଞ୍ଜନ ତ୍ରିପାଠୀ ଯୋଗ ଦେଇ ବରଗଡ଼ ଜିଲ୍ଲାରେ ଜନଗଣନାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଜନଗଣନା ସମ୍ପର୍କିତ ବିଭିନ୍ନ ପର୍ଯ୍ୟାୟ ଉପରେ ଆଲୋଚନା ସହ ଜନଗଣନା ନିମିତ୍ତ ପ୍ରାଥମିକ ପ୍ରସ୍ତୁତି କାର୍ଯ୍ୟ ତଥା ହାଉସ୍ ଲିଷ୍ଟିଂ, ବ୍ଲକ୍ ଚିହ୍ନଟ ଓ ଗଠନ ପ୍ରକ୍ରିୟା, ଚାର୍ଜ୍ ରେଜିଷ୍ଟର ପ୍ରସ୍ତୁତି, ସଠିକ୍ ଭାବେ ଗୃହ ସଂଖ୍ୟାକରଣ ଓ ନାସନାଲ୍ ମ୍ୟାପ୍ ପ୍ରସ୍ତୁତି, ଅନଲାଇନ୍ ତଥ୍ୟ ସଂଗ୍ରହ ପ୍ରକ୍ରିୟା, ଫିଲ୍ଡ-ଟ୍ରେନରମାନଙ୍କ ନିଯୁକ୍ତି, କାର୍ଯ୍ୟ ବଣ୍ଟନ ଏବଂ ସେମାନଙ୍କ କାର୍ଯ୍ୟଗତି ଟ୍ରାକିଂ ବ୍ୟବସ୍ଥା, ସେନସସ୍ କାର୍ଯ୍ୟରେ ନିଯୁକ୍ତ କର୍ମଚାରୀମାନଙ୍କ ଭୂମିକା ଓ ଦାୟିତ୍ୱ ତଥା ସଠିକ୍ ସମୟସୀମା ମଧ୍ୟରେ ଗୁଣାତ୍ମକ ତଥ୍ୟ ସଂଗ୍ରହ ପାଇଁ ବିଭାଗୀୟ ସମନ୍ୱୟ ଓ ନିରନ୍ତର ନିରୀକ୍ଷଣ ଭଳି ବିଭିନ୍ନ ବିଷୟରେ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।