ଛାତ୍ରୀଙ୍କ ସୁରକ୍ଷା ସଚେତନତାରେ ନୂଆ ପଦକ୍ଷେପ: ତାରାତାରିଣୀ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ଶିବିର ଉଦଯାପନ !
ଗଞ୍ଜାମ ଜିଲ୍ଲା -ପୁରୁଷୋତ୍ତମପୁର,ତା-୧୨/୦୩/୨୦୨୬: ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ ଯୁକ୍ତତିନି ସ୍ତରର ଛାତ୍ରୀମାନଙ୍କ ପାଇଁ ଆୟୋଜିତ ଆଠଦିନିଆ ଆତ୍ମସୁରକ୍ଷା ତାଲିମ ଶିବିରର ଉଦଯାପନ ଉତ୍ସବ ସଂଯୋଜିକା ଡ଼ଃ ଶ୍ରାବଣୀ ଖଟାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉତ୍ସାହଭରା ପରିବେଶରେ ଅନୁଷ୍ଠିତ ହୋଇଛି। ଛାତ୍ରୀମାନଙ୍କ ମଧ୍ୟରେ ସାହସ, ସଚେତନତା ଓ ଆତ୍ମବିଶ୍ୱାସ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ତାଲିମ ଶିବିରର ଆୟୋଜନ କରାଯାଇଥିଲା।
ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା ପରିଷଦର ପ୍ରାକ୍ତନ ସଭାପତି ଶ୍ରୀ ବାସୁଦେବ ମହାପାତ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଲଳିତା ମଲ୍ଲିକ, ମହାବିଦ୍ୟାଳୟର ପ୍ରତିଷ୍ଠାନ ଅଧିକାରୀ ଡ଼ଃ ରମେଶ ଚନ୍ଦ୍ର ସେନାପତି, ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର, କ୍ରୀଡା ଅଧ୍ୟାପକ ଶ୍ରୀ ଶିବ ପ୍ରସାଦ ବେହେରା, ଡ଼ଃ ମୌସୁମୀ ପ୍ରିୟଦର୍ଶିନୀ ଭୋଇ, ଶ୍ରୀମତୀ ମଞ୍ଜୁଲତା ଦାଶ ଓ ଶ୍ରୀମତୀ ହରିପ୍ରିୟା ନାୟକ ମଞ୍ଚାସୀନ ଥିଲେ।
ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ ସମାଜରେ ନାରୀ ସୁରକ୍ଷା ଏକ ଅତ୍ୟନ୍ତ ସଂବେଦନଶୀଳ ବିଷୟ। ଛାତ୍ରୀମାନେ ଆତ୍ମସୁରକ୍ଷା କୌଶଳ ଅଧ୍ୟୟନ କଲେ ସେମାନେ ସଙ୍କଟ ସମୟରେ ନିଜକୁ ସୁରକ୍ଷିତ ରଖିବା ସହ ସମାଜରେ ସାହସ ଓ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିପାରିବେ। ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମନୋବଳ ବୃଦ୍ଧି କରିବା ସହ ତାଙ୍କୁ ସଚେତନ ଓ ସଶକ୍ତ କରିଥାଏ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ଆତ୍ମସୁରକ୍ଷା ପ୍ରଶିକ୍ଷକା ଶ୍ରୀମତୀ ଅର୍ଚ୍ଚନା ପଣ୍ଡା, ଶ୍ରୀମତୀ ଅର୍ଚ୍ଚନା ପ୍ରଧାନ ଓ ସାକମ୍ଭରୀ ସାହୁ ନିଜ ନିଜ ଆତ୍ମସୁରକ୍ଷା କୌଶଳର ଚମତ୍କାର ପ୍ରଦର୍ଶନ କରି ଉପସ୍ଥିତ ସଭାସଦଙ୍କୁ ଆକର୍ଷିତ କରିଥିଲେ। ସାତଦିନ ବ୍ୟାପୀ ଏହି ତାଲିମ ଶିବିରରେ ଅଂଶଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।
ପରିଶେଷରେ ମହାବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରତିପାଦିକା ଶ୍ରୀମତୀ ମଞ୍ଜୁଲତା ଦାଶ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।