ଦେବଗଡ଼ରେ ଭୟାବହ ଟ୍ରିପଲ୍ ମର୍ଡର: ହାତୁଡ଼ିରେ ପିଟି ସ୍ତ୍ରୀ, ବୋହୂ ଓ ୪ ବର୍ଷର ନାତୁଣୀଙ୍କୁ ହତ୍ୟା
ଦେବଗଡ଼: ଦେବଗଡ଼ ଜିଲ୍ଲାରେ ଘଟିଥିବା ଏକ ନିର୍ମମ ଟ୍ରିପଲ୍ ମର୍ଡର ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରିଆମାଳ ବ୍ଲକର କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗ୍ରାମରେ ଜଣେ ବ୍ୟକ୍ତି ନିଜ ପରିବାରର ତିନିଜଣଙ୍କୁ ହାତୁଡ଼ିରେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ରମେଶ ଗରିଆ (୫୨) ଗତ ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ନିଜ ସ୍ତ୍ରୀ ଗୁଲଗରିଆ (୪୨), ବୋହୂ ଲିପି ମହାକୁଳ (୨୪) ଓ ୪ ବର୍ଷର ନାତୁଣୀ ଇଶାନୀ ଗରିଆଙ୍କୁ ହାତୁଡ଼ି ସାହାଯ୍ୟରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗ୍ରାମରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।
ଘଟଣା ସମ୍ପର୍କରେ ଅଭିଯୁକ୍ତଙ୍କ ପୁଅ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଅଭିଯୁକ୍ତ ରମେଶ ଗରିଆ ଘଟଣା ପରେ ଫେରାର ହୋଇଥିବା ସୂଚନା ମିଳିଛି।
ଏହି ନିର୍ମମ ଘଟଣା ଦେବଗଡ଼ ସହ ସମଗ୍ର ରାଜ୍ୟରେ ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜୋରଦାର କରିଛି।