ବରପାଲିରେ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଲଗ୍ନ ନିର୍ଦ୍ଧାରଣ ।
ବରପାଲି,ସ୍ଥାନୀୟ ଭଣ୍ଡାର ଗୃହ (ନୃପରାଜ କ୍ଳବ୍) ପରିସରରେ ବରପାଲିର ପ୍ରସିଦ୍ଧ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଶୁଭ ଲଗ୍ନ ନିର୍ଦ୍ଧାରଣ କାର୍ଯ୍ୟକ୍ରମ ବିଜ୍ଞ ପଣ୍ଡିତମାନଙ୍କ ଉପସ୍ଥିତିରେ ସମାପ୍ତ ହୋଇଛି।
ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଚଳିତ ବର୍ଷ ଯାତ୍ରା ମହୋତ୍ସବ ଆସନ୍ତା ଜୁନ ୧୫ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ନୀତିନିୟମ ଓ ପାରମ୍ପରିକ ରୀତିନୀତି ସହ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏପ୍ରିଲ ୨୦ ତାରିଖ ସୋମବାର ଅକ୍ଷୟ ତୃତୀୟା ଅବସରରେ ଯାତ୍ରା ପାଇଁ ଶୁଭ ଲଗ୍ନରେ ଥାଳ ଉଠିବା କାର୍ଯ୍ୟକ୍ରମ ହେବ।
କାର୍ଯ୍ୟସୂଚୀ ଅନୁଯାୟୀ ଜୁନ ୧୫ ତାରିଖରେ ବାବା ଶ୍ରୀଶ୍ରୀ କପିଳେଶ୍ୱର ଓ ଜଗତ୍ ଜନନୀ ମାତା ପାର୍ବତୀ ଙ୍କୁ ଶୋଭାଯାତ୍ରାରେ ଯାତ୍ରା ମଣ୍ଡପକୁ ଆଣି ଭଣ୍ଡାର ଗୃହରେ ସଂସ୍ଥାପନ କରାଯିବ।
ଜୁନ୧୬ ତାରିଖରେ ରୁଦ୍ରଯଜ୍ଞ ଆରମ୍ଭ ସହ ସନ୍ଧ୍ୟା ସମୟରେ ହିମାଦ୍ରି ନଗରକୁ ଶୋଭାଯାତ୍ରା ଓ କନ୍ୟା ମନୋନୟନ (ପତରପେଣ୍ଡି) କାର୍ଯ୍ୟକ୍ରମ ହେବ।
ଜୁନ୧୭ ତାରିଖରେ ବାବା ଭୈରବଙ୍କ ଦ୍ଵାରା ଦେବନିମନ୍ତ୍ରଣ ଶୋଭାଯାତ୍ରା(ଭୈରୋବୁଲା)
ଜୁନ୧୮ ତାରିଖରେ ତୈଳ, ହରିଦ୍ରା ଗଣସନ, ଅଳଙ୍କାର ଧାରଣ, ବରଧରା ଓ ବିରାଟ ବରାନୁଗମନ ଶୋଭାଯାତ୍ରା ।
ଜୁନ୧୯ ତାରିଖରେ ଶିବ–ପାର୍ବତୀଙ୍କ ପବିତ୍ର ବିବାହ ପାଣିଗ୍ରହଣ ପରେ ବୈଠକି ଯାତ୍ରା ଅନୁଷ୍ଠିତ ହେବ ।
ଜୁନ୨୦ ତାରିଖରେ ରୁଦ୍ରଯଜ୍ଞ ପୂର୍ଣ୍ଣାହୁତି ଓ ମା ପାର୍ବତୀଙ୍କ ଶ୍ୱଶୁରାଳୟ ଆଗମନ, ଶତ ଆରତୀ ସମ୍ବର୍ଦ୍ଧନା ଓ ଲମ୍ବାନୀ ଶୋଭାଯାତ୍ରା ସହ ନଗର ପରିକ୍ରମା ହେବ।
ଜୁନ୨୧ ତାରିଖରେ ଶିବ–ପାର୍ବତୀଙ୍କ ପ୍ରତ୍ୟାବର୍ତନ ଶୋଭାଯାତ୍ରା,ରାଜବାଟିରେ ମହତି ଭୋଗ ଅର୍ପଣ ଓ ମନ୍ଦିର ପ୍ରବେଶ ସହ ଯାତ୍ରା ମହୋତ୍ସବର ସମାପନ ହେବ।
ଏହି ଅବସରରେ ପଣ୍ଡିତ ରବୀନ୍ଦ୍ର ଦାଶ, ଡ଼.ସରୋଜ କୁମାର ଦାଶ, ପିନାକୀ ଦାଶ, ସଦାନନ୍ଦ ଦାଶ,ହେମନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଯାତ୍ରା କମିଟିର ସଭାପତି ଆନନ୍ଦ ବାବୁ,ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ, ବାଲକିଶୋର ଖାଡଙ୍ଗା,କୃଷ୍ଣ ଦାଶ,ବିନୋଦ ଶୁସାରି ପଦ୍ମଲୋଚନ ସାହୁ,ପିରୋଜ କୁମାର ନାଏକ,ଉତ୍ତମ ସାହୁ ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ।