logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସରକାରୀ ସହାୟତା ଅପେକ୍ଷାରେ- ଫକୀର ମୁଣ୍ଡା!

ସରକାରୀ ସହାୟତା ଅପେକ୍ଷାରେ- ଫକୀର ମୁଣ୍ଡା!

ଗୋନାସିକା-୧୧/୦୩(ଖଣ୍ଡାଧାର ନିଉଜ) ରାଜ୍ୟ ସରକାର କହିଲେ , " ଜନଜାତିଙ୍କ ବିକାଶ ଆମର ପ୍ରାଥମିକତା।" ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀ ଆଦିବାସୀ ମେଳା ଉଦଘାଟନ ଅବସରରେ କହିଲେ -" ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ରକ୍ଷା କରିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ।" ଏ କଥାକୁ କିନ୍ତୁ ବିଶ୍ଵାସ କରି ପାରୁ ନାହିଁ ଫକୀର ମୁଣ୍ଡା ଓ ତାର ପରିବାର। ଫକୀର କହୁଛି - " ନା ଆମେ ଆମ ସାମ୍ବିଧାନିକ ଅଧିକାର ଜାଣୁ, ନା ବୁଝୁ। ନା ଆମକୁ କେହି ବୁଝାଇଛି, ନା ଆମ ପାଇଁ କେହି କିଛି ଭାବୁଛି।"
ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ। ତା 'ରି ଅଧିନରେ ଏକ ଗାଁ - କୁଣ୍ଢେଇ। ଆଦିବାସୀ ବହୁଳ ଏକ ବଡ ଗାଁ । ଗାଁର ମୁଣ୍ଡା ସାହିରେ ବସବାସ କରେ ଫକୀର । ଦୁଇ ପୁଅ, ଗୋଟିଏ ଝିଅକୁ ମିଶାଇ ପାଞ୍ଚ ପ୍ରାଣୀର କୁଟୁମ୍ବ। ଘରେ ସମସ୍ତେ ସାବାଳକ। ଚାଷ ବୋଲି କିଛି ନାହିଁ। କହିବାକୁ ଗଲେ ଭୂମି ହୀନ। କଚା ଘର ଖଣ୍ଡିକ ଯେତିକି ଜମି ଉପରେ ଛିଡା ହୋଇଛି, ସେତିକି ହିଁ ତା'ର ଅସ୍ଥାବର ସମ୍ପତ୍ତି। ପର ଘରେ ମୂଲ ଲାଗି, ଗାଈ, ଛେଳି ଚରାଇ ପରିବାର ପାଳେ ଫକୀର। ସ୍ତ୍ରୀ ତାକୁ ସାହାଯ୍ୟ କରେ। ମୁଣ୍ଡ ପିଛା ପାଞ୍ଚ କିଲୋ ଚାଉଳର ପ୍ରାବଧାନ ଥିବା ବେଳେ, ଫକୀର ପାଏ ମାସକୁ କୋଡିଏ କିଲୋ। ଝିଅକୁ ସରକାର ଚାଉଳ ଦିଅନ୍ତି ନାହିଁ। ସରକାରଙ୍କ ଏ ହିସାବଟା ଫକୀର ମୁଣ୍ଡରେ ପଶେ ନାହିଁ।
ପର ଘରେ ମଜୁରୀ କରି ଆଣିଲେ ତା' ପିଲା ଭାତ ମୁଠାଏ ଖାଇବାକୁ ପାଇବେ। ତାହା ପୁଣି ବଜାର ଦରରେ କିଣିବାକୁ ହୁଏ। ଏତେ ଚାଉଳ ପାଇଁ ଅର୍ଥ ଆଣିବ କେଉଁଠୁ? ମନରେଗାର କାମ ମଧ୍ଯ ମିଳୁନାହିଁ କହିଛନ୍ତି ଫକୀର ର ପରିବାର । ଫକୀର ର ବୟସ ଆଜି ଚଉସ୍ତରୀ । ଚଉଦ ବର୍ଷ ତଳୁ ତାକୁ ଷାଠିଏ ପୁରିଲାଣି। ତଥାପି ସରକାର ତାକୁ ଭତ୍ତା ଦେବାକୁ ଉଚିତ ମଣିଲେ ନାହିଁ। ତା'ଠୁ କେତେ ସାନ ଲୋକ ଭତ୍ତା ପାଉଛନ୍ତି । ଫକୀର ବୁଝି ପାରୁନି - ଏ ଭତ୍ତା ଟା ତା'ର ଅଧିକାର , ନା ସରକାରଙ୍କ ଦୟା। ତା' ସାହିରେ ଓ ଆଖ ପାଖ ଗାଁର କେତେ ସ୍ଵଛଳ ଲୋକଙ୍କୁ ସରକାରୀ ଘର ମିଳିଛି। ତା'ରି ବେଳକୁ ଏ ଘର ଯୋଜନାଟା ବାଟବଣା ହୋଇଗଲା। ଏଇଟା ବି ଫକୀର ବୁଝି ପାରୁନି। ସେ ପଚାରୁଛି - ଘର କ'ଣ ଅଧିକାର ନୁହେଁ? ଏ ବି କ'ଣ ଭତ୍ତା ପରି ଦୟା କି? ଭାଗ୍ୟକୁ ଆଦରି କଚା, ଦଦରା ଘରେ ପାଞ୍ଚ ପ୍ରାଣୀର ପରିବାର ନେଇ ଚଳୁଛି।
ଫକୀର ତା' ବିଧାୟକ ବାଛିଛି ସତ, କିନ୍ତୁ କେବେ ଦେଖି ନାହିଁ। ବିଧାୟକ ଥିବାବେଳେ, ସାଂସଦ ଟା କ'ଣ ସେ ବୁଝି ନାହିଁ। ସର୍ବାଙ୍ଗୀନ ଉନ୍ନତିର ନାରା ଦେଇ, ନିର୍ବାଚନ ଜିତିଥିବା ସରପଞ୍ଚଟିକୁ ସେ ସରକାରଙ୍କ ଚଳନ୍ତି ପ୍ରତିମା ବୋଲି ଧରି ନେଇଛି। ହେଲେ, ଏ ସରକାରଟି କେବେ ତା' କଥା ପଚାରି ବୁଝି ନାହିଁ। ଭତ୍ତା କଥା ପଚାରି ନାହିଁ, କି ଘର ବିଷୟରେ ଆଲୋଚନା କରି ନାହିଁ। ଫକୀର ଶୁଣେ - ଏ ସରପଞ୍ଚଟି ଦୟା କଲେ ଭତ୍ତା ମିଳେ, ସେ ଚାହିଁଲେ ଘର ମିଳେ। ହେଲେ, ବୁଝି ପାରେନି - ଜନଜାତିଙ୍କ ବିକାଶର ପ୍ରାଥମିକତା ଟା ଏ' ସରପଞ୍ଚ ର ହାତ ମୁଠାରେ ଆବଦ୍ଧ ହୋଇ ଗଲା କିପରି ? ପୁଣି ଭାବେ - ସାମ୍ବିଧାନିକ ଅଧିକାର ରକ୍ଷା କରିବାର ପ୍ରତିଶୃତିବଦ୍ଧତା ଟା ଦୟାରେ କେବେ ପରିଣତ ହୋଇଗଲା?
ଯେଉଁମାନେ ଭତ୍ତା ବା ଘର ପାଇ ନାହାନ୍ତି, ତାଙ୍କୁ ତୁରନ୍ତ ଯୋଗାଇ ଦେବେ ବୋଲି ବିଧାନସଭାରେ କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ। ଦେଖାଯାଉ, କେବେ ଲୋକଙ୍କ ସରକାର ଫକୀର ର ଦୁଃଖ ଦୂର କରୁଛନ୍ତି ???

ମନୋଜ ପଟେଲଙ୍କ ରିପୋର୍ଟ।

8
1107 views

Comment