logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭଞ୍ଜଙ୍କ ଦୃଷ୍ଟିରେ ନାରୀ - ଉପସ୍ଥାପନା: ବ୍ରହ୍ମେଶ୍ୱର ସାହୁ।

ଭଞ୍ଜଙ୍କ ଦୃଷ୍ଟିରେ ନାରୀ
💐💐💐💐💐💐
ପ୍ରାଚୀନ ସାହିତ୍ୟ ଓ ଗ୍ରନ୍ଥାଦିରେ ନାରୀ ଦୈବୀଶକ୍ତିର ଆଧାର ଓ ଇତିହାସ ଏବଂ କିମ୍ବଦନ୍ତୀଗୁଡିକରେ ବୀରାଙ୍ଗନା ରୂପେ ଅଭିହିତା। ତେବେ ଓଡ଼ିଆ ସାହିତ୍ୟର ଇତିହାସ ପର୍ଯ୍ୟାଲୋଚନା କଲେ ଦେଖାଯାଏ ଯେ ମଧ୍ୟଯୁଗର କାବ୍ୟ ସାହିତ୍ୟରେ, ରୀତିଯୁଗର କାବ୍ୟନାୟିକାମାନେ ସାଧାରଣତଃ ସୁପଣ୍ଡିତା, ସୁରସିକା ତଥା ସୋନ୍ଦର୍ଯ୍ୟ ଓ ଶୃଙ୍ଗାରପ୍ରବଣା ଥିଲେ। ତାହା ହିଁ ଘଟିଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟରେ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସପ୍ତଦଶ ଶତାବ୍ଦୀର ଶେଷ ଭାଗ ( ଆନୁମାନିକ ୧୬୮୦ ମସିହାରେ ) ଗଞ୍ଜାମ ଜିଲ୍ଲାର ଘୁମୁସର ରାଜ୍ୟର କୁଲାଡ ଗଡରେ ବିଖ୍ୟାତ ଭଞ୍ଜବଂଶରେ ଜନ୍ମ ଗ୍ରହଣ କରିଥିଲେ। ପିତା ନୀଳକଂଠ ଭଞ୍ଜ, ପିତାମହ ଧନଞ୍ଜୟ ଭଞ୍ଜଙ୍କ ପାରମ୍ପାରିକ କବିତ୍ୱର ପ୍ରଭାବ ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଯଥେଷ୍ଟ ପଡ଼ିଥିଲା। ପୁନଶ୍ଚ ମଧ୍ୟଯୁଗୀୟ ସାହିତ୍ୟର ଭିତ୍ତିପ୍ରସ୍ତର ଭୋଗ ଓ ସମ୍ଭୋଗର ଭୂମି ଉପରେ ଦଣ୍ଡାୟମାନ ଥିଲା ଏବଂ ଭଞ୍ଜଙ୍କ ଦାମ୍ପତ୍ୟ ଜୀବନଜନିତ ଅଭାବ କାବ୍ୟରେ ଭାବ ରୂପରେ ଫୁଟି ଉଠିଛି।
ନାରୀ ସାମାଜିକ ଜୀବନର ପ୍ରାଣକେନ୍ଦ୍ର। ସମାଜରେ ନାରୀର ମହତ୍ତ୍ଵ ପ୍ରତିପାଦନ କରିବାକୁ ଯାଇ ଉପେନ୍ଦ୍ର ଭଞ୍ଜ ତାଙ୍କର କାବ୍ୟନୟିକାମାନଙ୍କୁ ସୁପଣ୍ଡିତା, ସୁରସିକା ଓ କଳାକୁଶଳତା ପୂର୍ଣ୍ଣ ଶ୍ରେଷ୍ଠ ନାରୀରେ ପରିଣତ କରିଛନ୍ତି।
ଲାବଣ୍ୟବତୀର ପ୍ରଥମ ଯୌବନ, ରୂପବର୍ଣ୍ଣନା, ପରିପାଟୀ, ବେଶଭୂଷା ଇତ୍ୟାଦି ବର୍ଣ୍ଣନା କରିବା ବେଳେ କବି ନାରୀର ଦୈନନ୍ଦିନ ଜୀବନ ସହିତ ଭାରତୀୟ ସଂସ୍କୃତି ଓ ପ୍ରଥା ପରମ୍ପରାକୁ ଯୋଡ଼ି ପାରିଛନ୍ତି ଖୁବ୍ ସୁନ୍ଦର ଭାବରେ।
ଯଥା -
ଚରମେ ପଡ଼ି ମନୋରମ ଦିଶେ
ମଧ୍ୟେ କି ନିଶିଦିନ ଦୁଇ ପାଶେ,
ପ୍ରଭା ବୃଦ୍ଧି ଦେଖି ମୁଖ ଚନ୍ଦ୍ରର
ପଳାଇ ଯାଇଛି କି ଅନ୍ଧକାର,
ସଖିଏ ଜାଣନ୍ତି ବିଷ ଯେ
ଚାମର ମୟୂର ପୁଚ୍ଛ ଯା ଚାଳନ୍ତି
ନିଉଛାଉଛନ୍ତି କେଶେ ଯେ।
ନାରୀର ରୂପ ବର୍ଣ୍ଣନା ବେଳେ କବି ଯେ ଜଣେ ପ୍ରକୃତି ପ୍ରେମୀ ଓ ତତ୍ତ୍ଵଦର୍ଶୀ ଏ କଥା ପ୍ରମାଣ ହୁଏ। ସୁଭଦ୍ରାଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା ବେଳେ କବି ଫୁଲଫଳଠାରୁ ପଶୁପକ୍ଷୀ ପର୍ଯ୍ୟନ୍ତ ଅନେକ ଉପାମାନ ପ୍ରଦାନ କରିଛନ୍ତି। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ନେତ୍ରରେ ଉତ୍ତମ ମହାଭାରତ ଯୁଦ୍ଧକୁ ପ୍ରକାଶ କରିଛନ୍ତି। ସେହିପରି ଲାବଣ୍ୟବତୀ ନିକଟକୁ ଚନ୍ଦ୍ରଭାନୁ ଲେଖିଥିବା ପ୍ରେମ ପତ୍ରରେ କବି ଲାବଣ୍ୟବତୀକୁ ଏକ ଅପୂର୍ବ ପୁଷ୍ପଲତା ରୂପେ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ ଷୋହଳ ପ୍ରକାର ଫୁଲ ଫୁଟି ଥିବାର ଉପମେୟ ଓ ଉପମାନର ସଂଯୋଗ ଘ଼ଟିଛି।
ନାରୀ ପ୍ରତି ତତ୍କାଳୀନ ସମାଜରେ ହେଉଥିବା ଅବହେଳା ଓ ଅନାଦାର ଭାବର ପ୍ରତିବାଦ ଓ ବିରୁଦ୍ଧାଚରଣ ସ୍ୱରୂପ ସେ ନାରୀଙ୍କୁ ତାଙ୍କ କାବ୍ୟମାନଙ୍କରେ ଶ୍ରେଷ୍ଠ ଆସନ ଦେଇ ତାକୁ ସତୀ, ରୂପବତୀ, ଶିକ୍ଷିତା, ଲଜ୍ଜାଶୀଳା, କଳାକୁଶଳା ଓ ସୁଗୁଣସମନ୍ଵିତା କରି ପାରିଛନ୍ତି।
ଶ୍ରେଷ୍ଠଭକ୍ତି ପ୍ରେମଭକ୍ତି, ଶ୍ରେଷ୍ଠନାୟକ ଧୀରୋଦତ୍ତା (ଅନୁକୂଳ ) ଓ ଶ୍ରେଷ୍ଠରସ ଶୃଙ୍ଗାରରସର ମନୋନୟନ ପରି ଭଞ୍ଜକବି ତାଙ୍କ କାବ୍ୟସମୂହର ନାୟିକମାନଙ୍କୁ ସୌନ୍ଦର୍ଯ୍ୟମୟୀ ଓ ଉଚ୍ଚକୁଳସମ୍ଭୂତା ଶ୍ରେଷ୍ଠନାରୀ ପଦ୍ମିନୀ ଶ୍ରେଣୀଭୁକ୍ତା କରିଛନ୍ତି, ଯାହା ତାଙ୍କର ନାରୀପ୍ରତି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାର ମନସ୍ତତତ୍ତ୍ବକୁ ବୁଝାଇଥାଏ।
ଭଞ୍ଜୀୟନାରୀ ସମସ୍ତ ସାମାଜିକ ଓ ପାରମ୍ପାରିକ ପ୍ରଥାର ଅଙ୍ଗୀକାର କରେ। ସେ ନାରୀକୁ ସ୍ଵାଧୀନତା ଦେଇଥିଲେ ମଧ୍ୟ ସ୍ୱେଚ୍ଛାଚାରିଣୀ କରିନାହାନ୍ତି। ଭଞ୍ଜକବି ତାଙ୍କର ପ୍ରତିଟି କାବ୍ୟରେ ନାରୀର ଚରିତ୍ର ବର୍ଣ୍ଣନା କରିବା ବେଳେ ଯେପରି ସାମାଜିକତା ଓ ପରମ୍ପରାପ୍ରତି କୁଠାରାଘାତ ନ ହୁଏ ସେଥିପାଇଁ ସେ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିଛନ୍ତି।
ନାରୀର ଉନ୍ନତିରେ ସମ୍ମାନର ଉନ୍ନତି। ଏ କଥାକୁ ସୂଚାଇ ଦେବାକୁ ଯାଇ କବି ସ୍ତ୍ରୀଶିକ୍ଷା, ନୃତ୍ୟ, ସଙ୍ଗୀତ ଓ କଳା ଚର୍ଚ୍ଚାରେ ଉତ୍କଳୀୟ ନାରୀମାନେ କିପରି ନିପୁଣା ଥିଲେ ତାହାର ରୂପକଳ୍ପ ପ୍ରଦାନ କରିଛନ୍ତି।
କେବଳ ସେତିକି ନୁହେଁ ଅନେକ ରାମାୟଣୀ ଓ କଥାକାର କୈକେୟୀଙ୍କୁ ନିନ୍ଦା କରିଥିବା ବେଳେ ସେ କୈକେୟୀଙ୍କ ଦୋଷକ୍ଷାଳନ ପୂର୍ବକ ଅଶରୀରୀ ବାଣୀ ଛଳରେ ଅଭିନବ କଳ୍ପନାର ପ୍ରକାଶ କରିଛନ୍ତି -
ବିହାୟ ମୁଁ ବେଦବାଣୀ ତୋ ପ୍ରସୂ ପୃଥୀ ରକ୍ଷଣୀ
ନିଶା ଦୋଷା ହୋଇଲା ପ୍ରକାର....
ଯେଉଁ କୈକେୟୀ ରାମଙ୍କୁ ବନକୁ ପଠେଇ ଏ ସଂସାରର ମଙ୍ଗଳ କରିଛନ୍ତି ସେ କପରି କଳଙ୍କିନୀ ହୁଅନ୍ତେ? ସେ ତ ମଙ୍ଗଳମୟୀ ମା। ନାରୀର ସାର୍ବଜନୀନ ଭାବ ମା ସୀତାଙ୍କ ମୁହଁରେ କବି ମଧ୍ୟ ଅନ୍ୟତ୍ର ଆଙ୍କିଥିବାର ଉଦାହରଣ ମିଳେ। ଭାରତୀୟ ନାରୀ ହୃଦୟର ସମ୍ବେଦନାକୁ କବି ମାପି ପାରିଛନ୍ତି ଖୁବ୍ ସୁନ୍ଦର ଭାବରେ ଶବ୍ଦର ଯନ୍ତ୍ର (ଚାତୁରୀ) ସାହାଯ୍ୟରେ।
ଶେଷରେ ଏ ସମସ୍ତ ଆଲୋଚନା ଓ ପର୍ଯ୍ୟାଲୋଚାନା ଭିତ୍ତିରେ ଏତିକି କୁହାଯାଇ ପାରେ ଯେ - ଭଞ୍ଜକବିଙ୍କ ସମାଲୋଚକମାନେ ଯେତେ ଦୋଷତୃଟି ଦେଖାଇଲେ ମଧ୍ୟ ସେ ଓଡ଼ିଆକାବ୍ୟ ସାହିତ୍ୟକୁ ଯେଉଁ ସ୍ତରକୁ ନେଇ ଯାଇଛନ୍ତି ତାର ପଟାନ୍ତର ନାହିଁ। ଅଧ୍ୟାପକ ବୈଷ୍ଣବ ଚରଣ ବଳଙ୍କ ମତରେ - ଜଗନ୍ନାଥ ଧର୍ମ, କୋଣାର୍କ ମନ୍ଦିର ଓ ଭଞ୍ଜ ସାହିତ୍ୟ ଓଡ଼ିଶାର ତ୍ରିରତ୍ନ ଅଟନ୍ତି।
ଭଞ୍ଜ ନାୟକ ନାୟିକାମାନେ
ସକଳ ଗୁଣ ଓ ସୋନ୍ଦର୍ଯ୍ୟର ଅଧିକାରୀ ହେବା ସଙ୍ଗେ ସଙ୍ଗେ ତତ୍କାଳୀନ ପରିସ୍ଥିତିରେ ଜଣେ ଜଣେ ନୀରବ ବିଦ୍ରୋହୀ ଭାବରେ ସ୍ବଜାତି ଓ ସଂସ୍କୃତିର ଗୌରବ ରକ୍ଷା କରିଛନ୍ତି। କବି କେବଳ ସୋନ୍ଦର୍ଯ୍ୟର ରୂପକାର ଓ ପୂଜାରୀ ନୁହେଁ - ସେ ସମାଜର କଥାକାର ଓ ଶିଳ୍ପୀ। ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ନୀରବ ପୂଜାରୀ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ପରିପ୍ରେକ୍ଷୀରେ ନାରୀ ଚରିତ୍ର ଚିତ୍ରଣର ଏକ ଅଭିନବ ଶିଳ୍ପୀ ଭାବରେ ଯେଉଁ ଗୌରବ ଦାବୀ କରନ୍ତି ତାହା ହିଁ ତାଙ୍କର କବି ପ୍ରତିଭାର ସର୍ବଶ୍ରେଷ୍ଠ ବୈଶିଷ୍ଟ୍ୟ।
🙏🙏🙏🙏🙏🙏
(ସୂଚନା ଯୋଗ୍ୟ କି ମୋର ରଚିତ ଏହି ଆଲେଖ୍ୟ ବହୁ ପୂର୍ବରୁ ଆକାଶବାଣୀ, କେନ୍ଦୁଝରର ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଛି। ତେବେ ବର୍ତ୍ତମାନ ଆବଶ୍ୟକ ସ୍ଥଳରେ କେତେକ ପରିବର୍ତ୍ତନ କରାଯାଇଛି।)

@ବ୍ରହ୍ମେଶ୍ୱର ସାହୁ, କେନ୍ଦୁଝର, ମୋବାଇଲ: 94385 32068

49
2353 views

Comment