ଜିଲ୍ଲାରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ
ପୁରୀ ଅଭିମୁଖେ ଯାତ୍ରା କଲେ ଦେବଗଡ଼ର ପେନସନଧାରୀ ବରିଷ୍ଠ ନାଗରିକ
ଦେବଗଡ଼, ତା ୧୦/୦୩/୨୦୨୬:-
ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିରୋଇ ସ୍ଥିତ ନୂତନ ବସ୍ ଷ୍ଟାଣ୍ଡ ଠାରେ ରାଜ୍ୟ ସରକାରଙ୍କ “ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା” ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ପେନସନଧାରୀ ବରିଷ୍ଠ ନାଗରିକମାନଙ୍କୁ ନେଇ ପୁରୀ ଶ୍ରୀମନ୍ଦିର ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରାଯାଇଛି।
ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ବରେଣ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଉପସ୍ଥିତ ଥିଲେ। ସମସ୍ତ ଅତିଥିମାନେ ପତାକା ଦେଖାଇ ଯାତ୍ରୀ ବସକୁ ପୁରୀ ଅଭିମୁଖେ ରବାନା କରିଥିଲେ।
ଏହି ଯୋଜନାରେ ଜିଲ୍ଲାର ତିନିଟି ବ୍ଲକ୍ ଓ ପୌରପରିଷଦ ଅଞ୍ଚଳରୁ ମୋଟ ୩୬ ଜଣ ପେନସନଧାରୀ ବରିଷ୍ଠ ନାଗରିକ ଯାତ୍ରା କରିଥିଲେ। ସେଥିରେ ୨୦ ଜଣ ମହିଳା ଓ ୧୬ ଜଣ ପୁରୁଷ ଅନ୍ତର୍ଭୁକ୍ତ ଅଛନ୍ତି। ଯାତ୍ରୀମାନେ ଓଡ଼ିଶା ରାଜ୍ୟ ଆଞ୍ଚଳିକ ପରିବହନ ନିଗମର ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ବସ ଯୋଗେ ପୁରୀ ଧାମ ଅଭିମୁଖେ ବାହାରିଥିଲେ।
ଯାତ୍ରା ପୂର୍ବରୁ ଜିଲ୍ଲାପାଳ ଶ୍ରୀ ସାହୁ ଯାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ “ମହାପ୍ରଭୁଙ୍କ ଡୋରି ନ ଲାଗିଲେ ବଡ଼ଠାକୁରଙ୍କ ଦର୍ଶନ ସମ୍ଭବ ହୁଏ ନାହିଁ”। ସେ ଯାତ୍ରୀମାନଙ୍କ ଯାତ୍ରା ମଙ୍ଗଳମୟ ହେବା ସହ ତାଙ୍କର ସମସ୍ତ ମନୋକାମନା ପୂରଣ ହେବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ପ୍ରତ୍ୟେକ ଯାତ୍ରୀଙ୍କୁ ସୁବିଧା ପାଇଁ ଏକ କିଟ୍ ଯୋଗାଇ ଦିଆଯାଇଥିଲା। ଯାତ୍ରା ସମୟରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧ ଜଣ ଏସ୍କର୍ଟ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧ ଜଣ ମେଡିକାଲ ଅଧିକାରୀ ଏବଂ ଓଏସଆରଟିସିର ୧ ଜଣ କର୍ମଚାରୀ ଏହି ଯାତ୍ରାରେ ନିୟୋଜିତ ଅଛନ୍ତି।
ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମିଓ କୁମାର ସେଠୀ, ଓଏସଆରଟିସି ମ୍ୟାନେଜର ଚିରଞ୍ଜିବି ବିଶ୍ୱାଳ, ଆସିଷ୍ଟାଣ୍ଡ ମ୍ୟାନେଜର ଦିଲୀପ କୁମାର ଚୌଧୁରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶିନୀବାସୀ ଜାନି, ସହକାରୀ ଜିଲ୍ଲାପାଳ ତାପସ ମହନ୍ତ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।