logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୂଣ୍ୟ ଭୂମି ଆମୁଣି ଗାଁ ରୁ ପ୍ରଜା ବିଦ୍ରୋହର ଶଙ୍ଖନାଦ

ପୂଣ୍ୟଭୂମି‌‌‌‌‌ ଆମୁଣି ଗାଁରୁ,
ପ୍ରଜା ବିଦ୍ରୋହର ଶଙ୍ଖନାଦ।
- ଘନଶ୍ୟାମ ପଲେଇ
ଭାଗ- ୧୧
ମାଛ କାନ୍ଦଣା ଯୋଜନା ପାଇଁ ଟଙ୍କା ଦଶ ହଜାର ଖର୍ଚ୍ଚ ହେବ!... ଏତେ ଗୁଡିଏ ଟଙ୍କା ରାଜକୋଷରୁ ଚାଲିଯିବ। ମହାରାଜା ବ୍ୟତିବ୍ୟସ୍ତ ହେଇ ଉଠିଲା ବେଳେ ବିଚିତ୍ରାନନ୍ଦ ବାବୁ ରାଜାଙ୍କୁ ପରାମର୍ଶ ଦେଲେ- ବନ୍ଧ କାମ ଓ ପାହାଡ କାଟିବା କାମଟା ବେଠିରେ ଚାଲୁ। ଏମିତିରେ ତ ବେଠିରେ ସବୁ ହୁଏ। ହାତୀ ଖେଦା, ମନ୍ଦିର ତୋଳା,ରାସ୍ତା, ପୋଲ, ନାଳ, ପୋଖରୀ ସବୁ କାମ ତ ବେଠିରେ ହୁଏ। ଏଥରକ ବି ସେମିତି ହେବ... ଏଇଟା କୋଉ ବଡ କଥା!
ବିଚିତ୍ରାନନ୍ଦ ବାବୁଙ୍କ କଥା ଶୁଣି ମହାରାଜ ଆଶ୍ୱସ୍ତ ହେଲେ। ତେଣୁ ବେଠିରେ କାର୍ଯ୍ୟ କରାଇବାକୁ ମାହାରାଜା ଆସିଷ୍ଟାଣ୍ଡ ମେନେଜର ବିଚିତ୍ରାନନ୍ଦ ଦାସଙ୍କୁ ଇଞ୍ଜିନିଅର ଓ ନାରାୟଣ ପହିଙ୍କୁ ହେଡ କନେଷ୍ଟବଳ ନିଯୁକ୍ତ କଲେ।
ଧରଣୀଧର ଏକଥା ଜାଣି ପାରିଲେ। ମୂଳରୁ ତାଙ୍କ ଭଳି ଜଣେ ସ୍ୱାଧିନଚେତା ଯୁବକ ବେଠି ବଗାରୀକୁ ଜମାରୁ ପସନ୍ଦ କରୁ ନଥିଲେ। ସେ ଚିନ୍ତା ଚେତନାରେ ସ୍ୱାଧିନ ଥିଲେ। ସେ ଚିନ୍ତା କରୁଥିଲେ ଗଡ ଲୋକେ ଭଲରେ ରହିବେ ବୋଲି କେନ୍ଦୁଝର ରାଇଜର ସବୁ ପ୍ରଜା ତ୍ୟାଗ ସ୍ୱୀକାର କରିବେ କାହିଁକି? ଯେଉଁ ଅଞ୍ଚଳ ସେଥିରେ ଲାଭାନ୍ୱିତ ହେବ ସେ ଅଞ୍ଚଳର ଲୋକେ ବେଠି କରିବା ଉଚିତ୍। ତାହାହଁ ତ ଏଠାକାର ବଣ ରାଇଜର ପରମ୍ପରା। କିନ୍ତୁ ସେ ପ୍ରତିବାଦ କରି ପାରିଲେ ନାହିଁ । ଯେତେ ହେଲେ ସେ ରାଜ କର୍ମଚାରୀ। କିଛି ମୁହଁ ଖୋଲି କହିବା ତାଙ୍କ ପକ୍ଷେ ସମ୍ଭବ ନଥିଲା। କିନ୍ତୁ ଅସନ୍ତୋଷର କଳାଛାଇ ତାଙ୍କ ମୁହଁରେ ସ୍ପଷ୍ଟ ପ୍ରତିଫଳିତ ହେଉଥିଲା।
ଖନନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଡାଙ୍ଗୁଆ ବା ଡାକୁଆ ବେଠି କରିବା ଲୋକର ଘରେ ପୂର୍ବ ଦିନ ସନ୍ଧ୍ୟାରୁ ହିଁ ଠେଙ୍ଗା ନେଇ ତା’ ଦ୍ୱାରରେ ଥୋଇ ଦେଇ ଆସିଲା। ତା’ର ବେଠି ପାଳି କାଲି ପଡିବ ବୋଲି ଘୋଷଣା କରି ଦେଇଗଲା। ତା’ ଆର ଦିନ ଅର୍ଥାତ 1891 ମସିହା ବସନ୍ତ ଋତୁରେ ଏହି ଖନନ କାର୍ଯ୍ୟ ଆରମ୍ଭ ହେଲା। ଭୂୟାଁ ପୀଢର ଘର ପିଛା ଜଣେ ପୁରୁଷ ଓ ସ୍ତ୍ରୀ ଜଣେ କରି ବାହାରିଲେ। ପରମ୍ପରା ଅନୁସାରେ ଗୃହ ମାଲିକମାନେ ଡାଙ୍ଗୁଆ ଥୋଇ ଥିବା ଠେଙ୍ଗାକୁ କାନ୍ଧରେ ପକାଇ ବେଠି ଖଟିବାକୁ ଆଗେ ଆଗେ ଚାଲିଲେ... ତାଙ୍କ ପଛକୁ ମାଇପି ପିଲେ ଚାଲିଲେ।
ପ୍ରଥମ ଦିନ ସେମାନେ ଆସି ଶୁଆକାଠି ମୌଜାର ଠାକୁର ଡିହସ୍ଥ ଆମ୍ବତୋଟା ଓ ନଈକୂଳରେ ଜମା ହେଲେ। ବିଚିତ୍ରାନନ୍ଦଙ୍କ ନିର୍ଦ୍ଦେଶ ମତେ ଠାକୁର ଡିହ ଗ୍ରାମର ଏକ ମାଇଲ ଉପରକୁ ଯେଉଁ ଟାଙ୍ଗରା ମୁଣ୍ଡିଆ ଅଛି, ତା’ରି ଦକ୍ଷିଣ ତରଫରୁ ନାଳ ହୋଇ ଯିବ ବୋଲି ଡେଙ୍ଗୁରା ଦ୍ୱାରା ଘୋଷଣା ହେଲା। ସମସ୍ତେ ଏକା ସଙ୍ଗେ ହରିବୋଲ ଓ ହୁଳହୁଳି ଦେଇ ମହାରା ଖୋଳା ଆରମ୍ଭ କଲେ।

କ୍ରମଶଃ ........
------ *** -------
ଆମୁଣି, ହାଣ୍ଡିଭଙ୍ଗା, କେନ୍ଦୁଝର-31, ମୋ-9437718500

ଉପସ୍ଥାପନା ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍ 9437152936

55
6726 views

Comment