*ଏକ ଦିବସୀୟ ନାଲକୋ ଗ୍ରାମୀଣ କ୍ରୀଡ଼ା ମହୋତ୍ସବ*
ଦାମନଯୋଡି: ନାଲକୋ ଦାମନଯୋଡି ସ୍ପୋର୍ଟ୍ସ ସେଲ ପକ୍ଷରୁ ଦାମନଯୋଡ଼ିର ପାରିପାର୍ଶ୍ଵିକ ଅଞ୍ଚଳର ୧୫ଟି ବିଦ୍ୟାଳୟର ୨୫୦ ଛାତ୍ରଛାତ୍ରୀଙ୍କୁ ନେଇ ସେକ୍ଟର ୩ ସ୍ଥିତ ନେତାଜୀ ଷ୍ଟାଡିୟମ ଠାରେ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି । ସ୍ପୋର୍ଟସ ସେଲ୍ ଅଧିକାରୀ ଅରୁଣ କୁମାର ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ନାଲକୋ ପ୍ରଶାସନିକ ବିଭାଗ ର ମୁଖ୍ୟ ମହାପ୍ରବନ୍ଧକ ସୁଗତୋ ଆନନ୍ଦ ବସୁ ଉଦ୍ଘାଟନ କରି ସମସ୍ତ ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ପ୍ରତିଯୋଗିତାରେ ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେ଼ଇ କନିଷ୍ଠ ଓ ବରିଷ୍ଠ,ବାଳକ,ବାଳିକା ଏପରି ୪ଟି ବିଭାଗରେ ମୋଟ ୨୪ଟି ଖେଳ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରକାର ର ଦୌଡ଼, ଲମ୍ବ ଡିଆଁ, ବାଟି ଚାମଚ,ସଟପୁଟ, ଦଉଡ଼ି ଡିଆଁ ଆଦି ଖେଳରେ ଛାତ୍ରଛାତ୍ରୀ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ । ଉଦ୍ଘାଟନ ସମୟରେ ମହାପ୍ରବନ୍ଧକ କୁନ୍ତଳ ଆନନ୍ଦ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ।ଅପରାହ୍ନରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହିତ ଗାଇଡ଼ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନିଜ ବକ୍ତବ୍ୟରେ ଇଡି ଶ୍ରୀ ମିଶ୍ର ପ୍ରତିଯୋଗିଙ୍କୁ ଉତ୍ସାହିତ କରିବା ସହିତ କ୍ରୀଡ଼ା ମାଧ୍ୟ୍ୟମରେ ଜିଲ୍ଲା, ରାଜ୍ୟ ତଥା ଦେଶର ସୁନାମ ବୃଦ୍ଧି କରିବାକୁ ଉପଦେଶ ଦେଇଥିଲେ । ଏହି ପୁରସ୍କାର ବିତରଣ ଉତ୍ସବରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା,ସ୍ଵରୁପାନନ୍ଦ ମିଶ୍ର,ଦିଲ୍ଲୀପ କୁମାର ବାଗ, ଦୁର୍ଯ୍ୟଧନ ବେହେରା, ମନୋରଞ୍ଜନ ପଣ୍ଡା, ପ୍ରମୁଖ ବରିଷ୍ଠ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ନାଲକୋ ସ୍ପୋର୍ଟ୍ସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସ୍ପୋର୍ଟ୍ସ ସେଲ ସଦସ୍ୟଙ୍କ ସହିତ ଶାରୀରିକ ଶିକ୍ଷାଶିକ୍ଷକ ଡଃ ରମେଶ ଚନ୍ଦ୍ର ସ୍ୱାଇଁ, ଡଃ ନିରୋଦ କୁମାର ପ୍ରଧାନ ଓ ନବକିଶୋର ପଣ୍ଡା ଓ ଖେଳ ପରିଚାଳନା କରିଥିଲେ । ଡିପିଏସ ଶିକ୍ଷକ ଦୀପ୍ତି ପ୍ରକାଶ ପଣ୍ଡା ଖେଳ ଧାରା ବିବରଣୀ ପ୍ରଦାନ କରିଥିଲେ । ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ଵାରା ଶାରୀରିକ ଓ ମାନସିକ ବିକାଶରେ ଉନ୍ନତି ହେବା ସହିତ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଜାଗ୍ରତ ହେବ ବୋଲି ମତ ପ୍ରକାଶ ପାଇଥିଲା । ନାଲକୋ ପକ୍ଷରୁ ଏତାଦୃଶ କାର୍ଯ୍ୟକ୍ରମ ଆୟୋଜନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।