logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଶ୍ଵଶାନ୍ତିରେ ଆଣବିକ ନିରସ୍ତ୍ରୀକରଣ! ବ୍ରହ୍ମେଶ୍ୱର ସାହୁ ଙ୍କ ବିଶେଷ ଆଲେଖ୍ୟ।

ବିଶ୍ଵଶାନ୍ତିରେ ଆଣବିକ ନିରସ୍ତ୍ରୀକରଣ!
💐💐💐💐💐
୧୯୪୫ ମସିହା ଅଗଷ୍ଟ ୬ ଓ ୯ ତାରିଖଦ୍ବୟ ପୃଥିବୀବାସୀଙ୍କ ପାଇଁ ସବୁଠାରୁ ଦୁଃଖଦ ଦିନ ଥିଲା।
ଏହି ଦୁଇଦିନ କ୍ରମାଗତ ଭାବରେ ଜାପାନର ହିରୋସୀମା ଓ ନାଗାସାକୀ ସହର ଉପରେ ଆଣବିକ ବୋମା ବିସ୍ଫୋରଣ ଫଳରେ ଲକ୍ଷଲକ୍ଷ ଲୋକଙ୍କର ଅତି ବିଭତ୍ସ ମୃତ୍ୟୁ ଘଟିଥିଲା। ସେହିଦିନ ପରଠାରୁ ଅଦ୍ୟାବଧି ବିସ୍ଫୋରଣ ଯୋଗୁଁ ଘଟିଥିବା ତେଜସ୍କ୍ରିୟ ବିଷାକ୍ତ ରଶ୍ମୀର କୁପ୍ରଭାବ ବଂଶାନୁଗତ ଭାବରେ ସେ ସହରର ଲୋକଙ୍କୁ ପଙ୍ଗୁ କରି ଚାଲିଛି।
ପ୍ରଥମ ବିଶ୍ବଯୁଦ୍ଧ ପରେ ପରେ ବିଶ୍ୱର ବିଭିନ୍ନ ନେତା, ରାଜନେତା, ଶାସକ, ପ୍ରଶାସକ ୧୯୨୦ ରେ ପ୍ରଥମଥର ପାଇଁ ନିରସ୍ତ୍ରୀକରଣ ବିଷୟରେ ଚିନ୍ତାପ୍ରକଟ କରିଥିଲେ ମିଳିତ ଭାବରେ ପ୍ୟାରିସ ଠାରେ, ଯାହାକି ଫଳପ୍ରଦ ନ ଥିଲା ବୋଲି ପ୍ରମାଣ ହୁଏ ଦ୍ଵିତୀୟ ବିଶ୍ବଯୁଦ୍ଧ ସମୟରେ। ଏବେ ମଧ୍ୟ ବିଶ୍ଵଶାନ୍ତି ପାଇଁ ନିରସ୍ତ୍ରୀକରଣ ଏକାନ୍ତ କାମ୍ୟ ଏବଂ ତାହା ହିଁ ଆଜିର ଆଲୋଚନାର ବିଷୟବସ୍ତୁ, "ବିଶ୍ଵଶାନ୍ତିରେ ଆଣବିକ ନିରସ୍ତ୍ରୀକରଣ" ।
ବିଶିଷ୍ଟ ଗବେଷକ ବର୍ଟାଣ୍ଡ ରସେଲ୍ ଥରେ କହିଥିଲେ - LOVE AND WAR CAN CONQUER THE WORLD. ଅତେବ ଯୁଦ୍ଧ ଅବଶ୍ୟମ୍ଭାବୀ। ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଏକଥା ଦୃଢ଼ କଣ୍ଠରେ ଉଦ୍ଘୋଷ କରିଛନ୍ତି କି- ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ8 .......ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।
ବଣରେ ବୁଲୁଥିବା ବଣମଣିଷ ନିଜର ମୌଳିକ ଆବଶ୍ୟକତା ଖାଦ୍ୟ, ପେୟ ଓ ବାସଗୃହ ପାଇଁ ଲଢ଼ୁଥିଲା କେତେବେଳେ ନିଜ ସହିତ ତ କେତେବେଳେ ପ୍ରକୃତି ସହିତ।
ନିଜକୁ ସୁରକ୍ଷିତ ରଖିବା ପାଇଁ ଗଠନ କରେ ପରିବାର, ପରିବାରରୁ ଗୋଷ୍ଠୀ, ଗୋଷ୍ଠୀରୁ ବୃହତ୍ତର ସମାଜ, ସମାଜରୁ ଦେଶ ଗଠନ। ଅତଏବ ଏହି ପରିପ୍ରେକ୍ଷୀରେ କେତେବେଳେ ଜଳ ପାଇଁ, ଜମି ପାଇଁ, ଜଙ୍ଗଲ ପାଇଁ, ଜୀବନ ଓ ଜୀବିକା ପାଇଁ, ତ କେତେବେଳେ ବର୍ଷା ଓ ବାଦଲ ପାଇଁ, ତ କେତେେବେଳେ ନାରୀ (ରାମାୟଣ ଯୁଦ୍ଧ ଓ ମହାଭାରତ ଯୁଦ୍ଧ) ଓ ପୁରୁଷ ପାଇଁ ଯୁଦ୍ଧ ଲାଗି ରହିଛି କେଉଁ ଆବହମାନ କାଳରୁ।
ତେବେ ପ୍ରଥମ ବିଶ୍ଵଯୁଦ୍ଧ ଠାରୁ ଦ୍ଵିତୀୟ ବିଶ୍ବଯୁଦ୍ଧ ଏଥିପାଇଁ ଭୟଙ୍କର ଥିଲା କି, ପ୍ରଥମ ବିଶ୍ଵଯୁଦ୍ଧରେ ଗୁଳିଗୋଳା, ବୋମା ମାଡ଼ ହୋଇଥିଲେ ହେଁ ଦ୍ଵିତୀୟ ବିଶ୍ବ ଯୁଦ୍ଧପରି ଆଣବିକ ବୋମା ବିସ୍ଫୋରଣ ଘଟି ନ ଥିଲା।
ବର୍ତ୍ତମାନ ଯେତିକି ପରିମାଣରେ ଆଣବିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ ଅଛି ତାହା ପୃଥିବୀକୁ ୧୦୦ ଥର ଧ୍ବଂସ କରିବା ପାଇଁ ଯଥେଷ୍ଟ। ଏହି ପରିପ୍ରେକ୍ଷୀରେ ଭବିଷ୍ୟବକ୍ତା ଓ ସମାଜଶାସ୍ତ୍ରୀଙ୍କ ଭବିଷ୍ୟବାଣୀ - ଜଳ ପାଇଁ ଯୁଦ୍ଧ, ଚିନ୍ତାର କାରଣ ସାଜିଛି। ଅତୀତରେ ସୁଏଜ୍ କେନାଲ ପାଇଁ କେତେ ବଡ ବଡ ଯୁଦ୍ଧ ନ ହୋଇଛି, ଇତିହାସ ତାର ସାକ୍ଷୀ। ଏବେ ତ ମହାସାଗରର ସୀମାସରହଦକୁ ନେଇ ଚୀନ୍ ଏବଂ ଆମେରିକା ମଧ୍ୟରେ କାଦୁଅ ଫୋପଡ଼ା ଚାଲିଛି।
ତେଲ ପାଇଁ ତ ଅଦ୍ୟାବଧି ଯୁଦ୍ଧ ସରିନାହିଁ। ସାମ୍ପ୍ରତିକ ସମାଜରେ ଜାତିଆଣଭାବ, ବେକାରୀ, ଦାରିଦ୍ର୍ୟ, କ୍ଷୁଧା, ସୀମାରେଖା, ଅନୁପ୍ରବେଶ, ସନ୍ତ୍ରାସବାଦ ପରି ସାମାଜିକ, ଅର୍ଥନୈତିକ ଓ ଭୌଗଳିକ କାରଣଗୁଡିକ ଯୁଦ୍ଧକୁ ପ୍ରୋତ୍ସାହନ ଯୋଗାଇ ଥାଏ।
ଆଜିର ଯୁଦ୍ଧ ଆଉ ସାହି ସାହିର ହାଣକାଟ ମଧ୍ୟରେ ସିମୀତ ନୁହେଁ। ଆନ୍ତର୍ଜାତିକ ସ୍ତରରେ ନିରସ୍ତ୍ରୀକରଣର ଦ୍ୱାହୀ ଦେଇ ଗୋଟାଏ ଦେଶକୁ ଶ୍ମଶାନରେ ପରିଣତ କରିବାଟା ପାରିଲା ପାଣିଆ କି ଅଣପୁରୁଷର ଗଡ଼ଜୟ ତାହା ଏବେ ବୁଦ୍ଧିଜୀବୀମାନଙ୍କୁ ହତଚକିତ କରିଛି।
ଇରାକ - ଇରାନ, ଭାରତ - ଚୀନ୍, ଭାରତ - ପାକିସ୍ଥାନ, ପାକିସ୍ଥାନ - ବାଂଲାଦେଶ, ପାକିସ୍ଥାନ - ଆଫଗାନୀସ୍ଥାନ, ଋ଼ଷ - ୟୁକ୍ରେନ ତଥା କେତେକ ଗଲ୍ଫ ଦେଶ ଏବଂ ଆଫ୍ରିକୀୟ କ୍ଷୁଦ୍ର ରାଜ୍ୟଗୁଡ଼ିକ ବର୍ଷତମାମ ଯୁଦ୍ଧରେ ଲିପ୍ତରହି ନିଜର ସାମାଜିକ ଓ ଅର୍ଥନୈତିକ ଅବରୋଧକୁ ବୃଦ୍ଧି କରି ନାହାନ୍ତି, ନିଜ ଦେଶର ଅଗଣିତ ନିରୀହ ଓ ସରଳ ଜନତାଙ୍କୁ ଦୁଃଖ ଓ ଦାରିଦ୍ର୍ୟର ଲେଲିହାନ ଶିଖାରେ ସିଝି ମାରିବାର ବାଟ ପରିଷ୍କାର କରି ଦେଇଛନ୍ତି। କାଲି ପୁଣି ଯେତେବେଳେ ଭାରତ ଓ ପାକିସ୍ଥାନ ମଧ୍ୟରେ ଯୁଦ୍ଧହେବ, ସେତେବେଳେ ଭାତର ଆକାଶରେ ପାକିସ୍ଥାନର ଯେଉଁ ଯୁଦ୍ଧଜାହାଜ ପଇଁତରା ମାରୁଥିବ ଓ ପାକିସ୍ଥାନର ଆକାଶରେ ଭାରତର ଯେଉଁ ଯୁଦ୍ଧବିମାନ ପଇଁତରା ମାରୁଥିବ , ସେ ସବୁ ଯେ ଆମେରିକାର କେଉଁ ଯୁଦ୍ଧାସ୍ତ୍ର କମ୍ପାନୀର ହୋଇଥିବ ବୋଲି ଏ କଥା ଏବେ ଠୁଁ ଅନେକ ବୁଦ୍ଧିଜୀବୀମାନେ ସତର୍କ କରି ସାରିଲେଣି।
କିନ୍ତୁ କିଏ ବୁଝେଇବ ଏ ନେତା, ରାଜନେତା, ଶାସକ, ପ୍ରଶାସକମାନଙ୍କୁ ଯେଉଁମାନେ କି କେବଳ କହୁଛନ୍ତି - ଯୁଦ୍ଧମ୍ ଦେହି। ଯୁଦ୍ଧାସ୍ତ୍ର ନିର୍ମାଣ ଏତେ ସହଜ ଓ ସରଳ କଥା ନୁହେଁ। ଏହା ଏକ ଜଟିଳ, ବ୍ୟୟବହୁଳ ଓ ବିପଦଜନକ ପ୍ରକ୍ରିୟା ଅଟେ। ୧୯୮୦ ମସିହାରେ ୩୮୦୪ଟି ଆଣବିକ ଦୁର୍ଘଟଣା କେବଳ US. NUCLEAR ENERGY ESTABLISHMENT ରେ ଘଟିଛି। ଏହା ସ୍ୱୀକାର କରିଛି US NUCLEAR REGULATORY COMMISSION. ପୃଥିବୀର ବିଭିନ୍ନ ପ୍ରାନ୍ତରେ ଘଟୁଥିବା ଆଣବିକ ଦୁର୍ଘଟଣା ମାନବ ସମାଜର ଅଜସ୍ର କ୍ଷତି ସାଧନ କରୁଛି। ବ୍ରିଟେନ, USA, କାନଡା, ଋ଼ଷ, ଫ୍ରାନ୍ସ୍, ଜର୍ମାନୀ, ଭାରତ, ପାକିସ୍ଥାନ ଓ ଚୀନ୍ ଦେଶର ଆଣବିକ ପରୀକ୍ଷା କେନ୍ଦ୍ରରେ ଘଟୁଥିବା ଦୁର୍ଘଟଣାଗୁଡ଼ିକ ମର୍ମନ୍ତୁଦ ଇତିହାସର ସାକ୍ଷୀ ଅଟନ୍ତି।
କେବଳ ସେତିକି ନୁହେଁ ପରୀକ୍ଷଣ ପରେ ତେଜସ୍କ୍ରିୟ ବିଷାକ୍ତ ବର୍ଜ୍ୟବସ୍ତୁକୁ ଅଣୁଶକ୍ତିସମ୍ପର୍ଣ୍ଣ ରାଷ୍ଟ୍ରଗୁଡ଼ିକ ଅନ୍ୟାନ୍ୟ ଅବିକଶିତ ଦେଶରେ ମାଟିରେ ଗବେଷଣା ସାହାଯ୍ୟ ନାମରେ କୁଢ଼କୁଢ଼ କରି ଜମା କରୁଛନ୍ତି। ସୂଚନାଯୋଗ୍ୟ କି ଉପରୋକ୍ତ ଘଟଣା ଆଧାରିତ ଏକ ହରତାଳ ଓ ଆନ୍ଦୋଳନ ଦକ୍ଷିଣ ଭାରତରେ ଦେଖାଦେଇ ଥିଲା ନିକଟ ଅତୀତରେ। ଆଣବିକ ପରୀକ୍ଷଣ ପରବର୍ତ୍ତୀ ବର୍ଜ୍ୟବସ୍ତୁର ବିଷାକ୍ତ ବଳୟ ବହୁଦୂରବ୍ୟାପୀ ଓ ବହୁକାଳବ୍ୟାପୀ ଅଟେ। ଉଭୟ ଆଣବିକ ପରୀକ୍ଷଣ ଓ ବିସ୍ଫୋରଣ ସ୍ୱାସ୍ଥ୍ୟ, କୃଷି, ପାଣିପାଗ, ଜଳବାୟୁ ଓ ପରିବେଶ ଉପରେ ସାଙ୍ଘାତିକ ଓ ଧ୍ଵଂସକାରୀ ପ୍ରଭାବ ପକାଇ ଥାଏ। ଅତଏବ ଏଭଳି ବ୍ୟୟବହୁଳ ଓ ବିଧ୍ୱଂସୀ ଗବେଷଣା ସର୍ବାଦୌ ବର୍ଜନୀୟ ଅଟେ। ଆଣବିକ ଗବେଷଣା ଯେଉଁ ପରିମାଣରେ ବିଶ୍ୱରେ ବୃଦ୍ଧି ଘଟୁଛି ସେହି ଖର୍ଚ୍ଚରେ ୧୮୦ ଲକ୍ଷ ଲୋକଙ୍କ ପାଇଁ ବାସଗୃହ ନିର୍ମାଣ କରାଯାଇ ପାରନ୍ତା ବା ୫୦ ଲକ୍ଷ ଶଯ୍ୟା ବିଶିଷ୍ଟ ୪୫ ହଜାର ଡାକ୍ତରଖାନା ହୋଇ ପାରନ୍ତା।
ପରମାଣୁ ନିରସ୍ତ୍ରିକରଣର ପ୍ରଧାନ ଶତ୍ରୁ ହେଉଛି ମେଣ୍ଟ। ଅତୀତରେ NATO(NORTH ATLANTIC TREATY ORGANISATION ) , SEATO( SOUTH EAST ATLANTIC TREATY ORGANISATION) ପରି ମେଣ୍ଟମାନେ ଯୁଦ୍ଧମ୍ ଦେହି ଡାକରାରେ ପୃଥିବୀବାସୀଙ୍କୁ ଅନେକଥର ଭୟଭୀତ କରିଛନ୍ତି ଏବଂ ଯୁଦ୍ଧାସ୍ତ୍ର ନିର୍ମାଣକୁ ପ୍ରୋତ୍ସାହନ ଦେଇ ଆସିଛନ୍ତି।
ନିରସ୍ତ୍ରୀକରଣ ପାଇଁ ଜାତିସଂଘ ଯେ ପଦକ୍ଷେପ ନେଇନାହିଁ ତାହା ନୁହଁ, କିନ୍ତୁ ସଫଳ ହୋଇ ପାରିନାହିଁ। ୧୯୫୮ ରେ ବିଶ୍ଵ ନିରସ୍ତ୍ରୀକରଣ ସମ୍ମିଳନୀରେ ଆଣବିକ ଅସ୍ତ୍ର ନିର୍ମାଣ ଉପରେ ନିଷେଧାଦେଶ ଜାରି ହୋଇଥିଲେ ହେଁ ତାହା ଫଳହୀନ ହୋଇଥିଲା। ୧୯୬୨ ର ବିଶ୍ବ ନିରସ୍ତ୍ରୀକରଣ ଜେନେଭା ସମ୍ମିଳନୀର ପ୍ରୟାସ ମଧ୍ୟ ପରବର୍ତ୍ତୀ ସମୟରେ ନିଷ୍ଫଳ ହୋଇଥିଲା। ବିଶ୍ଵ ନିରସ୍ତ୍ରୀକରଣ ନିମନ୍ତେ ଅନେକ ଚୁକ୍ତି, ରାଜିନାମା ଓ ସମ୍ମିଳନୀ ଆୟୋଜିତ ହେଉଛି ଓ ହେବ ମଧ୍ୟ, କିନ୍ତୁ ଆନ୍ତରିକତାର ଅଭାବ କାରଣରୁ ପ୍ରୟୋଗ ଫଳାଫଳ ଶୂନ୍ୟ।
ଅତୀତରେ CTBT (COMPREHENSIVE TEST BAN TREATY) ବା ବ୍ୟାପକ ପରମାଣୁ ଅସ୍ତ୍ର ନିରସ୍ତ୍ରୀକରଣ ଚୁକ୍ତି ସ୍ବାକ୍ଷର ନେଇ ଅନେକ ବାକବିତଣ୍ଡା ହୋଇ ଯାଇଛି, ଏବେ ମଧ୍ୟ ଚାଲିଛି। ପୁନଶ୍ଚ NPT (NON PROLIFERATION TREATY) ବା ଆଣବିକ ଅଣୁ ପ୍ରସାର ଚୁକ୍ତି ସ୍ବାକ୍ଷର ନେଇ ବିଶ୍ବ ନେତୃବୃନ୍ଦ ଏକମତ ହୋଇ ପାରି ନାହାଁନ୍ତି। ବିଶ୍ଵସ୍ତରୀୟ ଚୁକ୍ତିଗୁଡ଼ିକରେ ସ୍ବାକ୍ଷର ସମୟରେ ଘଟୁଥିବା ମତପାର୍ଥକ୍ୟ ପରବର୍ତ୍ତୀ ସମୟରେ ଏଗୁଡ଼ିକୁ ଦୁର୍ବଳ କରି ଦେଉଛି। ଏବଂ ତଥାକଥିତ ବଡ଼ଭାଇ ଓ ଦାଦାଗିରି କରୁଥିବା ବିକଶିତ ଅଣୁସମ୍ପର୍ଣ୍ଣ ରାଷ୍ଟ୍ରସମେତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଅଣୁଶକ୍ତିସଂପର୍ଣ୍ଣ ରାଷ୍ଟ୍ରମାନ୍ୟତା ପାଇବା ଦୌଡରେ ସାମିଲ ହେବା ପ୍ରଲୋଭନରେ ଲୁଚିଛପି ଆଣବିକ ପରୀକ୍ଷଣ ଚାଲୁ ରଖିଛନ୍ତି। ଏହା ହିଁ ତ ଦୁଃଖର ବିଷୟ।
ସାମ୍ପ୍ରତିକ ସମାଜରେ ଅନେକ ସମସ୍ୟା ଯେମିତି କି, ରୋଗ, ଭୋକ, ଶୋଷ, ଦାରିଦ୍ର୍ୟ, ଶୋଷଣ, ଅଶିକ୍ଷା, କୁସଂସ୍କାର, ଗ୍ଲୋବାଲ ୱର୍ମିଂ ବା ବିଶ୍ବତାପମାନ, ଜଳବାୟୁ ପରିବର୍ତ୍ତନ, କୃଷି ଉତ୍ପାଦନ ହ୍ରାସ, ପ୍ରାକୃତିକ ବା ଦୈବ ଦୁର୍ବିପାକ ଇତ୍ୟାଦି ମଣିଷକୁ ଏବେ ବି ଖିନଭିନ କରି ଚାଲିଥିବା ବେଳେ ରାଜନେତାଙ୍କ ଇଙ୍ଗିତରେ ବୈଜ୍ଞାନିକମାନଙ୍କୁ ଆଣବିକ ଗବେଷଣାରେ ଲିପ୍ତ ରଖିବା ଯୁକ୍ତିଯୁକ୍ତ କି?
ଅତଃ ବିଶ୍ଵଶାନ୍ତି ନିମନ୍ତେ ନିରସ୍ତ୍ରୀକରଣ ଏକାନ୍ତ କାମ୍ୟ ନୁହେଁ କି? ମିଳିତ ଜାତିସଂଘର ବଡ଼ପଣ୍ଡାଙ୍କ ପାତର ଅନ୍ତର ନୀତି ନିୟମ ହିଁ ବିଶ୍ବ ନିରସ୍ତ୍ରୀକରଣ ସଫଳ ହେବାରେ ମୁଖ୍ୟ ପ୍ରତିବନ୍ଧକ। ଏଥିପାଇଁ ବିଶ୍ୱର ସମସ୍ତ ରାଷ୍ଟ୍ର ଆନ୍ତରିକତା ସହିତ UNO ( UNITED NATIONS ORGANISATION) ର ଆନ୍ତର୍ଜାତିକ ଅସ୍ତ୍ରଶସ୍ତ୍ର ଅନୁସନ୍ଧାନ ସଂସ୍ଥାର ସଦବିନିଯୋଗ କରିବା ଉଚିତ୍। ଏହି ପରିପ୍ରେକ୍ଷୀରେ ୧୯୫୪ ଠାରୁ ଅଦ୍ୟାବଧି ଭାରତ ଗୋଷ୍ଠିନିରପେକ୍ଷ ରାଷ୍ଟ୍ରସମ୍ମିଳନୀ ମାଧ୍ୟମରେ ନିରସ୍ତ୍ରୀକରଣ ଓ ବିଶ୍ୱଶାନ୍ତି ପାଇଁ ସମଗ୍ର ବିଶ୍ୱରେ ପ୍ରଭାବଶାଳୀ ଓ ପ୍ରଶଂସନୀୟ କାର୍ଯ୍ୟ କରି ଆସିଛି।
ଶୀତଳ ଯୁଦ୍ଧର ଘନଘଟା, ପ୍ରତିରକ୍ଷା ଜନିତ ଅଜସ୍ରବ୍ୟୟ, ସାମରିକ ମେଣ୍ଟ, ଗୁପ୍ତ ପରୀକ୍ଷଣ ଇତ୍ୟାଦି ସାମ୍ପ୍ରତିକ ମାନବଜାତି ପ୍ରତି ବିପଦର କାରଣ ହୋଇଛି। ମାନବଜାତିର ପ୍ରଧାନ ଶତ୍ରୁ ହେଉଛି ମାରଣାସ୍ତ୍ର ଉତ୍ପାଦନ। ଆଜିର ଆଣବିକ ଯୁଗରେ ସମଗ୍ର ବିଶ୍ଵ ଶଙ୍କାକୁଳ। ସମଗ୍ର ମାନବ ଜାତି ସତେ ଯେପରି ବାରୁଦ ସ୍ତୁପ ଉପରେ ଦଣ୍ଡାୟମାନ। କେଉଁ ମୁହୂର୍ତ୍ତରେ ଏଥିରେ ସ୍ଫୁଲିଙ୍ଗର ସ୍ଫୁରଣ ଘଟିବ କିଏ କହିବ? ମଣିଷ କଣ ଚାହେଁ ଧ୍ବଂସ? କେହି କଣ ଚାହେଁ ଯୁଗଯୁଗର ମାନବ ସଭ୍ୟତା ଏ ପୃଥିବୀ ପୃଷ୍ଠରୁ ଲୋପ ପାଇଯାଉ? କେଉଁଟି ଆମର କରଣୀୟ? ଯୁଦ୍ଧ ନା ଶାନ୍ତି? ପ୍ରତ୍ୟେକ ଚାହାନ୍ତି ଶାନ୍ତି। ଯୁଦ୍ଧକୁ ସମସ୍ତେ ପରିତ୍ୟାଗ କରିବା ଉଚିତ୍। ତେଣୁ ନିରସ୍ତ୍ରୀକରଣ ଆଜି ବିଶ୍ୱବାସୀଙ୍କ ନିମନ୍ତେ ବରଦାନ ସଦୃଶ। ଅଗ୍ରଗତି ପଥରେ ପୃଥିବୀକୁ ନେବାକୁ ହେଲେ ନିରସ୍ତ୍ରୀକରଣ ବ୍ୟତୀତ ଅନ୍ୟ ଉପାୟ ନାହିଁ। ସଂପୂର୍ଣ୍ଣ ନିରସ୍ତ୍ରୀକରଣ ହିଁ ବିଶ୍ଵଶାନ୍ତି ଆଣିବାରେ ସହାୟକ ହେବ ଏଥିରେ ତିଳେ ମାତ୍ର ସଂଦେହ ନାହିଁ।
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।
( ସୂଚନା ଯୋଗ୍ୟ କି ମୋର ସ୍ବରଚିତ ଏହି ଆଲେଖ୍ୟ ଆକାଶବାଣୀ, କେନ୍ଦୁଝର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମରେ ଆଗରୁ ପ୍ରସାରିତ ହୋଇସାରିଛି। ତେବେ ବର୍ତ୍ତମାନ କେତେକ ସ୍ଥଳରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି।)
🙏🙏🙏🙏🙏
@ବ୍ରହ୍ମେଶ୍ୱର ସାହୁ, କେନ୍ଦୁଝର, ମୋବାଇଲ: 94385 32068

39
2204 views

Comment