ଦାମନଯୋଡ଼ିରେ ଦୋଳପୂର୍ଣ୍ଣିମା ଓ ହୋଲି
ଦାମନଯୋଡ଼ି,୦୪/୦୩: ମଙ୍ଗଳବାର ପବିତ୍ର ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପାଇଁ ବିଭିନ୍ନ ମନ୍ଦିରରେ ସୂର୍ଯ୍ୟୋଦୟ ପୂର୍ବରୁ ଓ ସନ୍ଧ୍ୟାରେ ଗ୍ରହଣ ଛାଡ଼ିବା ପରେ ନୀତିକାନ୍ତି ହୋଇଥିଲା।ସେକ୍ଟର ୧ ଶ୍ରୀଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ଠାରେ ନୂତନ ପଞ୍ଜିକା ପାଠ କରାଯାଇଥିଲା।ଝୁଲଣ ମଣ୍ଡପରେ ଶ୍ରୀରାଧାକୃଷ୍ଣ ଦୋଳି ଖେଳିଥିଲେ।ମହାପ୍ରଭୁଙ୍କୁ ଚଣା ଓ ଶାକର ଭୋଗଲାଗି କରାଯିବା ସହିତ ରଙ୍ଗ ଅବିର ଅର୍ପଣ କରାଯାଇଥିଲା।ମାଥାଲପୁଟ ଶ୍ରୀରାଧାକୃଷ୍ଣଙ୍କ ମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥିଲା।ବୁଧବାର ଦିନ ସୁସମ୍ପର୍କ,ଭାଇଚାରା,ବନ୍ଧୁତ୍ୱ ଆଦିକୁ ବହନ କରୁଥିବା ରଙ୍ଗର ପର୍ବ ହୋଲିକୁ ଦାମନଯୋଡ଼ି ବାସୀ ହର୍ଷ ଉଲ୍ଲାସର ସହିତ ପାଳନ କରିଛନ୍ତି।ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା,ଯୁବକ ଯୁବତୀ,ବୟସ୍କ ସମସ୍ତେ ହୋଲି ଖେଳି ଖୁବ୍ ମଜା ନେଇଥିଲେ।ପରସ୍ପରକୁ ରଙ୍ଗ ଲଗାଇ ମିଠା ଖୁଆଇ ଅଭିବାଦନ ଜଣାଇଥିଲେ।ମାଥାଲପୁଟ ଶ୍ରୀରାଧାକୃଷ୍ଣଙ୍କ ମନ୍ଦିର ପ୍ରାଙ୍ଗଣରେ ପିଲାମାନେ ପାରମ୍ପରିକ ଦହିହାଣ୍ଡି ଭଙ୍ଗା ନୀତି ପାଳନ କରିଥିଲେ।ନାଲକୋ ଟାଉନସିପ ସେକ୍ଟର ୩ରେ ରହୁଥିବା ନାଲକୋର ବରିଷ୍ଠ ଅଧିକାରୀଙ୍କ କ୍ୱାର୍ଟରରେ ହୋଲି ପାଇଁ ସ୍ଵତନ୍ତ୍ର ଆୟୋଜନ ହୋଇଥିଲା।ସକାଳୁ ପ୍ରାୟ ଦ୍ୱିପ୍ରହର ପର୍ଯ୍ୟନ୍ତ ସମଗ୍ର ଦାମନଯୋଡ଼ି ତଥା ଆଖପାଖ ଅଞ୍ଚଳରେ ରଙ୍ଗର ମାହୋଲ ଥିଲେ ସୁଧା କୌଣସି ଅପ୍ରିତୀକର ଘଟଣା ଦୃଷ୍ଟି ଗୋଚର ହୋଇନଥିଲା।ତେବେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଦାମନଯୋଡ଼ି ପୁଲିସ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଥିଲା।