logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୂଣ୍ୟଭୂମି ଆମୁଣି ଗାଁ ରୁ ପ୍ରଜା ବିଦ୍ରୋହର ଶଙ୍ଖନାଦ

ପୂଣ୍ୟଭୂମି‌‌‌‌‌ ଆମୁଣି ଗାଁରୁ,
ପ୍ରଜା ବିଦ୍ରୋହର ଶଙ୍ଖନାଦ।

ଲେଖକ- ଘନଶ୍ୟାମ ପଲେଇ

*ଭାଗ- ୧୦*
ଆନନ୍ଦପୁରର ମେନେଜର ବାବୁ ଫକୀର ମୋହନ ଥରେ କେନ୍ଦୁଝରର ସଦର ମହକୁମାରେ ଥିବା ମାଛ କାନ୍ଦଣା ଜୋର ଜାଗା ଆଡକୁ କୌଣସି କାର୍ଯ୍ୟ ଉପଲକ୍ଷେ ଯାଇଥିଲେ। ତା’ର କାଚକେନ୍ଦୁ ପରି ପାଣି ଦେଖି ଝରଣା ପାଖକୁ ଗଲେ। ମୁହଁରେ ଟିକିଏ ପାଣି ସିଞ୍ଚିଲେ... ପାଣି ଚୁଳେ ନେଇ ପାଟିରେ ଦେଲେ। ଆହାଃ କେଡେ ସୁନ୍ଦର... ସୁଶୀତଳ, ମିଠା ପାଣି। ମନେ ମନେ କେନ୍ଦୁଝର ଗଡର ଉନ୍ନତିରେ ତା’ର ଜଳରାଶି କୁ ବ୍ୟବହାର କରିବାକୁ ଗୋଟିଏ ଉପାୟ ଚିନ୍ତା କଲେ।
ମାଛ କାନ୍ଦଣା ଗୋଟିଏ ସରୁ ବନ୍ୟ ଝରଣା। ତା’ର ଜଳରାଶି ରାଜବାଟିର ଉତ୍ତର ଦିଗରେ ଯୋଡିଆ ପାହାଡରୁ ବାହାରି ପଶ୍ଚିମକୁ ବହି ଯାଉଥିଲା। ସେଠାରୁ ପବିତ୍ର ବୈତରଣୀ ସହ ମିଶି ଆଗକୁ ଆଗକୁ ବଢୁଥିଲା।
ଯଦି ଝରଟିକୁ ବନ୍ଧ କରାଯାଇ ପାଣି ଧାରଟିକୁ ରାଜବାଟିର ଉତ୍ତର ଦିଗରେ ଥିବା ଦୁଇ ପାହାଡ ଶ୍ରେଣୀ ମଝିରେ ସହର ଭିତରକୁ ଅଣାଯାଇ ପାରନ୍ତା, ତାହାଲେ ସହରବାସୀଙ୍କ ଅନେକ ଉପକାର ହୁଅନ୍ତା। ଗ୍ରୀଷ୍ମଦିନେ ଜଳକଷ୍ଟ ହୁଅନ୍ତା ନାହିଁ। ତା’ଛଡା ଝର ଜଳ ସ୍ୱାସ୍ଥ୍ୟପାଇଁ ହିତକର ହେବା ସଙ୍ଗେ ସଙ୍ଗେ ସହରର ଅନତି ଦୂରରେ ଥିବା ଚାଷଜମିରେ କାମରେ ଲାଗି ପାରନ୍ତା। ଏକଥା ଯାଇ ମହାରାଜା ଧନୁର୍ଜୟ ନାରାୟଣ ଭଞ୍ଜଙ୍କୁ ଜଣାଇଲେ। ଫକୀର ମୋହନଙ୍କ ଏହି ପ୍ରସ୍ତାବ ଗ୍ରହଣ ଯୋଗ୍ୟ ଥିଲା। ତେଣୁ ମହାରାଜା ଚିନ୍ତାକଲେ ସତରେ ତ... ଯଦି ସେହି ଝର ଉପରେ ଏକ ମାହାରା ବା ବନ୍ଧ ନିର୍ମାଣ କରାଯାଇ ପାରିବ, ତେବେ ତାହା ଏକ ବିରାଟ ହ୍ରଦରେ ପରିଣତ ହେବ। ମରୁଡି, ଅକାଳ ପାଇଁ ଜଳ ଗଛିତ ରହିପାରନ୍ତା। ସେଥିରେ କବାଟ ଲଗାଇ ଜଳ ନିୟନ୍ତ୍ରଣ କରିପାରିଲେ କୌଣସି କାମରେ ଆସି ପାରୁ ନଥିବା ସେହି ଜଳକୁ ଇଛା ମୁତାବକ ବିନିଯୋଗ ହେଇପାରନ୍ତା। ଆବଶ୍ୟକତା ଅନୁଯାୟୀ ଗ୍ରାମବାସୀମାନେ ଜଳସେଚନ ସମେତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିପାରନ୍ତେ। ଏହି ଜଳ ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ବିଶେଷ ଭାବେ ଗଡବାସୀ ସବୁମନ୍ତେ ଉପକୃତ ହୁଅନ୍ତେ। ମହାରାଜାଙ୍କର ଏହା ଆଉ ଏକ କୀର୍ତ୍ତି ଭାବରେ ଗଣ୍ୟ ହୁଅନ୍ତା। ଏହା ଥିଲା ବାସ୍ତବ ପକ୍ଷେ ଏକ ସୁପରିକଳ୍ପିତ ଯୋଜନା।
ତେଣୁ ଆଉ କାଳ ବିଳମ୍ବ ନ କରି ଜଳ ଯୋଜନା ପ୍ରସ୍ତୁତ କରିବାକୁ ମହାରାଜା ସବ ଓଭରସିଅର ଧରଣୀଧର ବାବୁଙ୍କୁ ଆଦେଶ ଦେଲେ। ସେ ମାଛ କାନ୍ଦଣା ଯୋଜନାର ଏକ ନକ୍ସା ପ୍ରସ୍ତୁତ କରି ମହାରାଜାଙ୍କ ନିକଟରେ ଆଗତ କଲେ। ତାହା ଖୁବ ଶୀଘ୍ର ଅନୁମୋଦିତ ମଧ୍ୟ ହେଲା।
ବାବୁ ଫକୀର ମୋହନ ସେନାପତି ଯିଏ କି ଆନନ୍ଦପୁର ଉପଖଣ୍ଡ (ସବଡିଭିଜନ୍)ର ଭାରପ୍ରାପ୍ତ କର୍ମଚାରୀ(ମେନେଜର) ଥିଲେ। ତାଙ୍କୁ ପୁଣି ଡକାଇଲେ। ସେ ମାଛ କାନ୍ଦଣା ଯୋଜନା(ପ୍ରଜେକ୍ଟ) ଅଞ୍ଚଳର ଭଲ କି ତନଖି କଲେ। ଟିକିନିଖି ତଦାରଖ ପରେ ଏକ ରିପୋଟ ପ୍ରସ୍ତୁତ କରି ମହାରାଜାଙ୍କୁ ଦେଲେ। ସେଥିରେ ସେ ମତ ପ୍ରକାଶ କଲେ ଯେ- ଏହା କାର୍ଯ୍ୟକାରୀ କରିବାକୁ ହେଲେ ଦଶ ହଜାର ଟଙ୍କା ବ୍ୟୟ ଆବଶ୍ୟକ ପଡିବ।

କ୍ରମଶଃ ...........
------ *** -------
ଆମୁଣି, ହାଣ୍ଡିଭଙ୍ଗା, କେନ୍ଦୁଝର-31, ମୋ-9437718500

ଉପସ୍ଥାପନା: ବାବୁଲାଲ ପଲେଇ,ଆଇମା ମିଡିଆ
ମୋବାଇଲ୍:୯୪୩୭୧୫୨୯୩୭

22
6169 views

Comment