logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୁସ୍ତକ ସମୀକ୍ଷା;- କବିତା ସୁମନ ରଚନା : ଅର୍ଜୁନ ଚରଣ ବେହେରା ସମୀକ୍ଷକ:- କଣ୍ଡୁରୀ ଚରଣ ରାଉତ


ଶ୍ରୀ ଅର୍ଜୁନ ଚରଣ ବେହେରା ଏକାଧାରରେ ଜଣେ ଛାତ୍ରବତ୍ସଳ ଶିକ୍ଷକ, ଦକ୍ଷ ଶିକ୍ଷା ପ୍ରଶାସକ ଓ ସ୍ବନାମଧନ୍ୟ କବି । “କବିତା ସୁମନ” ତାଙ୍କର ଷଷ୍ଠ କୃତି, ଯାହାର ପ୍ରତ୍ୟେକ ପୃଷ୍ଠା ପାଠକଙ୍କୁ ଆଧ୍ୟାତ୍ମିକ ଭାବନା, ପ୍ରକୃତିର ସୌନ୍ଦର୍ଯ୍ୟ ଓ ଜୀବନର ଗଭୀରତା ସହିତ ଅନ୍ତର୍ମୁଖୀ କରେ । ସଂକଳନର ପ୍ରତ୍ୟେକଟି କବିତା ଏକ ନୂତନ ଦୃଷ୍ଟିକୋଣ, ନୂତନ ଆନନ୍ଦ ଓ ନୂତନ ଜ୍ଞାନ ଦିଏ। ଏହାର ନାମଟି ଯେପରି ସୁଗନ୍ଧିତ ପୁଷ୍ପଗୁଚ୍ଛର ଅନୁଭୂତି ଦେଇଥାଏ, ସେପରି ଏହି ପୁସ୍ତକର ୬୧ଟି କବିତା ବିବିଧ ଭାବ, ବିଚାର ଓ ଜୀବନଦର୍ଶନରେ ପାଠକଙ୍କୁ ମନ୍ତ୍ରମୁଗ୍ଧ କରେ।
ଭକ୍ତି ଓ ଆଧ୍ୟାତ୍ମିକ ଚେତନାଧର୍ମୀ କବିତା ମଧ୍ୟରେ ‘ଗୁରୁ’, ‘କୃଷ୍ଣ ଭକତ’, ‘ସତେ ତୁମେ କେମିତିକା ଠାକୁର’, ‘କେ ବୁଝିବ ତୁମ ଲୀଳା’, ‘ନରଜନ୍ମ ହେବ ଧନ୍ୟ’, ‘ପରଂବ୍ରହ୍ମ ଯେ ଷୋଳକଳା’, ‘ଦିବ୍ୟ ଉପହାର’, ‘ସାଧୁଙ୍କ ବାଣୀ’ ପରି କବିତା ଲେଖକଙ୍କ ଗଭୀର ଆଧ୍ୟାତ୍ମିକ ଚିନ୍ତନକୁ ପ୍ରକାଶ କରେ। ଏଥିରେ ଭକ୍ତି, ନମ୍ରତା ଓ ମାନବ ଜୀବନର ମୂଲ୍ୟବୋଧ ଉଜାଗର ହୋଇଛି। 'ଗୁରୁ' କବିତାରେ ଗୁରୁଙ୍କ ପ୍ରଭାବ, ମହତ୍ତ୍ୱ ଓ ସେମାନଙ୍କ ପ୍ରତି ଗଭୀର ଭକ୍ତି ଦର୍ଶାଇଛନ୍ତି। ମାତାପିତା ପରି ଗୁରୁ ମଧ୍ୟ ଶିଶୁଙ୍କୁ ଶାରୀରିକ ଓ ଆତ୍ମିକ ଉନ୍ନତିରେ ପୋଷଣ ଦିଅନ୍ତି, ଜ୍ଞାନ ଓ ଭକ୍ତିର ପାଠ ପଢାଇ ଜୀବନର ସମସ୍ତ ସମସ୍ୟାର ସମାଧାନରେ ଉପଯୁକ୍ତ ମାର୍ଗଦର୍ଶନ କରାନ୍ତି। ସେମାନେ ମଣିଷର ବିବେକ, ବୁଦ୍ଧି, ମନ ଓ ପ୍ରାଣର ସାରଥୀ, ଯାହା ଆତ୍ମାକୁ ଉଚ୍ଚତା ଓ ଶାନ୍ତି ଦିଏ। ଗୁରୁଙ୍କ ପ୍ରତି ସମ୍ମାନ ଓ ଧ୍ୟାନ ହିଁ ଜୀବନର ମୂଳ ଧନ, ଯାହା ମଣିଷକୁ ନିଜ ଜନ୍ମର ଅମୂଲ୍ୟତା ଅନୁଭବ କରାଏ। ତାଙ୍କ ଭାଷାରେ :- "ଜ୍ଞାନ ଭକତିର ପାଠ ଦେଲେ ଯେ ଶିକ୍ଷା/ ଭବ–ସାଗର ତାରଣେ ଯେ ଦେଲେ ଦୀକ୍ଷା/ ନ ରହେ ତମ ଯାହାଙ୍କୁ ଦେଖିଲେ ଦୂରୁ/ ତାଙ୍କ ପୟରେ ପ୍ରଣାମ ସେ ମୋର ଗୁରୁ/ ଆତ୍ମାରୂପେ ମୋ’ ଶରୀରେ ଯାହାଙ୍କ ସ୍ଥିତି/ ଶରୀର- ରଥର ସେ’ ତ ସାରଥି ଗତି/ ମୋ’ ମନ, ବିବେକ, ବୁଦ୍ଧି, ପରମ-ବନ୍ଧୁ/ ସେ ମୋ’ ପ୍ରାଣ, ତ୍ରାଣକର୍ତ୍ତା କରୁଣା ସିନ୍ଧୁ।" (ଗୁରୁ)
ଏହା ବ୍ୟତୀତ ପିତାମାତାଙ୍କୁ ଆଦ୍ୟ ଗୁରୁ ବୋଲି ଦର୍ଶାଇଛନ୍ତି କବି । ସେମାନେ ଶିଶୁଙ୍କୁ ଜୀବନର ପ୍ରଥମ ପାଠ, ଶାରୀରିକ ପୋଷଣ, ମୂଲ୍ୟବୋଧ, ନୈତିକ ଶିକ୍ଷା ଓ ଆତ୍ମିକ ନେତୃତ୍ୱ ଦିଅନ୍ତି। ତେଣୁ ପିତାମାତା ହେଉଛନ୍ତି ମଣିଷର ପ୍ରଥମ ଶିକ୍ଷକ ଓ ଆତ୍ମିକ ଗୁରୁ।
ସାମାଜିକ ଚେତନା ଓ ସମକାଳୀନ ବିଷୟବସ୍ତୁକୁ ନେଇ ରଚିତ କବିତା ମଧ୍ୟରେ ‘ହାୟରେ ମଣିଷ ଜୀବନ’, ‘କେମିତି ଅଛୁରେ ଭାଇ?’, ‘କୁଆଡ଼େ ଗଲା?’, ‘ଜରା ନିବାସରେ ଦିନେ’, ‘କି ଯୁଗ ହେଲାରେ’, ‘ଘର କଳି’, ‘ମିଛ’, ‘ମଣିଷ ଗଛର ଛାଇ’ ଆଦି ପ୍ରମୁଖ।ଏସବୁ କବିତା ସମାଜର ବିକୃତି, ପରିବର୍ତ୍ତନ ଓ ମାନବୀୟ ସମ୍ପର୍କର ଅବକ୍ଷୟକୁ ଚିହ୍ନଟ କରିଥାଏ।
‘କେମିତି ଅଛୁରେ ଭାଇ?’ କବିତାରେ ବୃଦ୍ଧାବସ୍ଥାର ଏକାକୀପଣ ଓ ସାମ୍ପ୍ରତିକ ପାରିବାରିକ ପରିସ୍ଥିତିର ଚିତ୍ର ଅଙ୍କିତ ହୋଇଛି। ବୃଦ୍ଧ ବ୍ୟକ୍ତି ପେନସନରେ ଜୀବନ ଯାପନ କରୁଥିବା ବେଳେ ପୁଅ–ବୋହୁ ବିଦେଶରେ ଅଛନ୍ତି। ବାର୍ଦ୍ଧକ୍ୟର ବେଦନା, ହତାଶା ଓ ପାରିବାରିକ ମୂଲ୍ୟବୋଧର ଅବକ୍ଷୟର ଚିତ୍ର ରହିଛି କବିତାଟିରେ । କବିଙ୍କ ଭାଷାରେ :- "ଛୋଟା ପଚାରଇ ଆରେକ ଛୋଟାକୁ/ କେମିତି ଅଛୁରେ ଭାଇ/ ଉତ୍ତରରେ ଛୋଟା କହେ ଭଲ ଅଛୁ/ ହାତେ ରାନ୍ଧିବାଢ଼ି ଖାଇ/ ପୁଅ ବୋହୁ ମୋର ବିଦେଶେ ରହନ୍ତି/ ଯେ ଦିନୁ ହେଲେଣି ବାହା/ ଅନ୍ଧ ଭାଇ ମୋର ଅତି ଆପଣାର/ ସବୁ କାମେ ହୁଏ ସାହା।"(କେମିତି ଅଛୁରେ ଭାଇ)
ଗ୍ରାମ୍ୟ ଜୀବନ ଓ ପ୍ରକୃତି ଚିତ୍ରଣରେ ଆସୁଥିବା କବିତା ହେଲା ‘ଗାଆଁ ଦାଣ୍ଡର ଆତ୍ମକଥା’, ‘ବଦଳିଛି ଗାଆଁ ଛବି’, ‘ଚାଷୀଭାଇ’, ‘ବୃକ୍ଷଟିଏ ମୋତେ କର’, ‘ଗଛ ଓ ବାଟୋଇ’, ‘ଋତୁଚକ୍ରରେ ଗ୍ରୀଷ୍ମ’, ‘ବରଷା ଆସେ ବରଷେ ଥରେ’, ‘ଶୀତ ଯେବେ ଛୁଏଁ ଧରା’, ‘ବସନ୍ତାଗମନ’ ଇତ୍ୟାଦି। ଏଥିରେ ଗ୍ରାମୀଣ ସଂସ୍କୃତି ଓ ପ୍ରକୃତିର ରୂପରେଖ ମାନସପଟରେ ଜୀବନ୍ତ ହୋଇଉଠେ। 'ବଦଳିଛି ଗାଆଁ ଛବି' କବିତାରେ ଗାଁର ଦୃଶ୍ୟ ଓ ଜୀବନର ପରିବର୍ତ୍ତନକୁ ଚିତ୍ରିତ କରାଯାଇଛି । ଆଗରୁ ଯେଉଁଠାରେ ଗାଁରେ ଛୁଆମାନଙ୍କର ଖେଳାବୁଲା, ସମସ୍ତଙ୍କ ଘରେ ଗାଈ-ବଳଦ ଓ ଘରୋଇ ରାନ୍ଧଣା ଥିଲା, ଏବେ ସେସବୁ ସାତ ସପନ । ଏବେ ଗାଁ ଦାଣ୍ଡ ଶୂନ୍ୟ ଓ ନିରବ, ରାଜଉଆସ ପରି ଘର ସବୁ , ଖାଲି ପଡ଼ିରହିଛି। ଗାଈ-ବଳଦ ଘରେ ନାହାନ୍ତି କିନ୍ତୁ କୁକୁରମାନେ ବନ୍ଧା ହୋଇଛନ୍ତି। ଘରେ ରନ୍ଧା ହେଉନାହିଁ, ଆହାର କେନ୍ଦ୍ରରୁ ଖାଦ୍ୟ ଆସୁଛି।ଆଧୁନିକତାର ପ୍ରଭାବରେ ଗାଁର ବଦଳିଥିବା ଚିତ୍ରକୁ କବି ଭାବନାମୟ ଭାବରେ ପ୍ରକାଶ କରିଛନ୍ତି। ତାଙ୍କ ଭାଷାରେ :- "ଗାଆଁ ଦାଣ୍ଡେ ଏବେ ଛୁଆଙ୍କର ମେଳି/ ଦେଖିବା ସପନ ହେଲା/ ଉଆସ ପରିକା ଘର ଅଛି ସିନା/ ଶୂନ୍‌ଶାନ୍ ଖୋଲା ମେଲା/ କାହା ଘରେ ନାହିଁ ଗାଈ କି ବଳଦ/ କୁକୁର ହୋଇଛି ବନ୍ଧା/ ଆହାର କେନ୍ଦ୍ରରୁ ପାର୍ଶଲ ଆସୁଛି/ ଘରେ ନ ହୁଅଇ ରନ୍ଧା ।" (ବଦଳିଛି ଗାଆଁ ଛବି)
ବୃକ୍ଷର ନିଷ୍କାମ ପରୋପକାର ଗୁଣକୁ ସ୍ତୁତି କରି ଆଗାମୀ ଜନ୍ମରେ ବୃକ୍ଷ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି କବି । ବୃକ୍ଷ କଥା କହିପାରେ ନାହିଁ କିମ୍ବା ଚାଲିପାରେ ନାହିଁ, କିନ୍ତୁ ସେ ସମସ୍ତଙ୍କୁ ଛାୟା ପ୍ରଦାନ କରିବା ସହିତ ଓ ଉପକାର କରିଥାଏ, କାହା ପ୍ରତି ରୋଷ ରଖେ ନାହିଁ। ମଣିଷ ଆଘାତ କଲେ ମଧ୍ୟ ବୃକ୍ଷ ସହିଷ୍ଣୁତାର ପରିଚୟ ପ୍ରଦାନ କରି ସବୁ ସହି ଜୀବଜଗତର ମଙ୍ଗଳ କରେ। ଏହିପରି ପବିତ୍ର ଓ ପରହିତମୟ ଜୀବନ ଜୀଇଁ ପାପମୁକ୍ତ ହେବାର ଆକାଂକ୍ଷା କବି ବ୍ୟକ୍ତ କରିଛନ୍ତି। ବୃକ୍ଷର ନିଷ୍କାମ ସେବାଭାବକୁ ମାନବଜୀବନର ଆଦର୍ଶ ଭାବେ ଦେଖାଯାଇଛି। ନିଜର ଭାବନାକୁ ପ୍ରକାଶ କରିବାକୁ ଯାଇ ସେ ଲେଖିଛନ୍ତି :- "ଜନମି ମରତେ ପ୍ରାଣୀଙ୍କର ହିତେ/ ସର୍ବାଙ୍ଗ କରଇ ଦାନ/ ପରଉପକାର ତା' ଜୀବନ ବ୍ରତ/ ବଡ଼ ହେଉ ଅବା ସାନ/ ଲୋଡ଼ା ନାହିଁ ମୋର ମଣିଷ ଜନମ/ ପାପ– ପଲା ହୁଏ ଭାରୀ/ ଆର ଜନମରେ ବୃକ୍ଷଟିଏ ମୋତେ/ କର ଆହେ ଚକ୍ରଧାରୀ।" (ବୃକ୍ଷଟିଏ ମୋତେ କର)
ସେହିପରି 'ବସନ୍ତାଗମନ' କବିତାରେ ବସନ୍ତ ଋତୁର ଆଗମନର ସୁନ୍ଦର ଚିତ୍ରଣ କରାଯାଇଛି। କୁହୁକୁହୁ କୋଇଲୀର ଧ୍ୱନି, ମୃଦୁମନ୍ଦ ମଳୟ ପବନ ଓ ଫୁଲମାନଙ୍କର ସୁଗନ୍ଧରେ ପ୍ରକୃତି ମନୋହର ହୋଇଯାଇଛି। ଆମ୍ବ ବଉଳର ବାସ୍ନା, ମଧୁମକ୍ଷୀର ଗୁଞ୍ଜନ ଓ ପକ୍ଷୀମାନଙ୍କ କାକଳିରେ ସମସ୍ତ ପରିବେଶ ଉତ୍ସାହିତ ଦେଖାଯାଏ। କୃଷକମାନେ ଶସ୍ୟ ଆଣି ଗୃହପୂର୍ଣ୍ଣ କରି ଆନନ୍ଦିତ ହୁଅନ୍ତି। କବିଙ୍କ ଭାଷାରେ :- "ବସନ୍ତ ଆସିଲା ବସନ୍ତ ଆସିଲା/ କୁହୁ ତାନେ ପିକ କହିଲାଣି/ ଦକ୍ଷିଣ ଦିଗରୁ ମଳୟ ମରୁତ/ ଲୁଚିଲୁଚି ପରା ବହିଲାଣି/ ବଲ୍ଲରୀ- କୁଞ୍ଜରେ ସୁମନ ସୁନ୍ଦରୀ/ ଫୁଟି ଚଉଦିଗ ବାସିଲାଣି/ ସୁନୀଳ- ସାଗରେ ବୋଇତ ପ୍ରାୟେକ/ ଆକାଶରେ ମେଘ ଭାସିଲାଣି/ ରସାଳ– ଶାଖାରେ ବଉଳ ପେନ୍ଥାରେ/ ମଧୁକର ଆସି ବସିଲେଣି/ ପଲ୍ଲବ-ପଣତ ଫାଙ୍କରୁ ସରାଗେ/ ଛୁଆ ଛୁଆ ଆମ୍ବ ହସିଲେଣି।" (ବସନ୍ତାଗମନ)
ନୀତିଶିକ୍ଷା ଓ ଜୀବନଦର୍ଶନରେ ପରିପୂର୍ଣ୍ଣ ‘ଅମୂଲ୍ୟ ବାଣୀ’, ‘ମାନିଲେ ମଙ୍ଗଳ’, ‘ଯାହାର ସ୍ବଭାବ ଯେମିତି’, ‘ଅନୁଚିନ୍ତା’, ‘ଦଶ କେ ଦଶ’ ପରି କବିତାମାନ ଜୀବନର ସରଳ ସତ୍ୟ ଓ ନୀତିମୂଳକ ସନ୍ଦେଶ ପ୍ରଦାନ କରିଥାଏ। କବି ବିଭିନ୍ନ ଉଦାହରଣ ଦେଇ କହିଛନ୍ତି ଯେ ପ୍ରତ୍ୟେକ ଜିନିଷର ସୁନ୍ଦରତା ଓ ମୂଲ୍ୟ ତାହାର ଉଚିତ ସ୍ଥାନ ଓ ପରିସ୍ଥିତିରେ ନିହିତk ଅଛି। ଚୋର ପାଇଁ ଅନ୍ଧାର ଭଲ, ଗଛ ପାଇଁ ଛାୟା ଭଲ, ଅର୍ଥାତ୍ ସବୁ କିଛି ସମୟ ଓ ପରିବେଶ ଅନୁସାରେ ମୂଲ୍ୟବାନ। କିନ୍ତୁ ଯେତେବେଳେ ଏହାର ଦୁରୁପଯୋଗ ହୁଏ, ସେତେବେଳେ ଏହି ସୁନ୍ଦରତା ହାନିକାରକ ହୋଇଯାଏ। ସମାଜରେ ମଧ୍ୟ ପଦ ଓ ଦାୟିତ୍ୱର ସଠିକ୍ ବ୍ୟବହାର ହେବା ଉଚିତ, ନହେଲେ ତାହା ଅନୀତିକୁ ବଢ଼ାଇଦେଇଥାଏ। ତାଙ୍କ ଭାଷାରେ :- "ଚୋରକୁ ସୁନ୍ଦର ଅନ୍ଧାର-ରାତି ଲୋ/ ରାତିକୁ ସୁନ୍ଦର ଜହ୍ନ/ ଜହ୍ନ ଚାହୁଁଥାଇ ବାଦଲ ଫାଙ୍କରେ/ କଇଁଠାରେ ତା’ର ମନ/ ବାରିକୁ ସୁନ୍ଦର ଫଳନ୍ତି– ଗଛ ଲୋ/ ଗଛକୁ ସୁନ୍ଦର ଛାଇ/ ଛାଇ ହୋଇ ଯେବେ ଘାତକ ହୁଅଇ/ ଅକାଳେ ଜୀବନ ଯାଇ।" (ଭଲ ଲାଗିବ ପଢ଼ନ୍ତୁ)
ପ୍ରେମ, ପରିବାର ଓ ମାନବୀୟ ଭାବନାକୁ ପ୍ରକାଶ କରୁଥିବା ‘ତୁମେ ଆଉ ମୁଁ’, ‘ନାରୀ’, ‘ପ୍ରେମ ଚଉପଦୀ’, ‘ମନ ଚୋରି’, ‘କବି ପତ୍ନୀର ବିଳାପ’, ‘ମନେ ରଖୁଛ ନା, ଗଲଣି ଭୁଲି’ ପରି କବିତାରେ ସ୍ନେହ, ସମ୍ପର୍କ ଓ ଭାବନାର ସୁକୁମାର ଚିତ୍ରଣ ମିଳେ।
'କବି ପତ୍ନୀର ବିଳାପ' କବିତାରେ କବିମାନଙ୍କ ପତ୍ନୀର ମନୋବେଦନା ଓ ବିରହବ୍ୟଥାକୁ ଅତି ମନୋଜ୍ଞ ଭାବରେ ଚିତ୍ରଣ କରିଛନ୍ତି କବି । କବିଗଣ କବିତାପ୍ରେମରେ ମଗ୍ନ ହୋଇ ଦାମ୍ପତ୍ୟ ଜୀବନର କର୍ତ୍ତବ୍ୟ ଓ ସ୍ନେହକୁ ଅବହେଳା କରୁଛନ୍ତି, ଯାହାଫଳରେ କବିପତ୍ନୀମାନେ ନିଜକୁ ଏକା ଓ ଅବହେଳିତ ମନେ କରୁଛନ୍ତି। ନିଜର ସେବା, ସ୍ନେହ ଓ ସମର୍ପଣ ସତ୍ତ୍ୱେ ସେମାନେ କବିତା ପରି ପତିଙ୍କ ମନ ଜିତିପାରୁ ନଥିବାର ଦୁଃଖକୁ ପ୍ରକାଶ କରିଛନ୍ତି। ଏହା ନାରୀ ହୃଦୟର ଅକଥିତ ବେଦନା ଓ ପ୍ରେମ ଆକାଂକ୍ଷାର ଭାବପୂର୍ଣ୍ଣ ଉପସ୍ଥାପନା। କବିଙ୍କ ଭାଷାରେ :- "କାନ୍ତ-ମନ–ଜିଣା ପ୍ରେମିକାଟେ ଥିଲେ/ ନାରୀ ଜୀବନେ କି ସୁଖ/ ପେଟ ପିଠି ଚିନ୍ତା ନୁହେଁ ବଡ଼ କଥା/ ନିରତେ ବିରହ-ଦୁଃଖ/ ମୋ’ ଶୃଙ୍ଗାର ବେଶ ମନଭୁଲା ହସ/ ଯା’ ମନ ନ ପାରେ ଜିଣି/ ଜାଣେ ଲୋ’ କି ଗୁଣି ‘କବିତା’ ଡାହାଣୀ/ ପତି ମନ ନିଏ କିଣି/ ଶୟନରୁ ଉଠି ଲେଖନ୍ତି ସେ ଚିଠି/ ତା’ କଥା ପଡ଼ିଲେ ମନେ/ ବିରହ– ନିଆଁରେ ମୋ’ ମନ-ହରିଣୀ/ ଛଟପଟ ହୃଦ–ବନେ।" (କବି ପତ୍ନୀର ବିଳାପ)
‘ଚଉକି’କୁ କ୍ଷମତା ଓ ପଦମର୍ଯ୍ୟାଦାର ପ୍ରତୀକ ଭାବେ ଦର୍ଶାଯାଇଛି। ରାଜାଠାରୁ ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପାଇବାକୁ ଆକାଂକ୍ଷା ରଖନ୍ତି, କାରଣ ଏହା ସମ୍ମାନ ଓ ପ୍ରଭାବର ଚିହ୍ନ। କିନ୍ତୁ ଏହି ପଦର ମୋହ ମନୁଷ୍ୟକୁ ଲୋଭ, ଈର୍ଷା ଓ ଅନୀତି ପଥର ପଥିକ କରାଏ, ଯାହା ତାଙ୍କୁ ଧର୍ମ ଓ ନୈତିକତାଠାରୁ ଦୂରେଇ ଦିଏ । ଚଉକିର ସ୍ୱାଦ ଯେ ଥରେ ପାଇଥାଏ, ସେ ଏହା ହରାଇବା ପରେ ଅଶାନ୍ତ ହୋଇଯାଏ। ସେହିପରି କବି ଏହାକୁ ମିଠା ବିଷ ସହ ସମାନ ବୋଲି ସତର୍କ କରିଛନ୍ତି। ତେଣୁ ସେ ଲେଖନ୍ତି :- "ଯେ ଚାଖିଛି ଥରେ ଚଉକି ସ୍ବାଦ/ ହରାଇବା ପରେ ହଜେ ତା' ନିଦ/ଆଶା ଯେ ରଖୁଛି ପାଇବା ପାଇଁ/ ନ ମିଳିବା ଯାଏ ସେ ହାଇଁପାଇଁ/ ମାୟାଜାଲ ରୂପୀ ମିଠା ଜହର/ଚଉକିରେ ତୋତେ ଦୂରୁ ଜୁହାର।"(ଚଉକି)
ସୃଷ୍ଟିର ପ୍ରତ୍ୟେକ ଛୋଟ-ବଡ଼ ଉପାଦାନରେ ଦୈବୀ ଲୀଳା ରହିଛି, ଯାହାକୁ ମଣିଷ ପୂର୍ଣ୍ଣରୂପେ ବୁଝିପାରେ ନାହିଁ। ସେଇ କଥାକୁ ଦର୍ଶେଇବାକୁ ଯାଇ କବି ଲେଖନ୍ତି :- "ଉଷା ଜାଣି କାଉ ରାବେ/ ଅଣୁର ଭିତରେ ପରମାଣୁ ଶକ୍ତି/ ରହିଥାଏ ଗୁପ୍ତଭାବେ/ ହୀନରୁ ମହାନ ସୃଷ୍ଟି/ ଶୁକ୍ତିରେ ମୁକୁତା ପଙ୍କରେ ପଦୁଅଁ/ ସରଜୁଛ ପରମେଷ୍ଠୀ/ କେବେ ଦାରୁ କେବେ ଶିଳା/ ଏ ସଂସାର ଅଟେ ତୁମ ଖେଳ ଘର/ କେ ବୁଝିବ ତୁମ ଲୀଳା ?" (କେ ବୁଝିବ ତୁମ ଲୀଳା)

ମୋଟାମୋଟି ଭାବରେ କହିଲେ ‘କବିତା ସୁମନ’ ଏକ ବିବିଧ ରସର ସଂଗ୍ରହ, ଯେଉଁଠାରେ ଭକ୍ତି, ସମାଜଚେତନା, ପ୍ରକୃତି, ନୀତି ଓ ପ୍ରେମ ଏକ ସୁନ୍ଦର ସମନ୍ୱୟରେ ଫୁଟିଉଠିଛି। ଏହା ବିବିଧ ବର୍ଣ୍ଣ ଓ ବାସ୍ନାରେ ବିମୁଗ୍ଧ କଲା ଭଳି ସାମର୍ଥ୍ୟ ରଖେ। ଆଶା କରା‌ଯିବ ଛାତ୍ର, ଶିକ୍ଷକ, ବିଦ୍ୱାନ ଓ ସାଧାରଣ ପାଠକ ‘କବିତା ସୁମନ’ର ପ୍ରତି ପୃଷ୍ଠାରେ ତାଙ୍କ ପଠନଜନିତ ଆନନ୍ଦ ଉପଭୋଗ କରିବେ ଓ ପୁସ୍ତକଟି ପାଠକଙ୍କ ଦ୍ୱାରା ଆଦୃତ ହେବ।
*******
ସତ୍ୟବାଦୀ ହାଇସ୍କୁଲ, ଧଣ୍ଡାମାଲ, ଦେଓଗାଁ
ବଲାଙ୍ଗୀର. ମୋ. 8917397348

ଉପସ୍ଥାପନା: ବାବୁଲାଲ ପଲେଇ, ଆଇମା ମିଡିଆ
ମୋବାଇଲ୍ ୯୪୩୭୧୫୨୯୩୬

43
1451 views

Comment