logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଉଦାସୀ ଫଗୁଣର ଗାଥା

ହୋଲି ପାଇଁ ଗୋଟେ କବିତା
ଡ ଭାରତୀ ହୋତା

ମନ ଭିତରେ ଆଜି ପୁଣି କବିତାର ଢେଉ
ଢେଉ ନୁହେଁ ତ ୟେ ପୁଣି ବନ୍ୟା
ସେ ପୁଣି ହୋଲିର ...
ଭାବ ଅଭାବର ରଙ୍ଗ ମଖା
ପତ୍ର ଝଡ଼ା ଉଦାସୀ ଫଗୁଣର ଗାଥା
ଶିମୁଳିର ନାଲି ଟହ ଟହ ହସ
ନିମ୍ବ କଢ଼ିର ଆତ୍ମ ପ୍ରକାଶ
କଷି ଆମ୍ବର ବାସନା
କୋଇଲିର କୁଜନ
ସୁନ୍ଦରୀ ପଳାଶର ସମ୍ଭାର
ରାଧାମାଧବଙ୍କ ଦୋଳ ମଣ୍ଡପ ।

କବିତା ତ ପ୍ରଗଲ୍ଭା
କେତେ ଆଡ଼େ ତାର ଉତ୍ସୃଙ୍ଖଳତା ,
ପାଣିରେ ଘର ତୋଳି ପାରେ
ରାତାରାତି ଗଡ଼ ଗଢ଼ିଦେଇପାରେ
ଶିଖରରେ ରଚିପାରେ ନବ ରାସ ,
ଈଶ୍ୱରଙ୍କୁ ଲେଖିପାରେ ଫର୍ଦ୍ଦ ଫର୍ଦ୍ଦ ଚିଠି
ହୋଲିର କବିତା ତ ଗୋଟେ ସାତରଙ୍ଗର ଭିଜା
ଛଳ ଛଳ ଝରଣା।

ହେଲେ କ'ଣ ଲେଖିବି
କାହାକୁ ବୁଝେଇବି
କେମିତି ଦିଶୁଛି ମୋତେ
ଦୃଶ୍ୟ, ଦୃଶ୍ୟାତୀତ
କେମିତି ଲାଗୁଛି ମୋତେ
ରାଜ ରାସ୍ତାର ପୋଲ ତଳେ ଥିବା
ବେରଙ୍ଗ ଜୀବନର ଚିତ୍ର !!
ମୋ କବିତା କ'ଣ ବଦଳେଇ ପାରିବ
କୋଉ ଦୁଃଖିନୀ ମା'ର ଭାଗ୍ୟ,
ପରଘରୀ ଝିଅର ମରମଯନ୍ତ୍ରଣା
ବାରୁଦ ପୋଡ଼ା ପବନର କୁହାଟ
ପୃଥିବୀରୁ "ଯୁଦ୍ଧମ୍ ଦେହୀ" ଡାକରାକୁ !

ମୋ କବିତା କଣ ଦେଇ ପାରିବ ଏ ସନ୍ଦେଶ
"ସ୍ନେହ ଶ୍ରଦ୍ଧା ଶାନ୍ତି ଓ ଭାଇ ଚାରାର ପର୍ବ ହୋଲି"
ଦେଇ ପାରିବ କି
"ଏକ ନିଶାମୁକ୍ତ ସୁସ୍ଥ ସମାଜ "
ଯେଉଁ ପର୍ବତ ପ୍ରସବିଛି ଝରଣା
ତା'ରି ଦୁଇ କଡ଼େ
ହୋଲି ରଙ୍ଗ ମଖା ଭଙ୍ଗା ମଦ ବୋତଲ
ପଲିଥିନ୍ ପାହାଡ଼କୁ କଣ ହଟେଇ ପାରିବ ?

ହୁଏତ କାହାର ତ ମନେ ପଡ଼ିଯିବ
ଏ କବିତା ପଢ଼ି...
ସେଦିନ ହୁଏତ
ମାଟି ମାଆ ହସିବ
ଆକାଶ ବି ତା ବିଶାଳ ବକ୍ଷରେ
ବାପା ପରି,
କବିତାର ବନ୍ୟାରେ ଭାସିବ
କୋମଳ ପଲ୍ଲବରେ ମଲ୍ହାର ଗାଇବ ପର୍ବତ ,
ସେତିକି ବେଳେ
ଏଇ କାବ୍ୟ ବୀଜମାନେ
ଅଙ୍କୁରିତ ହେବେ
ତାଙ୍କର ନିଜସ୍ୱ ଶକ୍ତିରେ ,
ଶବ୍ଦମୟ ହୋଇ ନିଜ ପ୍ରଗଲ୍ଭତାରେ
ତୁଷ୍ଣୀଭୂତ କରିଦେବେ
ଏଇ ପୃଥିବୀର ଶବ୍ଦ ବିସ୍ପୋରଣ ।

ଆଉ
କେଉଁ ଅନବହିତ ସ୍ବର୍ଗର
ସୃଷ୍ଟିଶୀଳ ଉଚ୍ଚାରଣ
ପ୍ରତିଷ୍ଠା କରିବେ ମାଟିରେ
କବିତାର ରାଜୁସି ଯଜ୍ଞରେ ।
----------
ଖରିଆର ରୋଡ଼
ନୂଆପଡ଼ା
ସୌଜନ୍ଯ ବାବୁଲାଲ ପଲେଇ,ଆଇମା ମିଡିଆ
ମୋବାଇଲ୍ ୯୪୩୭୧୫୨୯୩୬

14
1254 views

Comment