ପୂଣ୍ୟ ଭୂମି ଆମୁଣି ଗାଁ ରୁ ପ୍ରଜା ବିଦ୍ରୋହର ଶଙ୍ଖନାଦ
ପୂଣ୍ୟଭୂମି ଆମୁଣି ଗାଁରୁ,
ପ୍ରଜା ବିଦ୍ରୋହର ଶଙ୍ଖନାଦ।
ଲେଖକ- ଘନଶ୍ୟାମ ପଲେଇ
ଭାଗ- ୯
ରାଜାଙ୍କ ଠାରୁ ବିଚିତ୍ରାନନ୍ଦ ବାବୁ ବୟସରେ ବଡ ଥିବାରୁ ଓ ଅଭିଜ୍ଞ କାରଣରୁ ରାଜା ତାଙ୍କୁ ସମ୍ମାନ ଦେଉଥିଲେ। ଗଭୀର ବିଶ୍ୱାସ ମଧ୍ୟ କରୁଥିଲେ । ତେଣୁ ଧରଣୀଧରଙ୍କ କଥାରେ ନ ଯାଇ ଛୋଟ ପଦିକାରେ ହିଁ ଜମି ମାପ କରାଇ ଖଜଣା ଆଦାୟ କଲେ।
ଏପରି ହେଲା କି ବିଚିତ୍ରାନନ୍ଦ ବାବୁ ପ୍ରଜାଙ୍କ ଉପରେ ବହୁ ଅନ୍ୟାୟ ‘କର’ ଲଦି ଚାଲିଲେ। ଖ୍ରୀ.ଅ. ୧୮୮୪ ରେ କଲିକତାରେ ଅନୁଷ୍ଠିତ ହେଉଥିବା ଏକ ଅନ୍ତଃରାଷ୍ଟ୍ରୀୟ ମେଳା ଦେଖିବାକୁ ମହାରାଜା ଧନୁର୍ଜୟ ନାରାୟଣ ଭଞ୍ଜ କଲିକତା ଯାଇଥିଲେ।ଏଥିପାଇଁ ପ୍ରଜାମାନଙ୍କୁ ଏକ ପ୍ରକାର ସ୍ୱତନ୍ତ୍ର କର ଦେବାକୁ ପଡିଲା। ପାଞ୍ଚ ଟଙ୍କାରୁ ଏକଶହ ପଞ୍ଚସ୍ତରୀ ଟଙ୍କା ପର୍ଯ୍ୟନ୍ତ ଏହି କର ପ୍ରଜାମାନଙ୍କ ଠାରୁ ଆଦାୟ କରାଗଲା। ଏହି କରର ନାମ ଥିଲା ‘ମେଳାପଞ୍ଚା’। ଖ୍ରୀ.ଅ. ୧୮୮୬ ରେ ମହାରାଜାଙ୍କର ଦ୍ୱିତୀୟ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ପ୍ରଜାମାନଙ୍କୁ ‘ମଙ୍ଗଳ ପଞ୍ଚା’ ଦେବାକୁ ପଡିଥିଲା। ପାଞ୍ଚ ଟଙ୍କାରୁ ଏକ ଶହ ତେପନ ଟଙ୍କା ପର୍ଯ୍ୟନ୍ତ ଏହି କର ମିଶା ଯିବାରୁ ଅନେକ ପ୍ରଜାଙ୍କ ଉପରେ ଅକାଳ ଚଡକ ପଡିଲା।
କେନ୍ଦୁଝର ବଳଦେବ ଜିଉଙ୍କର ରଥଯାତ୍ରା ପାଇଁ ପ୍ରସିଦ୍ଧ। ଭୂୟାଁମାନେ ରଥଯାତ୍ରାରେ ବ୍ୟବହୃତ ହେଉଥିବା ରଥକାଠ ଓ ଶିଆଳି ଦଉଡି ଯୋଗାଉଥିଲେ। ରଥ ଯାତ୍ରା ପାଇଁ ବେଠି ଖଟୁଥିଲେ। ଏହା ଆଗ ରାଜାମାନଙ୍କ ସମୟରୁ ଦେହସୁଆ ହୋଇ ସାରିଥିଲେ ବି ବିଚିତ୍ରାନନ୍ଦଙ୍କ ସମୟରେ ବିନା ମଜୁରୀରେ ଶାରିରୀକ ଶ୍ରମ କରିବା ବାଧ୍ୟତା ମୂଳକ କରିଦେଲେ। ପ୍ରତି ଧାର୍ମିକ ପର୍ବପର୍ବାଣୀରେ ଶ୍ରମଦାନ ନ କଲେ ତଣ୍ଡ ଗଣିବାକୁ ପଡିଲା। ଏହି ପ୍ରକାର ପ୍ରଥାକୁ ‘ରଥୋ’ ବୋଲି କୁହାଯାଉଥିଲା।
ରାଜା ଭୂୟାଁପୀଢ ପରିଦର୍ଶନରେ ଗଲେ, ତାଙ୍କୁ ଭୂୟାଁମାନେ ପ୍ରଚଳିତ ମୂଲ୍ୟରେ ରସଦ ଯୋଗାଇଲେ। ଏ ପ୍ରକାର ବେଠିକୁ ‘ଗୋହ୍ମ’ କୁହାଯାଉଥିଲା। ରାଜାଙ୍କ ଘର ଛପର କରିବେ ଓ ଘର ଛପର ପାଇଁ ଯାବତୀୟ ଉପକରଣ ଯୋଗାଇବାକୁ ବାଧ୍ୟ କରାଗଲା। ଏ ପ୍ରକାର ପ୍ରଥାକୁ ‘କାଣ୍ଟୋ’ କୁହାଯାଉଥିଲା।
କିଛି ପ୍ରଥା ଆଗରୁ ଚଳି ଆସୁଥିଲେ ବି ବିଚିତ୍ରାନନ୍ଦଙ୍କ ସମୟରେ ପ୍ରଥା ନାଁ’ରେ ଅତ୍ୟାଚାର କରାଗଲା। ସେହି ଅତ୍ୟାଚାର ଆଉ ନିର୍ଯ୍ଯାତନା ହିଁ ମେଳି ଆଡକୁ ଟାଣୁଥିଲା।
ଏହି ସମୟରେ କମିଶନର ଆଦି ପଦସ୍ଥ ସରକାରୀ କର୍ମଚାରୀ ଆସିଲେ ସେମାନଙ୍କର ଖର୍ଚ୍ଚ ଭାର ନିରୀହ ଭୂୟାଁ ପ୍ରଜାମାନଙ୍କ ଉପରେ ପଡେ। ରାଜ କର୍ମଚାରୀମାନେ ଯମ ଦୁତଙ୍କ ପରି ବେଢିଯାଇ ବଳ ପୂର୍ବକ ଜୁଲମ କରି ବହୁ ପରିମାଣର ରସଦ, ଭେଟି ଓ ମାଗଣାରେ କୁକୁଡା,ଛେଳି, ପଶୁପକ୍ଷୀ, ଡାଲି, ଚାଉଳ ପନିପରିବା,ତେଲ ମସଲା, ଘିଅ, ରସୁଣ, ଫଳମୂଳ, ଦୁଧଦହି, ଛେନା ଲହୁଣି, ମାଛ, ମାଂସ, ଅଣ୍ଡା,ଖଲି, ପଶୁଶିଙ୍ଗ, ଛାଲ, ହାତୀଦାନ୍ତ, ମୂଲ୍ୟବାନ ରତ୍ନ ପଥର, ଇତ୍ୟାଦି ପଦାର୍ଥମାନ ପ୍ରଜାମାନଙ୍କ ଠାରୁ ଜବରଦସ୍ତ ଆଦାୟ କରା ଯାଉଥିଲା। ଯାହା ସାହେବ ଦିନେ କି ଓଳିଏ ଭିତରେ କାମ ଶେଷ କରି ଚାଲିଗଲେ, ବଳକା ଦ୍ରବ୍ଯ ସବୁକୁ ରାଜ କର୍ମଚାରୀମାନେ ବାଣ୍ଟକରି ନିଜ ନିଜ ଘରକୁ ବୋହି ନେଉଥିଲେ। ଏହା ଥିଲା ସେମାନଙ୍କ ପାଇଁ ଏକ ଲାଭ ଜନକ ବ୍ୟବସାୟ। ନିରୀହ ପ୍ରଜାମାନେ ଘାସ, କୁଟା , ପତର ଓ ପଥର ପରି ସବୁ ସହି ଯାଇ ରସଦ ଦେଉଥିଲେ।
କ୍ରମଶଃ .........
------ *** -------
ଆମୁଣି, ହାଣ୍ଡିଭଙ୍ଗା, କେନ୍ଦୁଝର-31, ମୋ-9437718500
ଉପସ୍ଥାପନା: ବାବୁଲାଲ ପଲେଇ,ଆଇମା ମିଡିଆ
ମୋବାଇଲ୍:୯୪୩୭୧୫୨୯୩୬