ଲୋକାର୍ପିତ ହେଲା ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ (ଦାଶିଆ ଅଜା) ପୁସ୍ତକ
ଅବିସ୍ମରଣୀୟ ପ୍ରତିଭା ଥିଲେ ଦାଶରଥି ପଟ୍ଟନାୟକ - ସୌମ୍ୟ ରଞ୍ଜନ ପଟ୍ଟନାୟକ
ଲୋକାର୍ପିତ ହେଲା ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ (ଦାଶିଆ ଅଜା) ପୁସ୍ତକ
ଭୁବନେଶ୍ୱର - ୨୭/୦୨(ଖଣ୍ଡାଧାର ନିୟୁଜ) ଜୀବନୀ ଓ ଆତ୍ମ ଜୀବନୀ ଆମ ସାହିତ୍ୟ ଜଗତର ଏକ ଦୁର୍ବଳ ଅଙ୍ଗ ହୋଇ ରହିଛି। ଆମ ସାହିତ୍ୟରେ ଅତୀତ ଓ ସମକାଳକୁ ନେଇ ଖୁବ୍ କମ୍ ପରିମାଣରେ ଜୀବନୀ ବା ଆତ୍ମ ଜୀବନୀ ପୁସ୍ତକ ପ୍ରକାଶ ପାଇଛି। ଏଣୁ ଏବେଠାରୁ ପ୍ରତିଟି ସାଧାରଣ ମଣିଷ ସ୍ମରଣୀୟ ଘଟଣା ଗୁଡ଼ିକୁ ଲିପିବଦ୍ଧ କରି ରଖିବାର ଆବଶ୍ୟକତା ରହିଛି। କାରଣ ସମାଜରେ ଏବେ ଇତିହାସ ବଦଳାଇବାର ପ୍ରବୃତ୍ତି ବୃଦ୍ଧି ପାଇବାରେ ଲାଗିଛି। ଯଦି ଆମେ ସମାଜର ଘଟଣାବଳୀକୁ ଯେକୌଣସି ମାଧ୍ୟମରେ ଲେଖି ଭବିଷ୍ୟତ ପାଇଁ ସଂରକ୍ଷିତ କରି ନ ରଖିବା ବା ଇତିହାସ ସୃଷ୍ଟି ନ କରିବା ତେବେ ଇତିହାସ ବଦଳିଯିବାର ଅନେକ ଆଶଙ୍କା ରହିଛି ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ପକ୍ଷୀଘର ପ୍ରକାଶନ ଦ୍ଵାରା ପ୍ରକାଶିତ ତଥା ପ୍ରଫେସର ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଦ୍ଵାରା ଲିଖିତ ପୁସ୍ତକ " ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ ( ଦାଶିଆ ଅଜା ) କୁ ଉନ୍ମୋଚନ କରି ଶ୍ରୀ ପଟ୍ଟନାୟକ ଏହା କହିଥିଲେ। ଏଥିସହ ଛାପା ପୁସ୍ତକର ଦିନ ସରି ସରି ଆସୁଥିବା ବେଳେ ଲେଖକ, ପ୍ରକାଶକ ଏବଂ ପାଠକ ସମସ୍ତେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଦ୍ଵାରା ସୃଜନ ଯାତ୍ରାକୁ ବଞ୍ଚାଇ ରଖିବା ପାଇଁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ଶିଶୁ ସାହିତ୍ୟିକ ଇଂ ଅଭୟ ସୂତାରଙ୍କ ସଭାପତିତ୍ବରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କାରକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁସ୍ତକର ଲେଖକ ସୁରେନ୍ଦ୍ର ପ୍ରସାଦ ମହାନ୍ତି ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ର କହିଥିଲେ, ବିଂଶ ଶତାବ୍ଦୀର ବିରଳ ବ୍ୟକ୍ତିତ୍ୱ ଦାଶରଥି ପଟ୍ଟନାୟକ ହେଉଛନ୍ତି ଜଣେ କାଳଜୟୀ ଯଶସ୍ୱୀ ପୁରୁଷ। ଓଡ଼ିଆ ଅସ୍ମିତା, କଳା , ପୁରାତନ ସଂସ୍କୃତି,ଐତିହ୍ୟ ଓ ପରମ୍ପରାର ଥିଲେ ସେ ଏକନିଷ୍ଠ ପୂଜାରୀ। କବି ଲେଖକଙ୍କ ଦରଦୀ ବନ୍ଧୁ,ପାଠାଗାର ଆନ୍ଦୋଳନର କର୍ଣ୍ଣଧାର, ବିଶ୍ଵବିଦିତ ସଂଗ୍ରାହକ ଦାଶରଥି ପଟ୍ଟନାୟକ ତାଙ୍କ ଜୀବଦଶାରେ ପ୍ରମାଣ କରି ନିଜ ଜୀବନରେ ପ୍ରତିଫଳନ କରିପାରିଛନ୍ତି ଯେ ନିଷ୍ଠା, ସାଧନା, ଏକାଗ୍ରତା ଓ ସଂକଳ୍ପ ଆଗରେ ବୟସ,ଶିକ୍ଷା,ବୁନିଆଦି ଓ ଦାରିଦ୍ର ସବୁକିଛି ହାର୍ ମାନେ। ଓଡ଼ିଶାର କୋଣ ଅନୁକୋଣରୁ ତଥା ଦେଶ ବିଦେଶରୁ ଦାସିଆ ଅଜା ସଂଗ୍ରହ କରି ରଖିଥିବା ବିରଳ ପୁସ୍ତକ, ପୋଥି ଓ ଦୁର୍ଲଭ ପଦାର୍ଥ ଗୁଡିକର ଉପଯୁକ୍ତ ସଂରକ୍ଷଣ ପାଇଁ କଳା ସଂସ୍କୃତି ପ୍ରେମୀ ତଥା ବିଶ୍ଵବାସୀଙ୍କ ଉଦବେଗ ପ୍ରତି ସରକାର ଧ୍ୟାନ ଦେବା ଉଚିତ୍। ତାଙ୍କର ପ୍ରଥମ ଜୀବନୀ ପୁସ୍ତକ 'ନିସଙ୍ଗ ପଥିକ ' ଲେଖି ୧୯୯୯ ମସିହାରେ ଲୋକଲୋଚନକୁ ଆଣିଥିଲେ ତତ୍କାଳୀନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ। ଯେଉଁ ପୁସ୍ତକକୁ ଗବେଷଣା କରି ଅନେକ ଗବେଷକ ଗବେଷଣାରେ ସକ୍ଷମ ହୋଇଛନ୍ତି। ପରବର୍ତ୍ତୀ ସମୟରେ ଦାସିଆ ଅଜାଙ୍କ ଜୀବନୀ ଉପରେ ଅନେକ୍ ତଥ୍ୟ ପ୍ରକାଶ ପାଇଛି l ଡକ୍ଟର ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ରଚିତ ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ ଜୀବନୀ ପୁସ୍ତକ ଉନ୍ମୋଚନ ସମାରୋହରେ ସଂସ୍କୃତି ପ୍ରେମୀ ସୌମ୍ଯ ରଞ୍ଜନ ପଟନାୟକ ଦାସିଆ ଅଜାଙ୍କ ଜନ୍ମ ଜୟନ୍ତୀ ଆମ ଓଡିଶା ତରଫରୁ ରାଜ୍ୟସ୍ତରରେ ପାଳନ କରାଇବାକୁ ଯେଉଁ ନିଷ୍ପତ୍ତି ନେଲେ ସେଥିପାଇଁ ତାଙ୍କୁ ଯେତେ ଧନ୍ୟବାଦ ଦେଲେ କମ୍ ହେବ।
ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ସମ୍ବାଦ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ସମ୍ପର୍କିତ ଲିଖିତ ପୁସ୍ତକ ସମ୍ବାଦର ପ୍ରତିଷ୍ଠାତା ସମ୍ପାଦକ ତଥା ପୂର୍ବତନ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପଣ ହିଲୋଇଯାଇଛି l ଏହି ଭବ୍ୟ ଲୋକାର୍ପଣ ଅବସରରେ ସହସ୍ର ପୁସ୍ତକର ସ୍ରଷ୍ଟା ତଥା ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ର, ପୂର୍ବତନ ଲୋକସଭା ସାଂସଦ କବି ପ୍ରସନ୍ନ କୁମାର ପାଟଶାଣୀ, ପୂର୍ବତନ ସୁଚନା କମିଶନର ଶଶିପ୍ରଭା ବିନ୍ଧାଣୀ, ନୟାଗଡ ଓ ପୁରୀର ପୂର୍ବତନ ଜିଲ୍ଲାପାଳ ଅଶ୍ୱିନୀ କୁମାର ଦାସ ଦାସିଆ ଅଜାଙ୍କ ପୁସ୍ତକ ଲେଖକ ପ୍ରଫେସର ସୁରେନ୍ଦ୍ର ପ୍ରସାଦ ମହାନ୍ତି, ଦାଶରଥି ପଟ୍ଟନାୟକଙ୍କ ଉପରେ ରଚିତ ପ୍ରଥମ ଜୀବନୀ ପୁସ୍ତକ ନିସଂଗ ପଥିକର ସ୍ରଷ୍ଟା ଦାସିଆ ଅଜାଙ୍କ ପୁତୁରା ତଥା ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ଇଂ ଅଭୟ ସୁତାର, ସମାଜ ସଂସ୍କାରକ ତଥା ଶିକ୍ଷା ସଂଗଠକ ତୁଳସୀରାମ ଜଗତ ,ସଂଗ୍ରାହକ ବିକାଶ ଶତପଥୀ ଓ ଦାସିଆ ଅଜା ପାଠାଗାର ସଂଗ୍ରହାଳୟ ସମ୍ପାଦକ ଦୀପକ ପଟ୍ଟନାୟକ ଏବଂ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ସମାଜସେବୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ଦାସିଆ ଅଜାଙ୍କ ପୁସ୍ତକ ଲୋକାର୍ପିତ l ଏହି ଅବସରରେ ଭିଳାଇ ଷ୍ଟିଲ ପ୍ଲାଣ୍ଟର ଅବସର ପ୍ରାପ୍ତ ନିର୍ଦେଶକ ସଚ୍ଚିଦାନନ୍ଦ ମିଶ୍ର ଓ ସହଧର୍ମିଣୀ ଲେଖିକା ସୀମା ମିଶ୍ର ଓ ଝିଅ ଆମେରିକାର ବିଶିଷ୍ଟ ଡାକ୍ତର ମଧୁସ୍ମିତା ମିଶ୍ର, ଜ୍ୱାଇଁ ଆମେରିକାର ଡାକ୍ତର ଓ ବିଶିଷ୍ଟ ଚିତ୍ରଶିଳ୍ପୀ ସିଦ୍ଧାର୍ଥ ଶଙ୍କର ପାଣିଙ୍କ ପକ୍ଷରୁ ୫୦ ବର୍ଷ ପୂର୍ବେ ବିଭିନ୍ନ ଦେଶରେ ପ୍ରଚଳିତ ପାଞ୍ଚ ଶହରୁ ଅଧିକ ବିଦେଶୀ ମୁଦ୍ରା ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ପ୍ରଦାନ କଲେ ଏବଂ ଓଡିଶାର ବିଶିଷ୍ଟ ଆଦିବାସୀ ସଂସ୍କୃତି ଗବେଷକ ବିପିନ ବିହାରୀ ସାହୁଙ୍କ ଦ୍ୱାରା ଆଦିବାସୀ ଡ଼ଙ୍ଗରିଆ କନ୍ଧ ଙ୍କ ବସ୍ତ୍ର,( କପଡା ଗନ୍ଧା ) ସାନ୍ତାଳ ବସ୍ତ୍ର ( କୁଲିସ ବସ୍ତ୍ର ) ଓ ଦୁରୁଆ ପାନିଆ, ବଣ୍ଡା ଜନଜାତିକ ତୁରାବୁ ଗଡ଼ଗଡିଆ ମାଳି ଏବଂ ପଣ୍ଡିତ ଦୈତ୍ୟାରି ମହାପାତ୍ର ତାଙ୍କ ରଚିତ ନାରୀ ଶକ୍ତି ପୁସ୍ତକ ସଂଗ୍ରହାଳୟକୁ ପ୍ରଦାନ କଲେ l ଦିବଂଗତ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ନିଶାମଣୀ ମିଶ୍ରଙ୍କ ପୁତ୍ର ଲେଖକ ପୁଣ୍ୟ ପ୍ରଦୀପଙ୍କ ପକ୍ଷରୁ ୧୯୩୭ ମସିହା ପୂର୍ବର ଓଡିଆ ସାହିତ୍ୟର ଏକ ଶହ ଖଣ୍ଡ ପୁରାତନ ବିରଳ ପୁସ୍ତକ ଦାସିଆ ଅଜାଙ୍କ ପାଠାଗାର କୁ ପ୍ରଦାନ କଲେ l ପାଠାଗାର ସଂଗ୍ରହାଳୟରେ ଏହି ସାମଗ୍ରୀ ଓ ପୁସ୍ତକମାନ ଦର୍ଶକ, ପର୍ଯ୍ୟଟକ ଓ ଗବେଷକ ମାନଙ୍କୁ ଆକୃଷ୍ଟ କରିବ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ଓ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।