ମେଳା - ଦିନେଶ ମେହେର ଙ୍କ ଦ୍ଵାରା ରଚିତ କବିତା।
*ମେଳା*
ବେଳେ ବେଳେ
ଜୀବନର ଯେତେ ସବୁ ଜଞ୍ଜାଳକୁ
ଆଦରି ବସିଥିବା ବେଳେ
କେଉଁ ଏକ ଶୂନ୍ୟ ମଣ୍ଡଳରୁ ମେଳା ଆସି
ହାଜର ହୁଏ ଘର ଅଗଣାରେ,
ସବୁକିଛି ସେଇମିତି ଚାଲୁଥାଏ,
ଯେ'ଝା ବାଟେ ବ୍ୟସ୍ତ ବିବ୍ରତ,
ସେତିକି ବେଳେ ମେଳା ଆସି ପହଞ୍ଚେ,
ସଭିଙ୍କ ଓଠରେ ଫୁଟି ଉଠେ ହସ
ମୁହଁରେ ଆନନ୍ଦ
ଆଖିରେ ଅନେକ ଅସୁମାରୀ ସ୍ବପ୍ନ
ଆଉ ହୃଦୟରେ ଅନେକ ଆଶା,
ବେଳେ ବେଳେ
ମୀନାବଜାରର ଭିଡ଼ ଭିତରେ ହଜିଯିବାକୁ ଇଛାହୁଏ
ଇଛା ହୁଏ ଏଇ ଭିଡ଼ ଭିତରେ
ନିଜକୁ ମିଳେଇ ଦେବାପାଇଁ,
ଶୁଣିଛି ଏଠି ଭୟ, ବିଷାଦ କିଛି ବି ଛୁଇଁ ପାରେନି
କି କେବେ କବଳିତ କରି ପାରିନି
କେଇଟା ମୁହୂର୍ତ୍ତକ ପାଇଁ,
ମେଳା ଭିତରେ ଆସର ଜମେଇ
ଠିଆ ହେଇଥିବା ବିଶାଳ ଚକ୍ରୀ ଦୋଳିରେ
ଘୁରୁଥିବା ଲୋକମାନେ ବୋଧହୁଏ
ପୃଥିବୀର ଚକ୍କର ମାରୁଥାନ୍ତି,
ରେଳଗାଡ଼ିରେ କିନ୍ଦିରି ବୁଲୁଥାନ୍ତି
ଏ ପାଖରୁ ସେ ପାଖକୁ.....!
ଯେଉଁଠି ଦେଖ ସେଇଠି ଭିଡ଼,
ଲହରୀ ଉଠେ ଜନ ସମୁଦ୍ରର
କେହି କେହି କିଣାକିଣି କରୁଥିବା ବେଳେ
ଡ଼ାକବାଜି ଯନ୍ତ୍ରରେ କେତେ କଣ ବାଜୁଥାଏ,
ବାଜୁଥାଏ କାହା ହୃଦୟରେ ସାତସୂର,
ପୁଣି ଆଉ କେତେ କେତେ ଗୀତ,
ପେଁକାଲି ଶବ୍ଦରେ ଫାଟି ପଡୁଥାଏ
ମେଳା ପଡ଼ିଆ....!
ହେଲେ ମେଳା ସରିଗଲା ପରେ
ସବୁକିଛି ଓଲଟ ପାଲଟ ହେଇ ରହିଯାଏ
ବାକି ରହିଯାଏ କେଇ ମୁଠା ଛିଣ୍ଡା ସ୍ମୃତି
ଏଇଠି ସେଇଠି ସବୁଠି କେବଳ
ହତଭାଗ୍ୟର ଭାଗ୍ୟ,
ମେଳା ପଡ଼ିଆରେ ରହିଯାଏ କେବଳ
ଖାଁ ଖାଁ ନୀରବତା
ସବୁ ସରିଗଲା ପରେ.........!
ଦିନେଶ ମେହେର
ଜୁନାଗଡ଼, କଳାହାଣ୍ଡି
ମୋ - ୮୦୧୮୮୨୮୪୫୬
ସୌଜନ୍ୟ: ଖଣ୍ଡାଧାର ନିଉଜ