୩୦ ଦିନରେ ୩୦ ଜିଲ୍ଲା ସହିତ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ "ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ।
୩୦ ଦିନରେ ୩୦ ଜିଲ୍ଲା ସହିତ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ "ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ
*ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା, ଘଟଗାଁ, କେନ୍ଦୁଝର*
ଘଟଗାଁ : ୨୬ /୨ : ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ ନିଜ ଉଦ୍ୟମରେ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନର ଦଶମ ଦିବସ ଅବସରରେ ପବିତ୍ର ମା ତାରିଣୀ ପୀଠ ଘଟଗାଁ ନିକଟସ୍ଥ ସାବିତ୍ରୀ ଲଜ୍ ରେ ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା, ଘଟଗାଁ, କେନ୍ଦୁଝରର ସଂପାଦକ ବାବୁଲାଲ ପଲେଇ ଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସଂପାଦକ ହେମନ୍ତ କୁମାର ସାହୁ ନିଜ ଉଦ୍ୟମରେ ୩୦ ଦିନରେ ଓଡ଼ିଶାର ୩୦ ଗୋଟି ଜିଲ୍ଲାକୁ ପରିଭ୍ରମଣ କରି ଲବ୍ଧ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ସହିତ ସାରସ୍ବତ ଯୋଗସୂତ୍ର ରକ୍ଷା କରିବା ଓ ଏକକ ସଂପର୍କ ସ୍ଥାପନ କରିବା ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକର ତଥ୍ଯ ସଂଗ୍ରହ କରିବା ଲକ୍ଷ୍ୟ ନେଇ ଚଳିତ ମାସ ତା ୧୬. ୦୨. ୨୦୨୬ ରିଖରେ ନିଜ ଅନୁଷ୍ଠାନ, କଳାହାଣ୍ଡି ରୁ ଅଭିଯାନର ଶୁଭାରମ୍ଭ କରି ମଟରସାଇକେଲ ମାଧ୍ୟମରେ କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ ଜିଲ୍ଲା ଦେଇ ଗତକାଲି ଦଶମ ଦିବସରେ କେନ୍ଦୁଝର ଜିଲ୍ଲାର ପବିତ୍ର ମା ତାରିଣୀ ପୀଠ ଘଟଗାଁରେ ପହଞ୍ଚି ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠାର ସଂପାଦକ ଶ୍ରୀ ବାବୁଲାଲ ପଲେଇ ଙ୍କ ସହ ସାହିତ୍ୟ ତଥା ସାହିତ୍ୟର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଛନ୍ତି । ସନ୍ଧ୍ୟାରେ ସାବିତ୍ରୀ ଲଜ୍ ପରିସରରେ ଶ୍ରୀ ପଲେଇ ଙ୍କୁ ପ୍ରଥମେ ସ୍ବାଗତ କରିବା ପରେ ପରେ ଏକକ ଅଭିଯାତ୍ରୀ ହେମନ୍ତ ସାହୁ ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ସଂପାଦକ ଶ୍ରୀ ପଲେଇ ନିଜ ସଂସଦ ର ଗୌରବମୟ ଇତିହାସ ଓ ଅନୁଷ୍ଠାନ ଦ୍ବାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ଏ ଯାତ୍ରା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ଯୁଗଯାତ୍ରୀ ସାହିତ୍ୟ ସଂସଦ ତିରିଶ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନକୁ ସମ୍ପର୍କ ଅଭିଯାନ କରୁଥିବା କହିଥିଲେ । ଏଥିସହିତ ଯୁଗ ଯାତ୍ରୀର ଏହି ପ୍ରଚେଷ୍ଟା ଅନ୍ୟ ସାହିତ୍ୟ ଅନୁଷ୍ଠାନମାନଙ୍କ ପାଇଁ ତଥା ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ଶ୍ରୀ ପଲେଇ ମତବ୍ୟକ୍ତ କରିଥିଲେ । ପରେ ଅନୁଷ୍ଠାନର ସମସ୍ତ ତଥ୍ୟ ଲିଖିତ ଆକାରରେ ଶ୍ରୀ ସାହୁଙ୍କୁ ସଂଯୋଗୀ ସାହିତ୍ୟ ସଂସଦର ସଂପାଦକ ପ୍ରଦାନ କରିଥିଲେ ।
ଏହି ଅଭିଯାନରେ ଓଡ଼ିଶାର ତିରିଶ ଗୋଟି ଜିଲ୍ଲାରେ ଥିବା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାରସ୍ଵତ ସମ୍ପର୍କର ଏକ ସୂତ୍ରରେ ବାନ୍ଧିବାର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକର ତଥ୍ୟ ସଂଗ୍ରହ ପୂର୍ବକ " ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ" ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା କହିଥିଲେ ଏକକ ଅଭିଯାତ୍ରୀ ଯୁଗ ଯାତ୍ରୀର ସମ୍ପାଦକ ହେମନ୍ତ ସାହୁ । ଏହି ଅଭିଯାନ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲା ଯିବା ପରେ କଳାହାଣ୍ଡି ରେ ମାର୍ଚ୍ଚ ମାସ ୧୮ ତାରିଖରେ ଶେଷ ହେବାର ଯୋଜନା ରହିଛି ବୋଲି ସଂପାଦକ ଶ୍ରୀ ସାହୁ ଙ୍କ ଠାରୁ ପ୍ରକାଶ। ଏହି ଅଭିଯାନଟି ସମ୍ପାଦକ ନିଜ ଉଦ୍ୟମରେ କରିଥିବା ଜଣାପଡିଛି ।
ଖଣ୍ଡାଧାର ନିଉଜ- ବାବୁଲାଲ ପଲେଇ ଙ୍କ ରିପୋର୍ଟ।