logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲାରେ ଶିଶୁଙ୍କ ସୁରକ୍ଷା ଦାୟିତ୍ୱ ନିଭାଇବାକୁ ସରକାରୀ ସଂସ୍ଥାର ଅବହେଳା।

ଜିଲ୍ଲାରେ ଶିଶୁଙ୍କ ସୁରକ୍ଷା ଦାୟିତ୍ୱ ନିଭାଇବାକୁ ସରକାରୀ ସଂସ୍ଥାର ଅବହେଳା।

କେନ୍ଦୁଝର, ତା୨୬/୨- ଜିଲ୍ଲା ଶିଶୁ ସୁରକ୍ଷା ସଂସ୍ଥା ନିଜ ଦାୟିତ୍ୱ ଠାରୁ ବହୁ ଦୂରରେ। ବାପ, ମା' ଛେଉଣ୍ଡ ପିଲା ଅବା ସ୍ଵାମୀ ପରିତ୍ୟକ୍ତା ମହିଳାଙ୍କ ପିଲାଙ୍କୁ ପୃଷ୍ଟପୋଷକତା ଯୋଗାଇ ଦେବା ପାଇଁ ସାମାନ୍ୟ ତତ୍ପର ନାହିଁ। ଏପରିକି ଦରଖାସ୍ତ ପାଇଁ ଫର୍ମ ଯୋଗାଇ ଦେବାକୁ ରାଜି ନୁହେଁ ଏ ସଂସ୍ଥା। ଏପରି ଅଭିଯୋଗ ଆଣିଛନ୍ତି ଜିଲ୍ଲାର କେତେକ ସ୍ଵେଚ୍ଛାସେବୀ। ରାଜ୍ୟର ପ୍ରତି ଜିଲ୍ଲାରେ ଏପରି ଜିଲ୍ଲା ଶିଶୁ ସୁରକ୍ଷା ସଂସ୍ଥା ରହିଛି। ଏହା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟ କରିଥାଏ। ଏ ସଂସ୍ଥାର ନିତିଦିନ କାମ ସକାଶେ ସରକାର ଆବଶ୍ୟକ କର୍ମଚାରୀ ଯୋଗାଇ ଦେଇଥାନ୍ତି। ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରନ୍ତି। ଏ ସଂସ୍ଥା ଜିଲ୍ଲାର ଶିଶୁଙ୍କ ସୁରକ୍ଷା ପାଇଁ କାମ କରେ। ଏହି ସୁରକ୍ଷା ଭିତରେ ରହିଛି ଅନାଥ ପିଲାଙ୍କୁ ପୃଷ୍ଟ ପୋଷକତା ଯୋଗାଇ ଦେବା। ଏପରି ପରିସ୍ଥିତିର ପିଲାଙ୍କ ପଢା ଖର୍ଚ୍ଚ ବହନ କରିଥାଏ। ବିଦ୍ୟାଳୟ ହଷ୍ଟେଲରେ ରହି ପଢ଼ୁଥିବା ପିଲାଙ୍କୁ ମାସକୁ ଚାରି ହଜାର ଟଙ୍କା ଲେଖାଏଁ ସହାୟତା ଦେବାର ବ୍ୟବସ୍ଥା ଥିବା ବେଳେ, ନିଜ ଘରେ ରହି ବିଦ୍ୟାଳୟରେ ପଢୁଥିବା ପିଲାଙ୍କୁ ମାସିକ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାର ପ୍ରାବଧାନ ରହିଛି। ହସ୍ତଗତ ଖବର ଅନୁଯାୟୀ, ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଅନେକ ଅନାଥ ପିଲା ଏ ପୃଷ୍ଟପୋଷକତା ପାଇଁ ଦରଖାସ୍ତ କରିଛନ୍ତି କିନ୍ତୁ ଦୀର୍ଘ ଦିନ ଧରି ଏ ସଂସ୍ଥାର ବୈଠକ ବସି ନଥିବାରୁ, ଚଳିତ ଶିକ୍ଷା ବର୍ଷରେ କୈ।ଣସି ଛାତ୍ରଛାତ୍ରୀଙ୍କୁ ପୃଷ୍ଟପୋଷକତା ବାବଦକୁ ସହାୟତା ରାଶି ମିଳି ନାହିଁ। ଫଳରେ ଅନେକ ଗରିବ, ଅନାଥ ପିଲା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଘରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ, ପରିବାରର ନିତିଦିନିଆ ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇ ପଡିଥିବା ବେଳେ, ପିଲାଙ୍କ ପାଠ ପଢା ଖର୍ଚ୍ଚ ତୁଲାଇବା ସମ୍ଭବ ହୋଇ ନଥାଏ। ଏଥିପାଇଁ ଅଭିଭାବକ ମାନେ ତାଙ୍କ ପିଲାଙ୍କ ପାଠ ପଢ଼ା ସକାଶେ ଆବଶ୍ୟକ ଅର୍ଥ ପାଇଁ ଏ ସଂସ୍ଥାକୁ ଦରଖାସ୍ତ କରିଥାନ୍ତି। ହେଲେ ଏ ସଂସ୍ଥା ସେଥିପାଇଁ ଆଦୌ ତତ୍ପର ନଥିବାର ଦେଖାଯାଏ। ଏହାର ବୈଠକ ବସୁ ନାହିଁ। କେଉଁ ପିଲା ସହାୟତା ପାଇବେ, କିଏ ପାଇବେ ନାହିଁ, ତା'ର ତର୍ଜମା କରାଯାଉ ନାହିଁ। ଏପରିକି ଦରଖାସ୍ତ ପାଇଁ ଫର୍ମ ଦେବାକୁ ମଧ୍ୟ ଏମାନେ ଅମଙ୍ଗ। ଦରଖାସ୍ତ ଫର୍ମ ମାଗଣାରେ ମିଳୁ ନାହିଁ। ହିତାଧିକାରୀଙ୍କୁ ନିଜ ଖର୍ଚ୍ଚରେ ଏହାର ନକଲ କରି ନେବାକୁ ପଡୁଛି। ଏପରିକି ଏ ନକଲ ଉପରେ ସଂସ୍ଥାର ସିଲ୍ ଲଗାଇବାକୁ ମଧ୍ୟ କର୍ମଚାରୀ ନାରାଜ। କେବଳ ସେତିକି ନୁହେଁ, ଗରିବ, ଅନାଥ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଏଠାକୁ ଆସୁଥିବା ସ୍ଵେଚ୍ଛାସେବୀ ମାନଙ୍କୁ ଏମାନେ ଦୁର୍ବ୍ୟବହାର କରିବାର ଅଭିଯୋଗ ମଧ୍ୟ ହୁଏ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ସରକାରଙ୍କ ରାଜ କୋଷରୁ ଦରମା ନେଇ ଶିଶୁଙ୍କ ସୁରକ୍ଷା ପାଇଁ ନିୟୋଜିତ ବ୍ୟକ୍ତିମାନଙ୍କ ଏପରି ଅବହେଳା, ଜିଲ୍ଲାର ଅନାଥ, ଅଭାବୀ ପିଲାଙ୍କ ପାଇଁ ଏକ ଉପହାସ ବୋଲି କହିଲେ, ଅତ୍ୟୁକ୍ତି ହେବନାହିଁ।‌ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

3
824 views

Comment