ଗ୍ରାମପଞ୍ଚାୟତ ସ୍ତରରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଜିଲ୍ଲା ସଂଚାଳନ ସମିତି ବୈଠକ।
ଗ୍ରାମପଞ୍ଚାୟତ ସ୍ତରରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଜିଲ୍ଲା ସଂଚାଳନ ସମିତି ବୈଠକ।
କେନ୍ଦୁଝର,ତା୨୬/୨- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲାର ଚାରିଗୋଟି ବ୍ଲକର ମୋଟ ୮୪ଟି ଗ୍ରାମ ପଞ୍ଚାୟତରୁ ସ୍ୱଚ୍ଛଭାରତ ମିଶନ ଗ୍ରାମୀଣ କାର୍ଯ୍ୟକ୍ରମ ଅଧିନରେ ସଂଗ୍ରହ କରାଯାଉଥିବା ଶୁଖିଲା ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସିଧାସଳଖ ଭାବରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ଏହି ପାଞ୍ଚଟି ନଗରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ ଦ୍ବାରା ସଂଗ୍ରହ କରାଯିବା ପାଇଁ ଆଲୋଚନା ହୋଇଥିଲା। ଜିଲ୍ଲାର ଆନନ୍ଦପୁର ପୌର ପରିଷଦ, କେନ୍ଦୁଝରଗଡ ପୌର ପରିଷଦ, ଯୋଡ଼ା ପୌର ପରିଷଦ, ବଡ଼ବିଲ ପୌର ପରିଷଦ ଏବଂ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ଗୁଡ଼ିକରେ ନିର୍ମାଣ ହୋଇଥିବା ଏମ.ଆର.ଏଫ ଗୁଡ଼ିକୁ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯିବା ସହିତ ଏହାକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଏକ ରୁଟଚାର୍ଟ ପ୍ରସ୍ତୁତ କରିବା ପାଇଁ ଆଲୋଚନା ହୋଇଥିଲା।
ଏଥିସହ ଜିଲ୍ଲାର ମୋଟ ୨୨ଗୋଟି ପର୍ଯ୍ୟଟନସ୍ଥଳୀ ଓ ଏହା ସଂଲଗ୍ନ ମୁଖ୍ୟ ରାସ୍ତା ପାର୍ଶ୍ୱ ପର୍ଯ୍ୟଟକ ପ୍ରଭାବିତ ଗ୍ରାମ ଓ ଏହା ଅନ୍ତର୍ଗତ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସହାରାଞ୍ଚଳ ଗୁଡିକରେ ନିତିଦିନ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ପରିମାଣର ସର୍ଭେ କରାଯାଇ ଏହି ପର୍ଯ୍ୟଟନ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ନିୟମିତ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବା ସହ ଏହି ଅଞ୍ଚଳର ସ୍ବଚ୍ଛତା ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ପ୍ରୟାସରେ ଏକ କାର୍ଯ୍ୟକ୍ରମ କରାଯିବାକୁ ଆଲୋଚନା ହୋଇଥିଲା। ଏହି ଜିଲ୍ଲା ସ୍ତରୀୟ ସଂଚାଳନ ସମିତି ବୈଠକରେ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କେନ୍ଦୁଝର ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଯୋଗେନ୍ଦ୍ର ସିଂ, ରାଜ୍ୟ ସ୍ତରୀୟ ପରିମଳ ପରାମର୍ଶଦାତା, ୟୁନିସେଫ ରିସୋର୍ସପର୍ସନ ଭାବରେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିନିଧି, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ପୌରପରିଷଦ ଓ କରଞ୍ଜିଆ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପରିମଳ ପ୍ରକଳ୍ପ ଅଧିକାରୀ ଏବଂ ଜିଲ୍ଲା ଜଳ ଓ ପରିମଳ ମିଶନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପରିଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥା, କେନ୍ଦୁଝର ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ କିଭଳି ଭାବରେ ସୂଚାରୁ ରୂପେ ତ୍ବରାନ୍ୱିତ କରାଯିବ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।