ଶ୍ରୀରାମପାଇଁ ଦିନଟିଏ - ଡ. ଭାରତୀ ହୋତା ଙ୍କ ଦ୍ଵାରା ରଚିତ କବିତା।
ଶ୍ରୀରାମପାଇଁ ଦିନଟିଏ
**************
ଆସ ଆସ...
ଆସୁ କି ନ ଆସୁ ମୁହଁରେ ରାମ ନାମ
ଅନ୍ୟ ମନସ୍କତାରେ ଉଚ୍ଚାରିଦେବା ମରା ମରା
ସମୂହ ସ୍ଵରେ... ।
ଆସ ଆସ...
ଏବେ ବି ଅଛି ସମୟ
ଅନୁତାପର ପ୍ରଲେପ ମାଖି
ସାରା ଶରୀର ପଖାଳି ନେବା
ବଳକା ବୟସ ପାଇଁ ପିନ୍ଧିନେବା
ପଶ୍ଚାତାପର ଗୈରିକ ବସ୍ତ୍ର,
ପ୍ରାୟଶ୍ଚିତର ପବିତ୍ର ସ୍ନାନରେ
ଧୋଇନେବା ରକ୍ତରଙ୍ଗା ହାତ ପାଦ ।
ଆସ ଆସ
ୟାଠୁ କିଛି ବି ନାଇ ସହଜ ସରଳ ପନ୍ଥା
ଗଢ଼ିବାକୁ ଦରଦୀ ହୃଦୟ
ଦସ୍ୟୁପଣ ଛାଡ଼ି ରତ୍ନାକର
ହୋଇଯିବା ବାଲ୍ମୀକି
ରଚି ନେବା ତୀବ୍ର ଯନ୍ତ୍ରଣାବୋଧର ମହାକାବ୍ୟ
ଭେଦାଭେଦ ଭୁଲି
ଦୁରେଇଦେବା ଦସ୍ୟୁ ଦେବତାର ଦୂରତ୍ବ
ସାମିଲ ହୋଇଯିବା ଦୀପଟିଏ ଜାଳି
ମଧୁମୟ ସର୍ଜନାରେ... ।
ଜାଣିଛ ,
ଏଠି ପଥର ବି କଥା କୁହେ
ବର୍ଷ ବର୍ଷ ଧରି ମାନସ ପଟରେ ସାଇତା
ଭଗବତ ସତ୍ତା
ବାଳ ଦିଅଁ ରୂପରେ ଇତିହାସ ରଚେ
ତାର ଜନ୍ମ ଏ ମାଟିର ଚରମ ଉପଲବ୍ଧି
ତା' ରୂପ ଅନୁପମ
ତା ମାନସ ମହାଭାରତୀୟ ।
ଡ ଭାରତୀ ହୋତା
ଖରିଆର୍ ରୋଡ଼
ନୂଆପଡ଼ା
ସୌଜନ୍ୟ ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।