ପୂଣ୍ୟଭୂମି ଆମୁଣି ଗାଁରୁ, ପ୍ରଜା ବିଦ୍ରୋହର ଶଙ୍ଖନାଦ।
ପୂଣ୍ୟଭୂମି ଆମୁଣି ଗାଁରୁ, ପ୍ରଜା ବିଦ୍ରୋହର ଶଙ୍ଖନାଦ।
- ଘନଶ୍ୟାମ ପଲେଇ
ଭାଗ-୭
ବିଚିତ୍ରାନନ୍ଦ ବାବୁ ଜଣେ ସାମାନ୍ୟ କର୍ମଚାରୀ ହୋଇ ଆଉ ଜଣେ କର୍ମଚାରୀକୁ ଦୁର୍ବ୍ୟବହାର କରୁଛନ୍ତି। ଯୁବକ ଧରଣୀଧରଙ୍କ ମନ ବିଦ୍ରୋହ କରି ଉଠିଲା। ତାଙ୍କ ମନ ପ୍ରାଣକୁ ଆଘାତ ଲାଗିଲା। ସେ ମହାରାଜାଙ୍କୁ ସାକ୍ଷାତ କରିବାକୁ ଚାହିଁଲେ। ତା’ ସହିତ ସ୍ଥିର କଲେ ଯେ ବିଚିତ୍ରାନନ୍ଦଙ୍କ ବ୍ୟବହାର ବିଷୟରେ ସବୁ ରାଜାଙ୍କୁ ଜଣାଇ ଏହାର ପ୍ରତିକାର କରାଇବେ। ଯେତେହେଲେ ସେ ତାଙ୍କର ରାଜା। ବିଚିତ୍ରାନନ୍ଦ ସିନା ଜଣେ କୂଟଚକ୍ରୀ କର୍ମଚାରୀ ହୋଇଥିବାରୁ ତାଙ୍କୁ ବେଖାତିର୍ କରୁଛନ୍ତି। ତାଙ୍କର ମୂଲ୍ୟ ବୁଝି ପାରୁ ନାହାଁନ୍ତି। ମହାରାଜା କ’ଣ ସେ କଥା ବୁଝିବେ ନାହିଁ..? ଧରଣୀଧର ଏମିତି ଏକ ଆବେଗପୂର୍ଣ୍ଣ ପରିସ୍ଥିତିର ସାମ୍ନା କରୁଥିଲେ।
ଏଣେ ଆସିଷ୍ଟାଣ୍ଟ ମେନେଜର ବିଚିତ୍ରାନନ୍ଦ ବାବୁ ମହାରାଜାଙ୍କୁ ପରାମର୍ଶ ଦେଲେ ଯେ – ଛୋଟ ପଦିକାରେ ଜମି ମାପ କରାଇଲେ ଅଧିକ ଖଜଣା ମିଳିବ। କଥାଟା ସତ୍ୟ ବୋଲି ମହାରାଜାଙ୍କ ମନକୁ ଘେନିଲା। ତଦନୁରୂପ କାର୍ଯ୍ୟ କରାଇବା ପାଇଁ ସବ ଓଭର ସିଅର ଧରଣୀଧର ବାବୁଙ୍କୁ ଡକାଇଲେ।
ଧରଣୀଧରଙ୍କୁ ଡାକରା ଆସିଲା। ରାଜା ଡକାଇଛନ୍ତି। ଧରଣୀ ଉତଫୁଲ୍ଲିତ ହୋଇ ଉଠିଲେ। ଏଇତ ସୁବର୍ଣ୍ଣ ସୁଯୋଗ। ରାଜାଙ୍କ ସହ ଭେଟ ହେବା ସହ ନିଜ ଦୁଃଖ କଥା ଜଣାଇ ପାରିବେ। ସେ କାଳ ବିଳମ୍ବ ନ କରି ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ।
ରାଜା ଧରଣୀଧରକୁ ଚାହିଁଲେ ନାହିଁ କି ସମ୍ଭାଷଣରେ ପଦୁଟିଏ ପଇଟିଲା ନାହିଁ ତାଙ୍କ ତୁଣ୍ଡରୁ। ଧରଣୀଧରଙ୍କ ହୃଦୟଟା ଫାଟି ପଡୁଥିଲା। ତାଙ୍କୁ ଅଣନିଶ୍ୱାସୀ ଲାଗିଲା। ଅବିଶ୍ୱାସ ହେଉଥିଲା... ଇଏ କଣ ସେଇ ରାଜା? ଯିଏ ତାଙ୍କୁ କଟକରେ ପାଠ ପଢାଇ ଉଚ୍ଚ ଶିକ୍ଷିତ କରିବାର ସ୍ୱପ୍ନ ଦେଖୁଥିଲେ!!!
ଧରଣୀ ଦିକଦାର ହେଲେ ନାହିଁ। ନୀରବ ନିଷ୍ପଦ ଭାବେ ଠିଆ ହୋଇଥିଲେ ମହାରାଜାଙ୍କ ସାମ୍ନାରେ।
ରାଜା ଉଚ୍ଚ ଗଳାରେ କହିଲେ- “ତମ ଚାକିରୀ କେତେ ଦିନ ହେଲା..? ଏଇ ଦିନ ଗୁଡିକରେ କ’ଣ ବା କରିଛ ତମେ? ମୁଁ ଶୁଣୁଛି ତମେ କୁଆଡେ ଚୁପଚାପ୍ ରହୁଛ... ଅଲଗା ବସୁଛ। କୌଣସି ରାଜ କର୍ମଚାରୀଙ୍କ ସହ ମିଶୁ ନାହଁ। ମୁଁ କଣ ଏଇଥି ପାଇଁ ତମକୁ ପାଠ ପଢାଇବାକୁ କଟକ ପଠାଇଥିଲି”।
ରାଜାଙ୍କଠାରୁ ଏଭଳି ଅନ୍ୟାୟ କଥା ଶୁଣି ସେ ବିଚାରୁ ଥିଲେ- ମୁଁ କେତେବେଳେ ଚୁପ୍ଚାପ୍ ବସିଲି। ମୋତେ ପରିବେଶ ବାଧ୍ୟ କରାଇ ଦେଉଛି। ଏହି ବିଚିତ୍ରାନନ୍ଦ ହିଁ ତ ସବୁ କାମରେ ଛେଙ୍କି ହେଉଛି। ମୁଁ ଆସିଲା ବେଳେ ରାସ୍ତା ଘାଟର ବିଶେଷ ସୁବିଧା ନ ଥିଲା। ପରିବେଶ ଭଲ ନଥିଲା ବୋଲି କେଉଁଝରବାସୀ ଜ୍ୱର-ଅଶୁକରେ ପଡୁଥିଲେ। ଆମାଶୟ ରୋଗ ତ ଘର କରି ରହି ଯାଇଥିଲା। ମୁଁ ଏସବୁ ଦୂର କରିବା ପାଇଁ ନଗର ଉନ୍ନୟନ ଯୋଜନା ପ୍ରସ୍ତୁତ କରି କି ଦେଲି। ଗଡ ଚତୁର୍ଦ୍ଦିଗରେ ଥିବା ଅରଣ୍ୟ ସଫା କରାଇ ପ୍ରାନ୍ତିର ସୃଷ୍ଟି କରାଇଲି। ମୋର ଦୋଷ କଣ ରହିଲା ହଜୁର!
କିଛି କହିବା ପାଇଁ ତାଙ୍କ ଅଧର ଓଷ୍ଠ କମ୍ପି ଉଠିଲା ବେଳକୁ ମହାରାଜା ଆଦେଶ ଦେଲେ- “ କାଲିଠାରୁ ତୁମେ ଜମି ମାପ କର। ସମଗ୍ର ରାଜ୍ୟର ଜମି ମାପିଲେ ନୂଆ ଖଜଣା ଧାର୍ଯ୍ୟ ହେବ। ମାପ ଅଠର ପଦିକାରେ ହେବ। ତା’ ସହିତ ସମଗ୍ର ରାଜ୍ୟର ନୂଆ ବନ୍ଦୋବସ୍ତ କରିବା ଦାୟିତ୍ୱ ବି ତୁମର”।
କ୍ରମଶଃ ପଢିବାକୁ ପାଇବେ....
------ *** -------
ଆମୁଣି, ହାଣ୍ଡିଭଙ୍ଗା, କେନ୍ଦୁଝର-31, ମୋ-9437718500
(ଯଦି ଆପଣ ନୂଆ ଆଉ ଏହାର ପୂର୍ବ ଭାଗ ପଢିବାକୁ ଚାହାଁନ୍ତି... ଦୟାକରି ମୋ ଫେସବୁକ୍ ପେଜକୁ ଯାଆନ୍ତୁ)
ବି.ଦ୍ର.-
ଏହା କେନ୍ଦୁଝରର ଗର୍ବ ଓ ଗୌରବ ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କୁ ନେଇ କାହାଣୀଟି ଗତିଶୀଳ। କେନ୍ଦୁଝରର ଅନେକ ଲେଖକଙ୍କ ଇତିହାସକୁ ପଢି ସାରିଲା ପରେ ସହଜରେ କିପରି ବିପ୍ଳବୀ ଧରଣୀଧରଙ୍କୁ ବୁଝିହେବ ଚେଷ୍ଟା କରିଛି। ଭୁଲ୍ ତ୍ରୁଟି ରହିଲେ କ୍ଷମା କରିବେ। ଏହା ଆପଣଙ୍କୁ କିପରି ଲାଗୁଛି ଜଣାଇବାକୁ ଅନୁରୋଧ... ଯାହା ପରବର୍ତ୍ତୀ ଭାଗ ଲେଖିବା ପାଇଁ ପ୍ରେରଣା ଯୋଗାଇବ। ନମସ୍କାର। ଜୟ ଜଗନ୍ନାଥ।
ସୌଜନ୍ୟ ଖଣ୍ଡାଧାର ନିଉଜ।