logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅବ୍ୟବସ୍ଥା ଘେରରେ କେନ୍ଦୁଝର ସହରର ଡେଲି ମାର୍କେଟ।

ଅବ୍ୟବସ୍ଥା ଘେରରେ କେନ୍ଦୁଝର ସହରର ଡେଲି ମାର୍କେଟ

* ମୌଳିକ ସୁବିଧାରୁ ବଂଚିତ ବ୍ୟବସାୟୀ ଏବଂ ଜନସାଧାରଣ
* କେବଳ ରାଜସ୍ବ ଆଦାୟ ମୁଖ୍ୟ ଉଦ୍ଦେଶ୍ୟ

କେନ୍ଦୁଝର:୨୪/୦୨ - କେନ୍ଦୁଝର ସହରର ମଧ୍ଯ ଭାଗରେ ଡେଲି ମାର୍କେଟ ଅବସ୍ଥିତ ଥିବା ବେଳେ, ଏହି ମାର୍କେଟକୁ ସହରର ବ୍ୟବସାୟିକ ପେଣ୍ଠସ୍ଥଳ ଭାବେ ବିବେଚନା କରାଯାଏ। ଏହି ମାର୍କେଟ ଭିତରେ ପ୍ରଭୁ ରାଧାକୃଷ୍ଣଙ୍କ ପବିତ୍ର ରାହାସ ମନ୍ଦିର ଏଵଂ ଭଗବାନ ଶିବଙ୍କ ମନ୍ଦିର ରହିଛି ଏବଂ ମାର୍କେଟ ଭିତରେ ୫ଶହରୁ ଉର୍ଦ୍ଧ ବିଭିନ୍ନ ଦୋକାନ ରହିଥିବା ବେଳେ, ମାର୍କେଟ ଭିତରେ ୨ଶହରୁ ଅଧିକ ପନିପରିବା ବ୍ୟବସାୟୀ ସେମାନଙ୍କ ବଣିଜ ପସରା ମେଲାଇ ଥାନ୍ତି ପ୍ରତିଦିନ। ଆଧ୍ୟାତ୍ମିକ ଏଵଂ ବ୍ୟବସାୟିକ ଗୁରୁତ୍ଵ ବହନ କରି ଆସୁଥିବା ବଜାରରେ କୋଣସି ମୌଳିକ ସୁବିଧା ନଥିବାରୁ ବ୍ୟବସାୟୀ ତଥା ବଜାରକୁ ଆସୁଥିବା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କେନ୍ଦୁଝର ସହରର ଡେଲି ମାର୍କେଟ ଭିତରେ ରାହାସ ମନ୍ଦିର ଏଵଂ ଶିବ ମନ୍ଦିର ରହିଥିବା ବେଳେ, ଦୈନିକ ବହୁ ଭକ୍ତଙ୍କ ଆଗମନ ହୋଇଥାଏ। ସେହିଭଳି ଏହି ବଜାରରେ ପରିବା ହାଟ, ବିଭିନ୍ନ ଜଡ଼ିବୁଟି, ଡାଲି, ଚାଉଳ, ବସ୍ତ୍ର, ଭୋଗ ସାମଗ୍ରୀ, ଗହଣା, ଇମିଟେସନ, ଖାଲି ଚଉପତି, ବିଭିନ୍ନ ବନସ୍ପତି, ଜଳଖିଆ, ଭୋଜନାଳୟ, ମନୋହରୀ ସାମଗ୍ରୀ, କଂସା ପିତ୍ତଳ ଆଦି ପ୍ରମୁଖ ଦୋକାନ ରହିଥିବାରୁ ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କ ଆଗମନ ହୋଇଥାଏ ଡେଲି ମାର୍କେଟକୁ। ଦୈନିକ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଥାଏ ଏହି ବଜାରରେ। ଏହି ମାର୍କେଟ ମଧ୍ୟରେ କେନ୍ଦୁଝର ଗଡ଼ ପୌର ପାଳିକାର ମଧ୍ୟ ମାର୍କେଟ କମ୍ପ୍ଲେକ୍ସ ରହିଛି। ଏହି ମାର୍କେଟରୁ ଦୈନିକ ହଜାର ହଜାର ଟଙ୍କା ମହାସୁଲ ଆଦାୟ କରିଥାଏ ରାହାସ ପୂଜା କମିଟି।

ପରନ୍ତୁ, ଏହି ଡେଲି ମାର୍କେଟ ଭିତରେ ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ପାଇଁ ଶୌଚାଳୟ ଟିଏ ନାହିଁ। ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ଫଳରେ ମାର୍କେଟ ଭିତରର ବ୍ୟବସାୟୀ ଏବଂ ସାଧାରଣ ଜନତା ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦୀର୍ଘ ବର୍ଷ ଧରି। କାହାକୁ ପରିସ୍ରା ଲାଗିଲେ ସେମାନେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଆଡୁ ରହିଥିବା ପ୍ରବେଶ ପଥରେ ପରିସ୍ରା କରିବାକୁ ବାଧ୍ୟ ହୁଅନ୍ତି। ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୁଏ ସେହି ପଥରେ।ସେଥିପାଇଁ ସେହି ପଥ ' ମୁତୁରି ଗଳି ' ନାମରେ ପରିଚିତ। ସେହିଭଳି ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ ସେଠାରେ। ଯାହା ବ୍ୟବସ୍ଥା ରହିଛି, ତାହା ନଗଣ୍ୟ ନିଶ୍ଚୟ। ସୁରକ୍ଷା ବ୍ୟବସ୍ଥା କଥା ନକହିବା ଭଲ। ଢିଲା ସୁରକ୍ଷା କାରଣରୁ ୨ ବର୍ଷ ପୂର୍ବେ ଡେଲି ମାର୍କେଟ ଭିତରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅବା ଅନ୍ୟ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୧ଶହରୁ ଉର୍ଦ୍ଧ ଦୋକାନ ଜଳିଯାଇ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଭସ୍ମୀଭୂତ ହୋଇ ଯାଇଥିଲା। ତା ସ୍ଵତେ ରାହାସ ପୂଜା କମିଟି ଅବା ପୌର ପ୍ରଶାସନ କିମ୍ଵା ଜିଲ୍ଲା ପ୍ରଶାସନ କାହାର ଚେତା ପଶୁନି। ଏଭଳି ଏକ ଜନଗହଳି ପୁର୍ଣ୍ଣ ମାର୍କେଟ, ଯେଉଁଠାରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ କାରବାର ହେଇଥିବା ସ୍ଥାନରେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ସହ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ରାହାସ ପୂଜା କମିଟି, ପୌର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ସାଧାରଣ ଜନତା।

ଖଣ୍ଡାଧାର ନିଉଜ- ଦିଲ୍ଲୀପ କୁମାର ସାହୁଙ୍କ ରିପୋର୍ଟ।

14
852 views

Comment