logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ସହ ପ୍ରାଚୀର ପତ୍ରିକାର ଉଦ୍ଘାଟନ।

*ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ସହ ପ୍ରାଚୀର ପତ୍ରିକାର ଉଦ୍ଘାଟନ*


ସ୍ୱର୍ଣ୍ଣକ୍ଷେତ୍ର ଗଦଗଦି, ତା. ୨୧ ଫେବୃଆରୀ:ସୋମବାର
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉତ୍ସାହ ଓ ଉତ୍କଣ୍ଠାର ସହିତ ପାଳିତ ହୋଇଯାଇଛି। ମାତୃଭାଷାର ମାହାତ୍ମ୍ୟ ଓ ସଂରକ୍ଷଣର ଆବଶ୍ୟକତାକୁ ମନେ ପକାଇବା ଲକ୍ଷ୍ୟରେ ଏହି ଅବସରରେ ବିଭିନ୍ନ ଶିକ୍ଷାମୂଳକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ଲଳିତ କୁମାର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାର ଗୌରବ, ତାହାର ସଂସ୍କୃତିକ ମୂଲ୍ୟବୋଧ ଓ ଦୈନନ୍ଦିନ ଜୀବନରେ ତାହାର ପ୍ରୟୋଗ ସମ୍ପର୍କରେ ସାରଗର୍ଭିତ ବକ୍ତବ୍ୟ ପ୍ରଦାନ କରିଥିଲେ। ସେ କହିଥିଲେ ଯେ ମାତୃଭାଷା ହେଉଛି ଆମ ଚିନ୍ତାଧାରାର ଆଧାର ଓ ଆମ ଅସ୍ତିତ୍ୱର ପରିଚୟ। ତେଣୁ ଏହାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୁଲିଖନ, ଶୁଦ୍ଧ ଲିଖନ, ଶୁଦ୍ଧ ପାଠନ, ଗଳ୍ପ କଥନ, ଆଶୁଭାଷଣ, କବିତା ଓ ଗଳ୍ପ ଲିଖନ, ଅନ୍ତାକ୍ଷରୀ ଓ ପ୍ରବନ୍ଧ ଲିଖନ ଭଳି ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା। ଏହି ସମସ୍ତ ପ୍ରତିଯୋଗିତାରେ ମୋଟ ୨୪୯ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମାତୃଭାଷା ପ୍ରତି ଆଗ୍ରହ ଓ ପ୍ରତିଭା ଦେଖି ଉପସ୍ଥିତ ଅତିଥିମାନେ ଅତ୍ୟନ୍ତ ପ୍ରସନ୍ନତା ବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି ଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ପରେ ଶିଶୁମାନେ ଓ ଗୁରୁମା-ଗୁରୁଜୀମାନଙ୍କ ଦ୍ୱାରା ଲିଖିତ ଗଳ୍ପ ଓ କବିତା ସମ୍ମିଳିତ ପ୍ରାଚୀର ପତ୍ରିକାର ଶୁଭ ଉଦ୍ଘାଟନ କରାଯାଇଥିଲା। ପ୍ରାଚୀର ପତ୍ରିକାରେ ସୃଜନଶୀଳ ରଚନାମାନଙ୍କ ସମାବେଶ ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଓ ଗର୍ବର ପରିବେଶ ସୃଷ୍ଟି ହୋଇଥିଲା।

ବିଦ୍ୟାଳୟର କନ୍ୟା ଭାରତୀର ଭଉଣୀମାନେ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ଶେଷରେ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

ଏହି ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମନରେ ମାତୃଭାଷା ପ୍ରତି ଆଦର, ଭଲପାଇବା ଓ ସଚେତନତା ଆହୁରି ବୃଦ୍ଧି ପାଇଥିବା ବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ଖଣ୍ଡାଧାର ନିଉଜ- କମଳଲୋଚନ ମହାନ୍ତ ଙ୍କ ରିପୋର୍ଟ।

14
604 views

Comment