logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭାରତୀୟ ସଂସ୍କୃତି ହେଉ ଉଜ୍ଜୀବୀତ

କିଏ ହେବ ଉତ୍ତରଦାୟୀ
ବାବୁଲାଲ ପଲେଇ

ଆର୍ଯ୍ୟ ଭୂମି ଭାରତ। ଭାରତୀୟ ସଭ୍ଯତା, ସଂସ୍କୃତି, ପରମ୍ପରା ବିଶ୍ୱର କଲ୍ଯାଣ ପାଇଁ ସର୍ବକାଳୀନ ପ୍ରେରଣା ଦାୟକ, ଦିଗଦର୍ଶକ ଓ ମାର୍ଗଦର୍ଶକ । ଆଜିର ଦିନରେ ବି ଏହା ପ୍ରମାଣିତ ହୋଇ ପାରିଛି। କିନ୍ତୁ ଦୁଃଖର ବିଷୟ, ଯେତେବେଳେ ସମଗ୍ର ବିଶ୍ୱ ଆମର ସଂସ୍କୃତି ଓ ପରମ୍ପରାକୁ ଆପଣେଇ ନେଉଥିବା ବେଳେ ଭାରତରେ ସମାଜର ଚିତ୍ରପଟ୍ଟ ବିପରିତମୁଖୀ । ଆଦର୍ଶ ଏଠି ମୂଲ୍ୟହୀନ , ବରଂ ଭ୍ରଷ୍ଟାଚାର, ଅପରାଧ, ହିଂସା, ଦ୍ବେଷ ,ଆତଙ୍କ ଆଦି ବିଷମତାର ବୁଢିଆଣୀ ଜାଲରେ ଶ୍ୱାସରୁଦ୍ଧ ହୋଇ ପଡୁଛି ମନୁଷ୍ୟ। ଦିଶାହୀନ ଘନ ଜଙ୍ଗଲ ମଧ୍ୟରେ ଆଦର୍ଶ ଆଜି ଭ୍ରମିତ। ପାଦେ ପାଦେ ସପ୍ତଫେଣୀ କଣ୍ଟାର ଭୟ। ବାକ୍ ସ୍ୱାଧୀନତା ଆଜି ଭୁଲୁଣ୍ଠିତ। ପାଟି ଖୋଲିଲେ ଭର୍ତ୍ତି ହୁଏ ପାଳବିଣ୍ଡା। କଥା କଥାକେ କଳାପାଣିର ଭୟ କିମ୍ବା ନିଶୁଣୀର ଲମ୍ବା ରାସ୍ତାରେ ଧରାଇ ଦିଆଯାଏ ଟିକେଟ୍। ପରିବାର ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଜୀବନଶୈଳୀ ଏକ ବିରାଟ ରୂପ ଧାରଣ କରିଛି। ଫଳ ସ୍ୱରୂପ ପରସ୍ପର ମଧ୍ୟରେ ଦେଖାଯାଏ ଅବିଶ୍ୱାସ, ସ୍ନେହ ପ୍ରେମର ମୂଲ୍ୟ ଏଠି ତୁଛ। ପ୍ରତିଟି କ୍ଷେତ୍ରରେ ଅହଂ ର ପାଦୁର୍ଭାବ, ପୁରୁଷାର୍ଥକୁ ନେଇ ସମସ୍ତେ ଗର୍ବିତ। ଏଠି ନିଶ୍ବାସକୁ ବି ଭୟ । ଯେଉଁ ଯୋନିରୁ ମନୁଷ୍ୟ ଭୂମିଷ୍ଠ ହୋଇଛି, ସେହି ଯୋନି ଉପରେ ବାରମ୍ବାର ଅତ୍ଯାଚାର, ନିର୍ଯ୍ୟାତନା ଅବା ପ୍ରହାର କରିବାକୁ କୁଣ୍ଠିତ ନୁହେଁ। ଆଜି ହିଂସ୍ର ଜନ୍ତୁଙ୍କ ଭଳି ମନୁଷ୍ୟର ବ୍ଯବହାର। ନାରୀଟିଏ ତା'ପାଇଁ ଅଲୋଡା, ଅଖୋଜା ବା କ୍ରିଡନକ କଣ୍ଢେଇ ଟିଏ ଭଳି। ଏଥିପାଇଁ କାହାକୁ ଦାୟୀ କରିବା, ପୁରୁଷ ନା ନାରୀ ? ଯଦିଓ ଏହା ଏକ ଅସମାହିତ ପ୍ରଶ୍ନ ତଥାପି ପୁରୁଷ ନିଜକୁ ଜାଣି ରଖିବା ଉଚିତ କି ନାରୀର ମମତା ଅନ୍ୟ କାହା ସହିତ ତୁଳନା କରାଯାଇ ନପାରେ। ଯେପରି ସମୁଦ୍ରରେ ଭାସୁଥିବା ବିଶାଳ ବରଫ ଖଣ୍ଡର ମାତ୍ର କିଛି ଅଂଶ ଆମେ ଦେଖିବାକୁ ପାଆନ୍ତି, କିନ୍ତୁ ତା'ଠାରୁ ଆହୁରି ବଡ ଅଂଶ ସେହି ବିସ୍ତୃତ ଜଳରାଶିରେ ବୁଡି ରହିଥାଏ ଆମ ଦୃଷ୍ଟି ଆଢୁଆଳରେ। ଠିକ୍ ସେହିପରି ସମ୍ମୁଖରେ ନାରୀର ବାହ୍ୟ ରୂପକୁ ଦେଖି ଥାଆନ୍ତି, କିନ୍ତୁ ତା' ଭିତରେ ଥିବା ମାତୃତ୍ୱର ମମତାରେ ପରିପୂର୍ଣ୍ଣ ବିଶାଳ ହୃଦୟକୁ କିମ୍ବା ତା'ଅନ୍ତର ତଳେ ଲୁଚି ରହିଥିବା ବିରାଟ ଉତ୍ତପ୍ତ ଲାର୍ଭାକୁ ଦେଖି ପାରିନାହାନ୍ତି। ସେ ସବୁ ସହିପାରେ କିନ୍ତୁ ପାପର ଭାର ସେରକ ପୁରିଗଲେ ତା'ର ଅସଲ ରୂପ ଦେଖାଇବାକୁ ବାଧ୍ୟ ହୋଇଥାଏ।
କଥାରେ ଅଛି - ଦୁହିତା ଦୁଇ କୁଳକୁ ହିତା ନଚେତ୍ ପିତା। ଦୁଇ କୁଳ ( ବାପ ଘର ଓ ଶାଶୁ ଘର) ର ଯେ ହିତ ସାଧନ କରି କର୍ମ କରିଚାଲେ ,ସେ ହିଁ ପ୍ରକୃତରେ ଦୁହିତା ପଦବାଚ୍ଯ। ବାପଘରେ ସେ ଗଣ୍ଠି ଧନ ଆଉ ଶାଶୁଘରେ ମା'ଗୃହଲକ୍ଷ୍ମୀ। ଜନ୍ମଭୂମି ପିତାଘର ହେଲେ ମଧ୍ୟ କର୍ମଭୂମି ତା'ର ଶାଶୁଘର। ସେଇଠି ହିଁ ତା'ର ସୃଷ୍ଟି ହୁଏ ପରିଚୟ ଆଉ ପରିପ୍ରକାଶ ପାଏ ଅନ୍ତର୍ନିହିତ ଶକ୍ତିର ଗୁଣାବଳି। ମାନ, ସମ୍ମାନ, ମର୍ଯ୍ୟାଦା ପ୍ରାପ୍ତ ହୁଏ ସେଇଠି। ଆଉ ସେଇଠି ହିଁ ତା'ର ଜୁଇ। ବାପାମାଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ଆଚାର ବ୍ଯବହାର, ଚାଲିଚଳନ, ନିଜ ଅଭିଜ୍ଞତାକୁ ପାଥେୟ କରି, କର୍ତ୍ତବ୍ୟ ଓ ଦାୟିତ୍ୱ ବିଷୟରେ ସଚେତନ ରହି , ସେବା ମନୋଭାବକୁ ସଙ୍ଗରେ ନେଇ ଶଶୁରାଳୟରେ ସେ ହୁଏ ସମସ୍ତଙ୍କର ପ୍ରିୟ ପାତ୍ର ଏବଂ ଦୁଇ କୂଳକୁ ପ୍ରଗତିଶୀଳ ସମାଜରେ ପ୍ରତିଷ୍ଠିତ କରାଇବା ପାଇଁ ସେ ତା'ର ସଂଗ୍ରାମ ଅହରହ ଜରିରଖେ। କିଛି ସେଥିରୁ ସଫଳ ହେଉଥିବା ବେଳେ ଆଉ କିଛି ପାରିପାର୍ଶ୍ବିକ ଅବସ୍ଥାକୁ ନେଇ ବିଫଳ ହୋଇଥାନ୍ତି।
ଦିନ ଥିଲା - କନ୍ଯାଦାନ ମହାପୂଣ୍ଯ ବୋଲି ବିବେଚନା କରା ଯାଇଥିଲା। ପୁତ୍ର ସୁଖ ସହିତ ପରିବାର ଲୋକେ କନ୍ଯାରତନ ଟିଏ ପାଇବା ପାଇଁ କେତେ ଆଶା କରୁଥିଲେ। କିନ୍ତୁ ଏହା ଆଜି ସଂପୂର୍ଣ୍ଣ ବିପରୀତ। କନ୍ଯାରତନ ଆଜି ଅଲୋଡା ହୋଇ ଯାଇଛି। ହୁଏତ ସମାଜର କ୍ରୁର ,ଲୋଲୁପ ଦୃଷ୍ଟି ପାଇଁ ହେଉ କିବା ଅର୍ଥଲୋଭି ସମାଜର ଯୌତୁକ ନିର୍ଯ୍ୟାତନା ହେଉ , ଏହାର ମୁଖ୍ୟ କାରଣ ହୋଇପାରେ। ତେଣୁ ଏହା ଏକ ପାପ ବୋଝ ରୂପେ ବିଚାର କରି ସ୍ୱର୍ଗର ପାରିଜାତକୁ ଭୂମିଷ୍ଠ ହେବା ପୂର୍ବରୁ ଜନନୀ ଜଠରୁ ତାକୁ ବିବର୍ଣ୍ଣା କରି ଦିଆଯାଉଛି କିମ୍ବା ଭୂମିଷ୍ଠ ହେବାକ୍ଷଣି ଫିଙ୍ଗି ଦିଆଯାଉଛି ଭୋକିଲା ପଶୁର ଆହାର ସକାଶେ। କଣ ତା'ର ଦୋଷ, ଜନନୀ ଜଠରେ ସୃଷ୍ଟି କରିବାକୁ ସେ କଣ ତା'ର ପିତାମାତାଙ୍କୁ ପ୍ରାର୍ଥନା କରିଥିଲା? ଯଦି ନା, ତେବେ ଏଭଳି ଉଦଭ୍ରାନ୍ତ ଚିନ୍ତାଧାରା ମନରେ ଉଦ୍ରେକ ହେଉଛି କାହିଁକି ? କଣ, ଗୋଟିଏ ଝିଅ ଠାରୁ ଗୋଟିଏ ପୁଅ ଅଧିକ ଉପଯୋଗୀ। ପୁଅ କଣ ବାପାମାଆଙ୍କୁ ଅଧିକ ସେବା ଓ ଆନନ୍ଦ ଦେଇ ପାରିବ କିମ୍ବା ଘରକୁ ଅମୃତମୟ ତୀର୍ଥସ୍ଥାନରେ ପରିଣତ କରି ପାରିବ ? ନର୍କକୁ ସ୍ୱର୍ଗରେ ପରିଣତ କରି ପାରିବ ।ଯଦି ହଁ ବୋଲି ଗ୍ରହଣ କରାଯାଏ, ତେବେ କାହିଁକି ଆଜି ବାପାମାଆ ଯାଇ ବୃଦ୍ଧାଶ୍ରମରେ ? ସାମାନ୍ୟ କେତେଟା ପେନସନ୍ ବା ଭତ୍ତା ଟଙ୍କା ପାଇଁ ବାପାମାଆ ଆଜି ନିଜ ଔରସରୁ ଜନ୍ମିତ ପୁଅ ଦ୍ୱାରା ନିର୍ଯାତିତ ହେଉଛନ୍ତି ? କିଏ ଦେବ ଏସବୁ ପ୍ରଶ୍ନର ଉତ୍ତର? କହନ୍ତୁ ଦେଖି କେଉଁ ଗୁଣେ ଗୋଟିଏ ଝିଅ ଠାରୁ ଗୋଟିଏ ପୁଅର ଆଦର ବେଶୀ ? ଯଦି ଆମ୍ଭ ପାଖରେ ଏହାର ଉତ୍ତର ନାହିଁ ତେବେ ଏଥିପାଇଁ କିଏ ହେବ ଉତ୍ତରଦାୟୀ ?
ନାରୀ ବିନା ପୁରୁଷର ଅସ୍ତିତ୍ୱ ନାହିଁ , ଏକଥା ପୁରୁଷ ଆଜି ମର୍ମେ ମର୍ମେ ହୃଦୟଙ୍ଗମ କରିବା ଉଚିତ। ଅନେକ ବ୍ୟକ୍ତି ମତ ପ୍ରକାଶ କରନ୍ତି କି ବଂଶରକ୍ଷା ଓ ମୃତ୍ୟୁ ପରେ ପିଣ୍ଡ ଦାନ ପାଇବା ନିମନ୍ତେ ପୁଅଟିଏ ପାଇଁ ପ୍ରାଧାନ୍ୟ ଦେଇ ଥାଆନ୍ତି। କିନ୍ତୁ ପୁଅମାନଙ୍କ ଅନାନ୍ଯ କାର୍ଯ୍ୟଶୈଳୀ, ବ୍ଯବହାର ସେମାନଙ୍କୁ ମର୍ମାହତ କରିଥାଏ। ହେଲେ, ସେମାନେ ନିରୁପାୟ। କହିବେ କାହାକୁ ? ଶୁଣିବ ବା କିଏ ? ଏହା ନିଜ ଅର୍ଜିତ କର୍ମଫଳ ନୁହେଁ ତ ? କେବଳ ଲୋକ ଲଜ୍ଜାକୁ ସାମ୍ନା କରି ନପାରି ଚୁପ ରହିବ ଛଡା ଚାଙ୍କ ପାଖରେ ଅନ୍ୟ କୌଣସି ପନ୍ଥା ନାହିଁ ଆଉ ଏହା ହିଁ ଆମର ମୁଖ୍ୟ ଦୁର୍ବଳତା ।
ଅନ୍ୟ ପକ୍ଷରେ ଝିଅଟିଏ ଶାଶୁ ଘର ସହ ସୁସଂପର୍କ ରକ୍ଷା କରି, କିଛି ପାଇବାର ଲାଳସା ମନରେ ନ ଆଣି ନିଜର ବାପାମାଆଙ୍କୁ ଅକୁଣ୍ଠିତ ଚିତ୍ତେ ସେବା କରିଥାଏ। ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ କିପରି ତୁଲାଇବାକୁ ପଡେ, ତାହା ସମାଜର ସ୍ୱାର୍ଥନ୍ୱୈଶୀ ପୁରୁଷକୁ ସତେ ଯେପରି ସଚେତନ କରାଇବା ପାଇଁ ଉଦ୍ୟମ ଜାରି ରଖିଛି। ଏକଥା ବି ମନେ ରଖିବାକୁ ହେବ ଯେ ଝିଅ ମଧ୍ୟ ପିତାମାତାଙ୍କର ଅନ୍ତେଷ୍ଟି କ୍ରିୟା କରିପାରିବ ଏବଂ ନାରୀ ବିନା ବଂଶ ରକ୍ଷା ଯେ ଅସମ୍ଭବ, ଏହା ହେଜିବାକୁ ହେବ,

----------------------
ସଂପାଦକ
ସଂଯୋଗୀ ସଜଫୁଲ
କୁଣ୍ଡାପିଠା ଘଟଗାଁ କେନ୍ଦୁଝର
ମୋ: ୯୩୪୮୫୩୮୯୯୦

ସୌଜନ୍ଯ ବାବୁଲାଲ ପଲେଇ,ଆଇମା ମିଡିଆ
ମୋବାଇଲ୍ ୯୪୩୭୧୫୨୯୩୬

14
3084 views

Comment