logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୂଣ୍ୟ ଭୂମି ଆମୁଣି ଗାଁ ରୁ ପ୍ରଜା ବିଦ୍ରୋହର ଶଙ୍ଖନାଦ

ପୂଣ୍ୟଭୂମି‌‌‌‌‌ ଆମୁଣି ଗାଁରୁ,
ପ୍ରଜା ବିଦ୍ରୋହର ଶଙ୍ଖନାଦ।
ଲେଖକ- ଘନଶ୍ୟାମ ପଲେଇ

ଭାଗ- ୬

ମହାରାଜା ଧନୁର୍ଜୟ ନାରାୟଣ ଭଞ୍ଜ ଧରଣୀଧରଙ୍କୁ ମେନେଜର କର୍ମରେ ନିଯୁକ୍ତି କରିବା ପାଇଁ ତତପର ହେବାରୁ ଆସିଷ୍ଟାଣ୍ଟ ମେନେଜର ବିଚିତ୍ରାନନ୍ଦ ଦାସ ପ୍ରମାଦ ଗଣିଲେ। ଧରିଣୀଧର ମେନେଜର ହେଲେ କଥା ସରିଲା। ତାଙ୍କର କାଟତି କମି ଯିବ। ଧରଣୀଧର ଯେପରି ଉଦାର ମନୋଭାବାପନ୍ନ ଓ ସ୍ୱାଧୀନଚେତା ମଣିଷ ତାଙ୍କ ଆଗରେ କୌଣସି ମାରପେଞ୍ଚ ଚଳିବ ନାହିଁ। ମହାରାଜା ତାଙ୍କ କଥା ହିଁ ଶୁଣିବେ। ତେଣୁ ମହାରାଜାଙ୍କୁ ବଶ କରିବାକୁ ଯାଇ କହିଲେ- “ଧରଣୀବାବୁ ଅବଶ୍ୟ ପାଠ ପଢି ଆସିଛନ୍ତି କିନ୍ତୁ ମେନେଜର କର୍ମ ଚଳାଇବାକୁ ତାଙ୍କର ବୟସ ହୋଇ ନାହିଁ। ବିଶାଳ କେନ୍ଦୁଝର ରାଜ୍ୟର ମେନେଜର ହେବାକୁ ଜଣେ ପୋଖତ ଲୋକ ଦରକାର। ଟୋକା ଟକଳା ଲୋକଙ୍କର ମାନସିକ ସ୍ଥିରତା ନଥାଏ। କେତେବେଳେ କ’ଣ ଭୁଲ କରି ପକାଇବେ..? ତେଣେ ଇଂରେଜ ସାହେବ ଗୁଡାକ ଗଡଜାତ ରାଜା ମହାରାଜାମାନଙ୍କୁ ଡାହାଳ କୁକୁର ଭଳି ଟାକି ବସିଛନ୍ତି। ଟିକିଏ ଭୁଲ କଲେ ଟାଓ କିନା ଗିଳି ପକେଇବେ। ଦେଖୁ ଦେଖୁ ରାଜ୍ୟଟାକୁ ଖାସ ମାହାଲରେ ପରିଣତ କରିଦେବେ। ଏଥିରେ ଅଣୁ ମାତ୍ର ସନ୍ଦେହ ନାହିଁ”।

ମହାରାଜା , ବିଚିତ୍ରାନନ୍ଦ ଦାସଙ୍କ କଥାରେ ଭଳି ଗଲେ। ଧରଣୀଧରଙ୍କୁ ମେନେଜର କର୍ମରେ ନିଯୁକ୍ତି ନଦେଇ ସବ ଓଭର ସିଅର କର୍ମରେ ନିଯୁକ୍ତି କଲେ। ଧରଣୀଧରର କାଳେ ମନ ଦୁଃଖ ହେବ ତେଣୁ ମହାରାଜା ତାକୁ ବୁଝାଇ କହିଲେ – “ଏଇନେ ସଦର କଚେରୀରେ ସବ ଓଭର ସିଅର କାମ କରୁଥା... କାମ ଶିଖିଯା, ପଛନ୍ତେ ମେନେଜରୀ କରିବୁ”।

ଧରଣୀଧର ବାବୁ କର୍ମରେ ଯୋଗ ଦେଲେ। ପ୍ରଜା ପାଟକ ଅମଲା ଫମଲା ତାଙ୍କ କାମରେ ଖୁସି ହୋଇ ପ୍ରଶଂସା କଲେ। ଏଣେ ବିଚିତ୍ରାନନ୍ଦଙ୍କୁ ସୁହାଉଛି କେତେ? ଗୋଟାକ ପରେ ଗୋଟିଏ ବଖଡ ବାହାର କଲେ। ଦିନେ ସିଧା ଧରଣୀଧରଙ୍କୁ ଆଦେଶ ଦେବା ଢଙ୍ଗରେ କହିଲେ- ‘’ଆରେ ବାବୁ! ଜମିଜମା ସିରିସ୍ତା କାଗଜ କଣ ମେଜରେ ଲେଖି ହେବ? କାଗଜ ଲୁଚାକୁଚା ହୋଇ ଚିରିଯିବ। ଏଇ ନିଅ ଅଖା... ତଳେ ବସି ସିରିସ୍ତା ଖୋଲ। ସାବଧାନ! କାଗଜରେ ଯେମନ୍ତେ ଧୂଳି ଲାଗି ମଇଳା ନହୁଏ”।

ଆସିଷ୍ଟାଣ୍ଟ ମେନେଜର ତ ଉପରିସ୍ଥ କର୍ମଚାରୀ, ତାଙ୍କ ଆଦେଶ ମାନିବାକୁ ବାଧ୍ୟ ହୋଇ ଅଖା ଉପରେ ବସି ସିରିସ୍ତା ଖୋଲିଲେ। ରାଜକାର୍ଯ୍ୟ ମନଯୋଗ ସହକାରେ କଲେ।

ଏକ ଦିଗରେ ମହାରାଜାଙ୍କ ପ୍ରତି ଆନୁଗତ୍ୟ, ଅପର ଦିଗରେ ଗୃହ ପ୍ରବେଶ ହେଉଁ ହେଉଁ ମୁଣ୍ଡରେ ଚାଳ ବାଜିବା ସଦୃଶ ଆସିଷ୍ଟାଣ୍ଟ ମେନେଜରଙ୍କ ଅବୈଧ ଆଦେଶ। ଧରଣୀଧର ବାବୁ ସାପ ଲାଞ୍ଜ ମୋଡି ହୋଇ ରହିଲା ଭଳି କିଂ କର୍ତ୍ତବ୍ୟ ବିମୂଢ ହୋଇ ରହିଲେ ମଧ୍ୟ କର୍ତ୍ତବ୍ୟରେ କେବେ ଅବହେଳା କଲେ ନାହିଁ।

କ୍ରମଶଃ ପଢିବାକୁ ପାଇବେ....
------ *** -------
ଆମୁଣି, ହାଣ୍ଡିଭଙ୍ଗା, କେନ୍ଦୁଝର-31,

ବି.ଦ୍ର.‌-
ଏହା କେନ୍ଦୁଝରର ଗର୍ବ ଓ ଗୌରବ ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କୁ ନେଇ କାହାଣୀଟି ଗତିଶୀଳ। କେନ୍ଦୁଝରର ଅନେକ ଲେଖକଙ୍କ ଇତିହାସକୁ ପଢି ସାରିଲା ପରେ ସହଜରେ କିପରି ବିପ୍ଳବୀ ଧରଣୀଧରଙ୍କୁ ବୁଝିହେବ ଚେଷ୍ଟା କରିଛି। ଭୁଲ୍ ତ୍ରୁଟି ରହିଲେ କ୍ଷମା କରିବେ। ଏହା ଆପଣଙ୍କୁ କିପରି ଲାଗୁଛି ଜଣାଇବାକୁ ଅନୁରୋଧ।

20
1640 views

Comment