logo

ରାଜକନିକାରେ ଚାଞ୍ଚଲ୍ୟ: ଘରୋଇ ଇଂରାଜି ମାଧ୍ୟମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଶିକ୍ଷକ ଓ ଜଣେ କର୍ମଚାରୀ ଥାନାରେ ଅଟକ


କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଏଭଳି ସଙ୍ଗିନ ଅଭିଯୋଗ ଆସିଛି । ଛାତ୍ରୀଙ୍କ ପରିବାର ସଦସ୍ୟ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ନିକଟରେ ଏନେଇ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ପରେ ଶିଶୁ ମଙ୍ଗଳ କମିଟି ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ସମ୍ପୃକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି । ଅଭିଯୋଗ ଲୋକଲୋଚନକୁ ଆସିବା ପରେ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି ।ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ରାଜକନିକା ଦେଉଳତରା ପଞ୍ଚାୟତ ଅଞ୍ଚଳର ପୀଡ଼ିତା ଛାତ୍ରୀ ଜଣକ ସ୍ଥାନୀୟ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ଖେଳଛୁଟି ସମୟରେ ଛାତ୍ରୀ ଜଣକ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସହ ଖେଳୁଥିଲେ । ଏହି ସମୟରେ ସମ୍ପୃକ୍ତ ଶିକ୍ଷକମାନେ ପାଳି କରି ତାଙ୍କୁ ଡାକି ନେଇ ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିଥିଲେ । ଏହି କାର୍ଯ୍ୟରେ ଜଣେ ଶିକ୍ଷୟିତ୍ରୀଙ୍କ ସହଯୋଗ ରହିଥିଲା । ବେଶ କିଛି ଦିନ ଧରି ଶିକ୍ଷକମାନେ ଏଭଳି ଅତ୍ୟାଚାର ଚଳାଇଥିବା ବେଳେ ନିକଟରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାର ଦିନକ ପୂର୍ବରୁ ଛାତ୍ରୀ ଜଣକ ନିଜ ମା'ଙ୍କ ଆଗରେ ଏହା କହିଥିଲେ । ଛାତ୍ରୀଙ୍କ ବାପା ବାହାରେ ରହୁଥିବା ବେଳେ ୪ ଦିନ ତଳେ ଘରକୁ ଫେରିଥିଲେ । ସେ ଏ ବାବଦରେ ଜାଣିବା ପରେ ସିଡବ୍ଲୁସିଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ସବିଶେଷ ବିବରଣୀ ଅବଗତ କରାଇଥିଲେ ।ସିଡବ୍ଲୁସି ଅଧ୍ୟକ୍ଷା ସ୍ୱାଗତିକା ପାତ୍ର କହିଛନ୍ତି କି, ଆମେ ପୀଡ଼ିତା ଛାତ୍ରୀଙ୍କ ପରିବାରଠାରୁ ଅଭିଯୋଗ ପାଇଛୁ । ଅଭିଯୋଗ ସତ୍ୟ ହୋଇଥିଲେ ଏହା ଏକ ଜଘନ୍ୟ ଅପରାଧ । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ୪ ଜଣ ଶିକ୍ଷକ ପାଳି କରି ଦୁଷ୍କର୍ମ କରିବା ସ୍ପର୍ଶକାତର ଘଟଣା । ମୋ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ପୀଡ଼ିତାଙ୍କ ଘରକୁ ତଦନ୍ତ ପାଇଁ ଯାଇଥିଲୁ । ପୀଡ଼ିତାଙ୍କ ବୟାନ ରେକର୍ଡ ବି କରାଯାଇଛି । ପରିବାର ଥାନାରେ ଅଭିଯୋଗ କରିବା ଉଚିତ୍ । କାରଣ ଥାନାରେ ଅଭିଯୋଗ କଲେ ଅଭିଯୁକ୍ତମାନେ ଦଣ୍ଡ ପାଇ ପାରିବେ ।ପୁଲିସ ତଦନ୍ତ କରି କୋର୍ଟଙ୍କୁ ଅବଗତ କଲେ କୋର୍ଟ ଏହାର ବିଚାର କରିବେ ଓ ଅଭିଯୋଗ ପ୍ରମାଣିତ ହେଲେ ଆଇନ ଅନୁଯାୟୀ ଦଣ୍ଡ ମିଳିବ । ତଥାପି ତଦନ୍ତ ପରେ ଏ ସଂକ୍ରାନ୍ତ ରିପୋର୍ଟ ସେ ଥାନାଧିକାରୀଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି । ବିଦ୍ୟାଳୟ ପରିସରରେ ଏତେ ବଡ଼ ଘଟଣା ଘଟିଯାଇଥିଲେ ହେଁ ସ୍କୁଲ କର୍ତ୍ତୃପକ୍ଷ ପୁଲିସ ଅବା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନଜଣାଇବା ମଧ୍ୟ ଠିକ୍ ନୁହେଁ । କୌଣସିମତେ ଏହି ଘଟଣାକୁ ଚପାଇବା ପାଇଁ ଉଦ୍ୟମ ହୋଇଛି । ଆମେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ରିପୋର୍ଟ ତଲବ କରିଛୁ ବୋଲି ସିଡବ୍ଲୁସି ଅଧ୍ୟକ୍ଷା କହିଛନ୍ତି ।



15
1440 views