logo

ଶିଶୁମାନଙ୍କ ଚରିତ୍ର ଗଠନରେ ପିତାମାତାଙ୍କ ଭୂମିକା ଓ ଉତ୍ତରଦାୟିତ୍ୱ

ପିତାମାତାଙ୍କ ଭୂମିକା ଓ ଉତ୍ତରଦାୟିତ୍ୱ
ରଚନା - ବାବୁଲାଲ ପଲେଇ

ଶିକ୍ଷା ଏପରି ଏକ ଅର୍ଥ ବୋଧକ ଶବ୍ଦ, ଯାହା ମନୁଷ୍ୟର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ଚିତ୍ର, ଅର୍ଥନୈତିକ , ରାଜନୈତିକ, ବୈଦେଶିକ ଆଦି କ୍ଷେତ୍ରରେ ବିଦ୍ୟାଭ୍ୟାସ, ଜ୍ଞାନଲାଭ, ଅଧ୍ୟୟନ, ଷଡରିପୁକୁ ଦମନ ପାଇଁ ଦଣ୍ଡ ପ୍ରଦାନ ପୂର୍ବକ ଶାସନ କରିବା ନିମନ୍ତେ ଦକ୍ଷତା ପ୍ରଦାନ କରିଥାଏ । ତତ୍ ସହିତ ବୌଦ୍ଧିକ, ଭୌତିକ ଜ୍ଞାନ ଦେବା ସହ ବିନୟ ଗୁଣ ଶିଖାଇ ଥାଏ l ଶିକ୍ଷା ରୁ ଜ୍ଞାନ ଆଉ ଜ୍ଞାନରୁ ଜୀବନର ତତ୍ତ୍ଵଜ୍ଞାନ ଓ ବୋଧଶକ୍ତି ପାଇବା ସହ ସାଂସାରିକ ଜ୍ଞାନ ମିଳିଥାଏ ।
ଉପଯୁକ୍ତ ଶିକ୍ଷା ମନୁଷ୍ୟକୁ ପ୍ରଦାନ କରିଥାନ୍ତି ନିଜ ବାପାମାଆ ଓ ଶିକ୍ଷାଦାତା ଶିକ୍ଷକ ( ଗୁରୁ ) l ଶିଶୁ ମାନଙ୍କ ପ୍ରତି ପରିବାର ହେଉ ଅବା ଶିକ୍ଷାନୁଷ୍ଠାନରେ ହେଉ , ପ୍ରେମ ଓ ଶାସନ ଭିତରେ ସନ୍ତୁଳନ ରକ୍ଷା କରିବା ନିତାନ୍ତ ପ୍ରୟୋଜନ । ଏହା କେବଳ ସମ୍ଭବ ହୋଇପାରିବ ନିଜ ବାପାମାଆ ଓ ଗୁରୁମାନଙ୍କ ପାଇଁ |
କଥାରେ ଅଛି, ଶିକ୍ଷକ ସମାଜର ମାର୍ଗଦର୍ଶକ ଥିଲାବେଳେ ପ୍ରଥମ ଗୁରୁ ରୂପେ ମାତାପିତାଙ୍କର ସଂସ୍କାର ହିଁ ମାନବ ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟିକରେ । କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଦୁଇ ଜଣ ନିଜ ନିଜର ଦାୟିତ୍ଵ ସଂପାଦନା କରିବାରେ ଆଜି ଅସମର୍ଥ । ବିଶେଷତଃ ଅଧୁନା ଅଧିକାଂଶ ପିତାମାତା ଅନୈତିକ ଭାବେ ଅର୍ଥ ଉପାର୍ଜନ କରିବା ଭଳି ନିଜ ସଂସ୍କାର ବିହୀନ ଆଚରଣ ଯୋଗୁଁ ଆମ ପିଲାମାନେ ଆଜି ସାମାଜିକ ଜୀବନର ସୀମା ବାହାରକୁ ଚାଲିଗଲେଣି।ସମୟର ଆହ୍ବାନ, ଆମକୁ ସତର୍କ ଓ ଜାଗ୍ରତ ହେବାକୁ ପଡିବ।ଆମ ପିଲାମାନଙ୍କୁ ଛୋଟ ସମୟରୁ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରାଇବାକୁ ହେବ। ଉତ୍ତମ ଜ୍ଞାନ କିପରି ପାଇପାରିବେ ସେଥିପ୍ରତି ଆମ ପିତାମାତାଙ୍କୁ ଦୃଷ୍ଟି ଦେବାକୁ ହେବ,କାରଣ ସେମାନେ ହେଉଛନ୍ତି ମାଟି ପିତୁଳା।
ସମସ୍ତ ଶିଶୁ ମାନଙ୍କର ଜ୍ଞାନ ଆହରଣ କରିବାର ଶକ୍ତି ବା କ୍ଷମତା ସମାନ ନଥାଏ। ଏଣୁ ତା'ର ଜ୍ଞାନ ଆହରଣ ଓ ମାନସିକତାକୁ ନିରୀକ୍ଷଣ କରି ଉପଚାର କରିବା ସର୍ବ ପ୍ରଥମେ ପିତାମାତାଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ। ଏଥିରେ ସାମାନ୍ୟ ଅଭାବ ରହିଲେ ଶିଶୁର ଉନ୍ନତି ପରିବର୍ତ୍ତେ ଅଧୋଗତି ଘଟିବାର ସମ୍ଭାବନା ଅଧିକ ଥାଏ। ଯାହା କି ଭବିଷ୍ୟତରେ ଯେତେ ଚେଷ୍ଟା କଲେ ବି ଫଳାଫଳ ଆସେ ଶୂନ। ଘରର ମୂଳଦୁଆ ମଜଭୁତ କଲାପରି ବିଦ୍ଯା ଶିକ୍ଷା ଆରମ୍ଭରୁ ଶିଶୁର ମୂଳଦୁଆ ଆଗ ଠିକ୍ କରିବାକୁ ହେବ। ଶିଶୁର ମାନସିକତା ଓ ଆଗ୍ରହକୁ ଦେଖି ଆବଶ୍ୟକ ସ୍ଥଳେ ଗପ, ଗୀତ, ପଠନ, ଲିଖନ ଓ ବିଭିନ୍ନ ଦୃଶ୍ୟ ଶ୍ରାବ୍ଯ ଉପକରଣ ମାଧ୍ୟମରେ ପଢାଇବା ସହିତ ତାଙ୍କୁ ଉଚ୍ଚାଭିଳାଷୀ କରାଇବା ପାଇଁ ଅନେକ ମାଧ୍ୟମକୁ ଆପଣେଇବାକୁ ପଡିବ, ନତୁବା ଆବଶ୍ୟକ ସ୍ଥଳେ ଶିକ୍ଷାୟତନର ଗୁରୁଜୀ / ଗୁରୁମାଙ୍କ ଠାରୁ ପରାମର୍ଶ ନେଇ ପିଲାମାନଙ୍କୁ ଦୃଷ୍ଟି ଦିଆଯିବା ବିଧେୟ।
ପରିବାର ମଧ୍ୟରେ ଏକ ଉପଯୁକ୍ତ ବାତାବରଣ ସୃଷ୍ଟି କରିବାକୁ ହେବ। ଶିଶୁ ସହିତ ପାଠ ସଂପର୍କିତ ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନା କରିବାକୁ ହେବ। ଶିଶୁ ମନରେ ଉଦ୍ରେକ ହେଉଥିବା ପ୍ରତ୍ୟେକଟି ପ୍ରଶ୍ନର ଉତ୍ତର ଦେବା ପାଇଁ ପିତାମାତା ନିଜକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଆବଶ୍ୟକ ସ୍ଥଳେ ଫୋନ ମାଧ୍ୟମରେ ଗୁରୁଜୀ ମାନଙ୍କ ସହିତ ଯୋଗାଯୋଗ କରି ନିଜ ପିଲାଙ୍କ ସନ୍ଦେହ ଦୂର କରିବାକୁ ପ୍ରୟାସ କରିବା। ଫଳରେ ଛାତ୍ର, ଅଭିଭାବକ ଓ ଗୁରୁଙ୍କ ମଧ୍ୟରେ ଏକ ମଧୁର ସଂପର୍କ ଗଢି ଉଠିବା ସହିତ ଶିଶୁମାନଙ୍କ ମନରେ ଗୁରୁଙ୍କ ପ୍ରତି ଭକ୍ତି ଭାବ ଜାଗ୍ରତ ହୋଇଥାଏ। ବାହାରକୁ ପରିଭ୍ରମଣ ଯିବା ସମୟରେ ଶିଶୁକୁ ନିଜ ପାଖରେ ବସାଇ ପ୍ରତିଟି ଦୃଶ୍ୟ ସହିତ ପରିଚିତ କରାଇବାକୁ ପଡିବ। ଯାହା କି ତା'ର ଜ୍ଞାନର ପରିସୀମା ଧୀରେ ଧୀରେ ବୃଦ୍ଧି ପାଇବ ଓ ଜ୍ଞାନ ଆହରଣର ଇଚ୍ଛା ବା ଲିପ୍ସା ଜାଗ୍ରତ ହେବ। ତତ୍ ସହିତ ମାତାପିତାଙ୍କ ପାଖରେ ଶିଶୁ ପ୍ରତ୍ୟେକ ବିଷୟରେ ଭୟମୁକ୍ତ ଆଲୋଚନା କରିବା ପାଇଁ ସଂପୂର୍ଣ୍ଣ ଭାବେ ସଫଳ ହୋଇ ପାରିବ।
ନିଜ ସନ୍ତାନ ସହିତ ଅନ୍ୟ ମାନଙ୍କୁ ତୁଳନା ନକରି ସିଏ ନିଜେ କିପରି ଏକ ନୂତନ ପରିଚୟ ସୃଷ୍ଟି କରିବ ସେଥିପ୍ରତି ଦୃଷ୍ଟି ଦେବା ଅପରିହାର୍ଯ୍ୟ ଅଟେ। ସମୟକୁ ଦେଖି ମାତାପିତା ଉଭୟ ଶିଶୁ ଉପରେ ନଜର ବା ଦୃଷ୍ଟି ରଖିବା ଉଚିତ। କିନ୍ତୁ ଦୁଃଖର ବିଷୟ, ଅଧୁନା ଅଧିକାଂଶ ମାତାପିତା ନିଜର ଅଜ୍ଞତାରୁ ହେଉ ବା ସ୍ୱାଚ୍ଛନ୍ଦ୍ଯ ଜୀବନ କଟାଇବା ପାଇଁ, କାର୍ଯ୍ୟ ବ୍ଯସ୍ତତାର ଆଳ ଦେଖାଇ ଶିଶୁ ପ୍ରତି ଅଣଦେଖା କରି ଚାଲିଛନ୍ତି। ଫଳରେ ଶିଶୁ ସମୟରୁ ହିଁ ସେ ବିଶୃଙ୍ଖଳିତ ଆଚରଣ ଦେଖାଇବା ସହ ତା'ର ବୌଦ୍ଧିକ ବିକାଶ ଦିଗରେ ଅନ୍ତରାୟ ସୃଷ୍ଟି ହେଉଛି।ଏହା ଦ୍ଵାରା ପିଲାଟିର ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଗତି କରିବା ସହିତ ତା'ର କୁପ୍ରଭାବ ମାତାପିତା ଓ ସମାଜ ଉପରେ ପ୍ରତିଫଳିତ ହେଉଅଛି। ଏଣୁ ପିତାମାତା ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସହିତ ଗୃହ ମଧ୍ୟରେ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ହେବ ଯେପରି ଶିଶୁଟି ଆଗ୍ରହର ସହିତ ତା'ର ନିଜସ୍ୱ ଚିନ୍ତାଧାରା ନେଇ ବିଦ୍ଯାଧ୍ଯୟନ କରିବାକୁ ସକ୍ଷମ ହେବ। ନିଜ ପିଲାଙ୍କୁ ଟିଉସନ ସର୍ବସ୍ୱ ମାନସିକତା ପରିବର୍ତ୍ତେ ସେହି ଟଙ୍କାରେ ବିଭିନ୍ନ ପାଠ୍ଯ ଉପକରଣ, ଖେଳନା, ଯନ୍ତ୍ରପାତି ଓ ଗପବହି, ମହାପୁରୁଷଙ୍କ ଜୀବନୀ, ବିଭିନ୍ନ ସ୍ଥାନ ପରିଭ୍ରମଣ, ଖବର କାଗଜ ଆଦି ଯୋଗାଇ ଦେବାର ବ୍ୟବସ୍ଥା କରି ପାରିଲେ ତା'ର ଅଧ୍ଯୟନ ପ୍ରତି ଆଗ୍ରହ ସୃଷ୍ଟି ହେବା ସହ ମାନସିକ ଦକ୍ଷତା ବୃଦ୍ଧି ପାଇବ ଓ ନୂତନ ଚିନ୍ତାଧାରା ତା'ମନରେ ଉଦ୍ରେକ ହେବ। ଅବୋଧ ପାଠ ବିଷୟରେ ଗୁରୁଜୀ ମାନଙ୍କ ସାହାଯ୍ୟ ନେବା ପାଇଁ ଶିଶୁକୁ ଉତ୍ସାହିତ କରିବା ସବୁଠାରୁ ଉତ୍ତମ ଓ ମୂଲ୍ୟବାନ।
ଦେଖା ଯାଉଛି ଅଧିକାଂଶ ଶିଶୁ ଅନୁକରଣ ପ୍ରିୟ। ଅନ୍ଯମାନଙ୍କ କାର୍ଯ୍ୟକଳାପକୁ ନିରୀକ୍ଷଣ କରେ। ଏଣୁ ମାତାପିତାଙ୍କର ବ୍ୟବହାର, ଚାଲିଚଳନ, କଥୋପକଥନ ଓ କର୍ମ ଗୁଡିକ ପରିମାର୍ଜିତ ତଥା ଶିଷ୍ଟାଚାର ଯୁକ୍ତ ହେବା ଆବଶ୍ୟକ। ପ୍ରତ୍ୟେକ ଦିନ ଶିଶୁ ପାଖରେ ରହି କିଛି ସମୟ ପତ୍ରପତ୍ରିକା, ଖବର କାଗଜ ପଠନ, ଟି ଭି ନିଉଜ ଦେଖିବାକୁ ଅଭ୍ୟାସ କରିବା ଉଚିତ। ଫଳରେ ଶିଶୁ ଧୀରେ ଧୀରେ ପଠନ ଅଭ୍ୟାସ ସୃଷ୍ଟି କରିବା ସହ ବିଭିନ୍ନ ଶବ୍ଦ ଓ ବାକ୍ୟ ମଧ୍ୟରେ ଜଡିତ ହୋଇପାରିବ। ଭାଷାକୁ ପରିମାର୍ଜିତ କରି ବ୍ୟାବହାରିକ କୌଶଳ ହାସଲ କରିବାରେ ସମର୍ଥ ହେବ। ପୁନଶ୍ଚ ସେହି ସମୟରେ ତା'ର ସନ୍ଦେହକୁ ଦୂର କରି ପାରିଲେ ପଠନ କ୍ରିୟା ଆହୁରି ତ୍ବରାନ୍ବିତ ଓ କ୍ରିୟାଶୀଳ ହୋଇ ପାରିବ।
ବେଳେବେଳେ ଦେଖାଯାଏ ଶିଶୁର ଜିଦଖୋର ମନୋଭାବ। ଯଦି ତାହା ପାଠ୍ଯ ସଂପର୍କିତ ହୋଇଥାଏ ତେବେ ତାହା ସଙ୍ଗେ ସଙ୍ଗେ ପୂରଣ କରିବାକୁ ହେବ ,ଅନ୍ଯଥା ନିଜର ଜ୍ଞାନ ଓ ବୁଦ୍ଧିକୁ ଉପଯୋଗ କରି ସେଥିରୁ ନିବୃତ୍ତ କରାଇବା ପାଇଁ ନିଜ ଶିଶୁକୁ ମନାଇବାକୁ ପଡିବ। ଶିଶୁ ନିଜ ଇଚ୍ଛାରେ ଦୈନନ୍ଦିନ ପାଠ୍ଯ ଖସଡା ତିଆରି କରୁ। ତାକୁ କୌଣସି ରୁଟିନ ବନ୍ଧା ସମୟ ନଦେଇ ଅଧ୍ଯୟନ ପାଇଁ ସ୍ୱାଧୀନତା ଦିଆଯାଉ ଯେପରିକି ସେ ନିଜେ ନିଜ ପାଇଁ ସମୟ ବାହାର କରି ପାଠ ପଢି ପାରିବ। ପିତାମାତା ଦୃଷ୍ଟି ଦେବା ଉଚିତ୍ ଯେ ଶିଶୁ ସମସ୍ତ ପାଠ୍ଯ ପୁସ୍ତକକୁ ତା'ର ଦୈନନ୍ଦିନ ପାଠ୍ଯ ଖସଡାରେ ସ୍ଥାନ ଦେଉଛି କି ନାହିଁ ? ପ୍ରତିଦିନ ପାଠ ଠିକ୍ ରୂପେ ସେ ସଂପୂର୍ଣ୍ଣ କରୁଛି କି ନାହିଁ ?
ପିଲାଙ୍କୁ ପ୍ରତିଦିନ କିଛି ସମୟ ଅବସର ଦିଅନ୍ତୁ। ଖେଳନା ଓ ଗପ ମାଧ୍ୟମରେ ଖେଳାନ୍ତୁ। ଖେଳ ମାଧ୍ୟମରେ ସାହିତ୍ୟ, ଇଂରାଜୀ, ଗଣିତ, ସାମାଜିକ ତଥା ପାଠ ସଂପର୍କିତ ପ୍ରଶ୍ନର ଉତ୍ତର ପାଇବା ପାଇଁ ମାତାପିତା ଚେଷ୍ଟା କରିବା ଉଚିତ। ଏହି ସମୟରେ ତାଙ୍କ ଅଜାଣତରେ ଅନେକ କିଛି ପାଠ ତା'ଠାରୁ ଆଦାୟ କରି ପାରିବା। ଏହା ଦ୍ଵାରା ଶିଶୁର ଧୀଶକ୍ତି ବିକାଶ ହୋଇପାରିବ। ସବୁଠାରୁ ବଡ଼ କଥା ହେଲା ଯେପରି ମଧୁବାବୁଙ୍କ ବର୍ଣ୍ଣବୋଧ ବହିଟି ଶିଶୁର ଜିଭ ଅଗରେ ଥିବ। ଅନ୍ୟପକ୍ଷରେ ପିଲାମାନଙ୍କ ସମ୍ମୁଖରେ ଅଭିଭାବକ ମାନଙ୍କ ବ୍ଯବହାର, ଗୁରୁଜନ ମାନଙ୍କ ସହ କଥୋପକଥନ ପରିମାର୍ଜିତ ହେବା ଆବଶ୍ୟକ। କୌଣସି ପରିସ୍ଥିତିରେ ବି ଗୁରୁଜନ ବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଜର ସନ୍ତାନ ମାନଙ୍କ ସମ୍ମୁଖରେ ଗାଳିମନ୍ଦ ବା କୁତ୍ସାରଟନା କରିବା ଉଚିତ ନୁହେଁ, ଏହା ନିଶ୍ଚିତ ଭାବରେ ଶିଶୁ ଉପରେ ଗଭୀର ପ୍ରଭାବ ପକାଇବ। ଯାହା ଫଳରେ ବିଦ୍ୟାଳୟରେ ଶିଶୁଟି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରତି ହେୟଜ୍ଞାନ କରିବା ସହିତ ତାତ୍ସଲ୍ଯ ଭାବ ପ୍ରକାଶ କରିଥାଏ। ଯାହାର କୁପରିଣାମ ଭବିଷ୍ୟତରେ ଶିଶୁ ଓ ଅଭିଭାବକଙ୍କ ଉପରେ ପଡିଥାଏ। ଏହାର ନଜିର ଅନେକ ରହିଛି, ଏଥିରେ ସନ୍ଦେହ ନାହିଁ।
ଆସନ୍ତୁ, ଆମ ପିଲାର ଭବିଷ୍ୟତ ଆମ ନିଜ ହାତେ ଗଢିବା, ତା'ର ଭବିଷ୍ୟତ ତିଆରି କରିବା । ଆତ୍ମ ସମୀକ୍ଷା କରି ସଚେତନ ହେବା ସହ ନିଜ ବଚନ ଓ କର୍ମକୁ ପରିମାର୍ଜିତ କରିବା। ଆମ ପରିବାରକୁ ସରସ ସୁନ୍ଦର ଭାବରେ ଗଢି ଦେବ ମନ୍ଦିରରେ ପରିଣତ କରିବା। ଘରେ ଓ ବାହାରେ ଏପରି ଏକ ପରିବେଶ ସୃଷ୍ଟି କରିବା ଯେପରି ଶିଶୁ ତା'ର ପ୍ରତ୍ୟେକଟି ଭାବନା ଓ ଚିନ୍ତାଧାରାକୁ ଆମ ସମ୍ମୁଖରେ ସ୍ବାଧୀନ ତଥା ନିର୍ଭୟରେ ପସ୍ଥାପନ କରି ପାରୁଥିବ।
*************************
ସଂପାଦକ
ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା
ଘଟଗାଁ, କେନ୍ଦୁଝର
ମୋ: ୯୪୩୭୧୫୨୯୩୬

17
4126 views