logo

କେନ୍ଦୁଝରକୁ ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକ କାର୍ଯ୍ୟାଳୟ ଫେରାଇ ଆଣିବାକୁ ବୁଣାକାରଙ୍କ ଦାବୀ।

କେନ୍ଦୁଝରକୁ ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକ କାର୍ଯ୍ୟାଳୟ ଫେରାଇ ଆଣିବାକୁ ବୁଣାକାରଙ୍କ ଦାବୀ।

- ଅଫିସଗୃହ ଓ ଆନୁସଙ୍ଗିକ ବ୍ୟବସ୍ଥା ଥିବାରୁ ଖର୍ଚ୍ଚାନ୍ତ ହେବେ ନାହିଁ ସରକାର
- କେନ୍ଦୁଝରକୁ କାର୍ଯ୍ୟାଳୟ ଫେରାଇ ଆଣିବାକୁ ନିର୍ଦ୍ଦେଶକ କରିଥିଲେ ଚିଠି
- ବିଧାୟକ ଥିବାବେଳେ ଅଫିସ ସ୍ଥାନାନ୍ତରକୁ ବିରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ଓ ଏବେର ସାଂସଦ
କେନ୍ଦୁଝର,୧୯ା୨: କେନ୍ଦୁଝର ଜିଲ୍ଲାରେ ବୁଣାକାରମାନଙ୍କର ବିଭିନ୍ନ ସୁବିଧା ସୁଯୋଗ ଓ ବୟନଶିଳ୍ପର ବିକାଶ ପାଇଁ କେନ୍ଦୁଝର ଜିଲ୍ଲାସଦର ମହକୁମାରେ ୬୨ଡିସିମିଲ ପରିମିତ ଜମିରେ ପ୍ରତିଷ୍ଠା କରାଯାଇଥିଲା ବୟନଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ କାର୍ଯ୍ୟାଳୟ ବା ଏଡିଟି ଅଫିସ । ଜିଲ୍ଲାର ହଜାର ହଜାର ବୁଣାକାର ଏହାଦ୍ୱାରା କେବଳ ଯେ ଉପକୃତ ହେଉଥିଲେ ତାହା ନୁହେଁ,କେନ୍ଦୁଝର ଜିଲ୍ଲାର ବୟନଶିଳ୍ପ ରାଜ୍ୟସ୍ତରରେ ବେଶ ସୁନାମ ଅର୍ଜନ କରିଥିଲା । ମାତ୍ର କୌଣସି କାରଣ ନ ଥାଇ କେନ୍ଦୁଝର ଜିଲ୍ଲାରୁ ଏହି ଏଡିଟି ଅଫିସ ୨୦୦୫ ମସିହାରେ ଜିଲ୍ଲା ବାହାରକୁ ଚାଲିଯିବା ସହିତ ଏଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ବଦଳି କରାଯାଇ କେନ୍ଦୁଝର ଜିଲ୍ଲାରୁ ସ୍ଥାନାନ୍ତର କରାଯାଇଥିଲା,ଏହାଦ୍ୱାରା ବୁଣାକାରମାନେ ଗଭୀର ଭାବରେ କ୍ଷତିଗ୍ରସ୍ତ ହେବା ପରିଲକ୍ଷିତ କରି ତତକାଳୀନ କେନ୍ଦୁଝର ସଦର ବିଧାୟକ ତଥା ଏବେର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ତତକାଳୀନ ତଥା ବର୍ତ୍ତମାନର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ଏହାକୁ ତୀବ୍ର ବିରୋଧ କରିଥିଲେ,ମାତ୍ର ରାଜନୈତିକ ଚାପରେ ଏହା ବାରିପଦାକୁ ସ୍ଥାନାନ୍ତର ହୋଇଥିଲା । ଏଠାରେ କାର୍ଯ୍ୟକରୁଥିବା ସହକାରୀ ନିର୍ଦ୍ଦେଶକ,ବୟନଶିଳ୍ପ ଯିଏକି ଜଣେ ବିଏସସି ଇଂଜିନିୟର ଡିଗ୍ରୀ ଥିବା ବ୍ୟକ୍ତି,ଦୁଇଜଣ ସୁପରଭାଇଜର-ଉଇଭିଂଙ୍ଗ ଯେଉଁମାନେ କି ଡିପ୍ଲୋମା ଇଂଜିନିୟର, ୯ଜଣ ବୁଣାକାର ପରିଦର୍ଶକ,୭ଜଣ ବୈଷୟିକ ସହାୟକ,ଅନେକ ସଂଖ୍ୟାରେ କିରାଣୀ ଓ ଅନ୍ୟ କର୍ମଚାରୀମାନେ ଅନ୍ୟତ୍ର ବଦଳି ହୋଇଥିଲେ । କେନ୍ଦୁଝର ସଦର ମହକୁମାରେ ଏହି ଏଡିଟିର ସ୍ଥାୟୀ ଅଫିସଗୃହ,ଆସବାପତ୍ର, କ୍ୱାର୍ଟର ଓ ଗ୍ୟାରେଜ ଥାଇ ମଧ୍ୟ ଏହାକୁ ଚକ୍ରାନ୍ତ କରି କେନ୍ଦୁଝର ଜିଲ୍ଲାରୁ ସ୍ଥାନାନ୍ତର କରାଯାଇଥିଲା । ଏବେବି ଏହି ଅଫିସ୍ ର ଇଲେକ୍ଟିକ ବିଲ ସହ ଅନ୍ୟାନ୍ୟ ଦେୟ ଏହି ବିଭାଗକୁ ଦେବାକୁ ପଡୁଛି । ଏପରି ହେବା ଦ୍ୱାରା କେନ୍ଦୁଝର ଜିଲ୍ଲାର ବୁଣାକାରମାନେ ଗଭୀର ଭାବରେ କ୍ଷତିଗ୍ରସ୍ତ ହେବା ସହିତ ଜିଳ୍ଲାର ଏହି ଶିଳ୍ପ ପ୍ରଭାବିତ ହୋଇଥିଲା । ବୁଣାକାରମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ୨୦୧୯ ମସିହା ଜୁଲାଇ ୨୦ତାରିଖରେ ବୟନଶିଳ୍ପ ନିର୍ଦ୍ଦେଶକ ତାଙ୍କ ପତ୍ର ସଂଖ୍ୟା ୫୩୮୬ରେ କେନ୍ଦୁଝରରେ ଏହି କାର୍ଯ୍ୟାଳୟ ଆଉ ଥରେ ଖୋଲିବା ପାଇଁ ବିଭାଗୀୟ ଶାସନ ସଚିବ ତଥା କମିଶନରଙ୍କୁ ପତ୍ର ଲେଖିଥିଲେ । ସେହି ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, କେନ୍ଦୁଝର ଜିଲ୍ଲାରୁ ଏହି କାର୍ଯ୍ୟାଳୟ ବାରିପଦା ସ୍ଥାନାନ୍ତର ହେବା ଦ୍ୱାରା କେନ୍ଦୁଝର ଜିଲ୍ଲାର ବୁଣାକାରମାନେ ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ଓ କୌଣସି କାର୍ଯ୍ୟ ସଂକ୍ରାନ୍ତୀୟ ବା ବୁଣାକାରମାନଙ୍କର ପରାମର୍ଶ ପାଇଁ କେନ୍ଦୁଝର ସଦର ମହକୁମାରୁ ବାରିପଦା ୧୬୦ କିଲୋମିଟିର ଦୂର ଅଂଚଳ ଯିବା ଅସୁବିଧାର କାରଣ ହୋଇଛି । ଭଗାମୁଣ୍ଡାର ଟସର ସିଲକ ପାର୍କ କେବଳ ଆମ ରାଜ୍ୟ ଦୁହେଁ, ଦେଶ ଓ ଦେଶ ବାହାରେ ସୁନାମ ଅର୍ଜନ କରୁଥିବାବେଳେ ବିଭିନ୍ନ ଦୃଷ୍ଟିକୋଣରୁ କେନ୍ଦୁଝରରେ ଏହି ଏଡିଟି ଅଫିସ ପୂର୍ବବତ ଚାଲୁ କରିବାକୁ ସେ ଜଣାଇଥିଲେ । ଏବେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ପ୍ରାୟ ଏକ ହଜାରରୁ ଉର୍ଦ୍ଧ ବୁଣାକାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, କେନ୍ଦୁଝରରେ ଏକ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ହେବା ଆନନ୍ଦର କଥା, କିନ୍ତୁ ବୁଣାକାରମାନଙ୍କ ସ୍ୱାର୍ଥ ପାଇଁ କେନ୍ଦୁଝର ଜିଲ୍ଲାକୁ ଏଡିଟି ଅଫିସ ପୁନଃସ୍ଥାପନ କରିବାକୁ ଦାବୀ କରିଛନ୍ତି । ଉଲ୍ଲୋର ହିଙ୍ଗୁଳା ବୁଣାକାର ସମବାୟ ସମିତିର ସଭାପତି ବଳରାମ ବିଶ୍ୱାଳ,ସମ୍ପାଦକ ଜଗବନ୍ଧୁ ନାଥ,ସ୍ୱପ୍ନେଶ୍ୱର ବୁଣାକାର ସମିତିର ସଭାପତି ଅଭିରାମ ତନ୍ତୀ,ବେଲବାହାଳୀ କୁଣ୍ଡଳାଇ ବୁଣାକାର ସମବାୟ ସମିତିର ସଭାପତି ପଦ୍ମଲୋଚନ ସାହୁ,ଅତା ବୁଣାକାର ସମିତିର ସଭାନେତ୍ରୀ ଚନ୍ଦ୍ରିକା ପାଗଳ,ବୁଣାକାର ହାଡିବନ୍ଧୁ ଦାସ,ରାମଚନ୍ଦ୍ର ଜେନା,ଅଖୋଜୀ ଦାସ,ଗୋଲାପ ସୁର,ଗୋପାଳ ଦାସ, ମାନସ ରଞ୍ଜନ ଦାସ, ମୀନକେତନ ଦାସ, ସତ୍ୟଭାମା ବିଶ୍ୱାଳ,ସୁଜାତା ବିଶ୍ୱାଳ,କନକ ଦାସ,ସନାତନ ରଣା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅଫିସ ପୁନଃସ୍ଥାପନ କରିବାକୁ ଦାବୀ ଜଣାଇଛନ୍ତି । ରାଜ୍ୟ ତଥା ଦେଶରେ କେନ୍ଦୁଝର ଜିଲ୍ଲାର ବୟନଶିଳ୍ପର ସୁନାମ ରହିଥିବାବେଳେ ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକ କାର୍ଯ୍ୟାଳୟ କେନ୍ଦୁଝରକୁ ଫେରାଇ ଆଣିବାକୁ ବୁଣାକାର ଓ ସାଧାରଣ ଜନତା ଦାବୀ କରିଛନ୍ତି ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

12
1321 views