logo

ଯୁବଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ନିର୍ଦ୍ଧାରଣ କରିବା ଜରୁରୀ।

ଯୁବଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ନିର୍ଦ୍ଧାରଣ କରିବା ଜରୁରୀ
------------------------------------------------
ଉପସ୍ଥାପନା- ବାବୁଲାଲ ପଲେଇ

ଯୁବଗୋଷ୍ଠୀଙ୍କ ସଂଖ୍ୟା ଭାରତର ଜନସଂଖ୍ୟାର ଏକ ମୁଖ୍ୟ ଅଂଶ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରତି ଦୃଷ୍ଟି ନଦେବା ଆମ ସମାଜ ପାଇଁ ଦୁର୍ଭାଗ୍ୟଜନକ ନୁହେଁ କି ? ଯୁବଗୋଷ୍ଠୀ ଏପରି ଏକ ଗୋଷ୍ଠୀ ଯାହା ପାଖରେ କିଛି କରି ପାରିବାର ଅଦମ୍ୟ ଶକ୍ତି ରହିଛି । ଅସାଧ୍ୟ କୁ ସାଧ୍ୟ କରିବାର ଭରପୁର କ୍ଷମତା ଅଛି I ଭାରତର ଶିକ୍ଷା, ସଂସ୍କୃତି, ବିଜ୍ଞାନ, ଶିଳ୍ପ, ପ୍ରଯୁକ୍ତିବିଦ୍ୟା, ଦେଶର ସୁରକ୍ଷା କଥା ହେଉ କି ଦେଶର ଶାସନ କଥା ହେଉ, ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଶୀର୍ଷ ସ୍ଥାନକୁ ନେଇ ଯିବାର ସାମର୍ଥ୍ୟ ସେମାନଙ୍କ ନିକଟରେ ଭରପୁର ରହିଛି। କିନ୍ତୁ ଦୁଃଖର ବିଷୟ, ପ୍ରବଳ ଶକ୍ତିର ଅଧିକାରୀ ହୋଇଥିଲେ ମଧ୍ୟ ସେମାନେ ଆଜି ଦେଶ ଗଠନରେ ଅସମର୍ଥ ହୋଇ ସାମାଜିକ ବିଶୃଙ୍ଖଳାର କାରଣ ସାଜିଛନ୍ତି। ଏହାର ସୁଯୋଗ ନେଇ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ ଓ କର୍ମୀମାନେ ସେମାନଙ୍କର ଦକ୍ଷତାକୁ ଦୁରୁପଯୋଗ କରିବା ପାଇଁ ବ୍ଯବହାର କରୁଥିବା ଦେଖିବାକୁ ମିଳୁଅଛି। ତାଙ୍କ ପାଖରେ ଅମାପ ବଳ, ଜ୍ଞାନ ଥିଲେ ମଧ୍ୟ ଅର୍ଥର ଅଭାବରେ ସେମାନଙ୍କୁ ଆଜି ପଙ୍ଗୁ କରିବାକୁ ଷଡଯନ୍ତ୍ର କରାଯାଉଛି। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମିତି ଦୃଢ ଯୁବନୀତି ଏ ଯାବତ୍ କୌଣସି ସରକାର ଆଣି ପାରିନାହାନ୍ତି। ସମୟର ଆହ୍ବାନ କୁହନ୍ତୁ ବା ସମୟ ଆମକୁ ନିର୍ଦ୍ଦେଶ ଦେଉଛି ଯେ ଯୁବଗୋଷ୍ଠୀଙ୍କ ପାଇଁ ଏକ ସ୍ଵତନ୍ତ୍ର ଓ ସ୍ବାଧୀନ ରଣନୀତି ପ୍ରସ୍ତୁତ କରି ସେମାନଙ୍କ ଶକ୍ତିକୁ ନେଇ ଦେଶ, ରାଜ୍ୟ, ଜିଲ୍ଲା ତଥା ସେହି ଯୁବଶକ୍ତିର ଆଞ୍ଚଳିକ ସ୍ତରରେ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା।
ରୋଜଗାରକ୍ଷମ ବା ଆତ୍ମନିର୍ଭରଶୀଳ ହେବା ଅଥବା ନିଯୁକ୍ତି ପାଇବା ପାଇଁ ୧୮ ବର୍ଷରୁ ୩୨ ବର୍ଷ ବୟସ ପର୍ଯ୍ୟନ୍ତ ଆମ ଦେଶର ସମ୍ବିଧାନ ନୀତି ନିର୍ଦ୍ଧାରଣ କରିଥିବା ସତ୍ତ୍ବେ ସରକାର ଏଥିରେ ବିଫଳତା ହାସଲ କରିଛନ୍ତି। ଏହା ଅତି ଆନନ୍ଦର କଥା ଯେ ଦେଶର ସମ୍ବିଧାନ ଯୁବଗୋଷ୍ଠୀଙ୍କ ସ୍ବାର୍ଥ ଓ ଭବିଷ୍ୟତ ନିର୍ଦ୍ଧାରିତ କରିବା ପାଇଁ ସ୍ବତନ୍ତ୍ର ଦିଶା ନିର୍ଦ୍ଦେଶ କରିଛି। କିନ୍ତୁ ଯେଉଁ ଦେଶର ଯୁବଗୋଷ୍ଠୀଙ୍କ ସଂଖ୍ୟା ଦେଶର ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ, ସମସ୍ତଙ୍କୁ ନିଯୁକ୍ତି ମିଳିବା ସମ୍ଭବପର କି ? ନା, ଏହା କଦାପି ସମ୍ଭବ ନୁହେଁ। କିନ୍ତୁ ସେମାନଙ୍କୁ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ କିମ୍ବା ଆତ୍ମନିର୍ଭରଶୀଳ କରାଇବାର କ୍ଷମତା ଆମ ପାଖରେ ରହିଥିଲେ ମଧ୍ୟ ସେ ଦିଗକୁ ଦୃଷ୍ଟି ଦେଇ ନାହାଁନ୍ତି କିମ୍ବା ସେତେ ଗୁରୁତ୍ବପୂର୍ଣ୍ଣ ମନେକରୁ ନାହାନ୍ତି। ଯେତେବେଳେ ଜଣେ ଯୁବକ ଅର୍ଥାଭାବରୁ ରୋଜଗାରକ୍ଷମ ବା ଆତ୍ମନିର୍ଭରଶୀଳ ହୋଇ ପାରେନା କିମ୍ବା ଜ୍ଞାନ ଥାଇ ସରକାରୀ କିମ୍ବା ବେସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ପାଇପାରେ ନା ସେତେବେଳେ ମାନସିକ ନିର୍ଯ୍ୟାତନାର ଶିକାର ହୋଇ ଭୁଭୁକ୍ଷିତଂ କିଂ ନକରୋତି ପାପଂ ନ୍ୟାୟରେ ଯେକୌଣସି ସ୍ତରକୁ ଚାଲି ଯିବାର ଆଶଙ୍କା ରହୁନାହିଁ କି ?
ଏଣୁ ସମୟ ନେଡ଼ିଗୁଡ଼ କହୁଣୀକୁ ବୋହି ଯିବା ପୂର୍ବରୁ ଏକ ସ୍ଵଚ୍ଛ ଯୁବନୀତି ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଆମେ ଅନୁଭବ କରୁଛୁ। ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଓ ଲିଙ୍ଗ ନିର୍ବିଶେଷରେ ଯୁବ ବର୍ଗଙ୍କୁ ରୋଜଗାରକ୍ଷମ ବା ଆତ୍ମନିର୍ଭରଶୀଳ କରାଇବା ନିମନ୍ତେ ଦେଶର ସମ୍ବିଧାନ ଉତ୍ତରଦାୟୀ ରହିବାର ନୀତି ପ୍ରଣୟନ କରିବା ନିତାନ୍ତ ଆବଶ୍ୟକ ପଡ଼ୁଛି ।
ଶିକ୍ଷାଗତ ଯୋଗ୍ୟତା ଓ କର୍ମ କୁଶଳତା କୁ ନେଇ ବେକାର ଯୁବଗୋଷ୍ଠୀଙ୍କୁ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ କରିବା ପାଇଁ ପ୍ରତ୍ୟେକ ଯୁବକ ବା ଯୁବତୀଙ୍କୁ ବିନା ସୁଧରେ ୫୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ଆବଶ୍ୟକ। କିନ୍ତୁ ବର୍ତ୍ତମାନ ଶାସନାଧୀନ କେନ୍ଦ୍ର ଓ ରାଜ୍ଯର ସରକାର ମାନଙ୍କର ପରିଚାଳନା ନୀତି ଗୁଡିକରେ ପାତରଅନ୍ତର କରୁଥିବା ଦେଖିବାକୁ ମିଳୁଅଛି। ଆର୍ଥିକ ସହାୟତା ପାଇଥିବା ଯୁବକ ଯୁବତୀ ଯଦି ଭବିଷ୍ୟତରେ ସରକାରୀ ବା ବେସରକାରୀ ସଂସ୍ଥାରେ କର୍ମ ନିଯୁକ୍ତି ପାଆନ୍ତି, ତେବେ ବିନା ସୁଧରେ ୧୦ ବର୍ଷ ମଧ୍ୟରେ ତାଙ୍କର ରୋଜଗାରରୁ ଅର୍ଥାତ୍ ଦରମାରୁ ମାସକୁ ମାସ କିସ୍ତି ଦ୍ବାରା ପରିଶୋଧ କରିବାକୁ ବାଧ୍ୟ। ଯଦି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆତ୍ମନିର୍ଭରଶୀଳ ବା କର୍ମନିଯୁକ୍ତି ନ ହୁଅନ୍ତି ତେବେ ପାଇଥିବା ସହାୟତା ରାଶି (ବ୍ଯାଙ୍କ ଋଣ) କୁ ଛାଡ କରାଯିବା ଉଚିତ୍ ଏବଂ ଉକ୍ତ ଅର୍ଥକୁ ସଂପୃକ୍ତ ବ୍ୟାଙ୍କରେ ଆମ ସମ୍ବିଧାନ ନିର୍ଦ୍ଧାରଣ କରିଥିବା ଆଇନ ଦ୍ବାରା ଭରଣା କରିବାକୁ ହେବ।
ଏହାସତ୍ତ୍ୱେ ଆର୍ଥିକ ସହାୟତା ପାଇଥିବା ଯୁବକ ଯୁବତୀ ଯଦି କୈାଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହନ୍ତି ତେବେ ସେମାନଙ୍କ ଠାରୁ ସମୂଳ ସୁଧ ଆଦାୟ କରିବା ସହ ସେମାନଙ୍କ ବିରୁଦ୍ଧରେ ଏପରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ଯେପରି ଭବିଷ୍ୟତରେ ସେ କୈାଣସି କର୍ମନିଯୁକ୍ତି କିମ୍ବା ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିପାରିବେ ନାହଁ। ଯାହା ଫଳରେ ଆଜିର ଯୁବଗୋଷ୍ଠୀ ନିକମା ନସାଜି କର୍ମଠ ହୋଇ ଦେଶର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବେ ଏବଂ ଆମ ଦେଶ ଭାରତ ୨୦୪୭ ମସିହା ବେଳକୁ ବିକଶିତ ହେବାର ଦେଖୁଥିବା ସ୍ବପ୍ନ ସାର୍ଥକ ହୋଇପାରିବ ବୋଲି ଲେଖକ ପୂର୍ଣ୍ଣ ଆଶାବାଦୀ।

ଉପସ୍ଥାପନା: ବାବୁଲାଲ ପଲେଇ, କେନ୍ଦୁଝର, ମୋବାଇଲ: 94371 52936

11
5897 views