logo

ପୂଣ୍ୟଭୂମି‌‌‌‌‌ ଆମୁଣି ଗାଁରୁ, ପ୍ରଜା ବିଦ୍ରୋହର ଶଙ୍ଖନାଦ।

ପୂଣ୍ୟଭୂମି‌‌‌‌‌ ଆମୁଣି ଗାଁରୁ, ପ୍ରଜା ବିଦ୍ରୋହର ଶଙ୍ଖନାଦ।

ଭାଗ- ୫

ମୟୁରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ନିଜ ରାଜ୍ୟର ମଙ୍ଗଳ ନିମିତ୍ତ କର୍ମଚାରୀ ନିଯୁକ୍ତି କଲାବେଳେ ଉପଯୁକ୍ତ ବ୍ୟକ୍ତି ଅନ୍ୱେଷଣ କରୁଥିଲେ। ଯିମିତି ଧରଣୀଧର ସର୍ଭେୟର ପାସ ହେବା କଥାଟା ବାରିଷ୍ଟର ମଧୁବାବୁଙ୍କ ମାଧ୍ୟମରେ ମୟୁରଭଞ୍ଜ ମହାରାଜା କାନରେ ବାଜିଛି, ସତେ ଯେମିତି ତାଙ୍କୁ କୋଟିନିଧି ମିଳିଗଲା। ତୁରନ୍ତ ସସମ୍ମାନେ ଅଣାଇ କେତେକ ବିବାଦୀୟ ସ୍ଥାନ ସର୍ଭେ କରାଇ ସମାଧାନ କରାଇଥିଲେ।
ତାଙ୍କ କର୍ମ କୁଶଳତାରେ ମୁଗ୍ଧ ହୋଇ ସେଠାରେ ଉତ୍ତମ ଚାକିରୀରେ ରହିବାକୁ ମହାରାଜା ଧରଣୀଧରଙ୍କୁ ପ୍ରବର୍ତ୍ତାଇ ଥିଲେ। ସେ କିନ୍ତୁ ସିଧା ସିଧା ଜଣାଇଥିଲେ- ନିମୋହାରାମ କେବେ ବି ହୋଇ ପାରିବେ ନାହିଁ। ଯେଉଁ ରାଜାଙ୍କ ପାଇଁ ପାଠ ପଢି ପାରିଲେ, ଯେଉଁ ମାଟିର ପାଣି-ପବନରେ ଗଢା... ସେଇ ମାଟି ମାଆର ସେବା କରିବେ।
ଧରଣୀଧର ପ୍ରଲୋଭିତ ନହୋଇ କେନ୍ଦୁଝର ରାଜ୍ୟକୁ ବାହୁଡି ଆସିଲେ। ଏହା ଫଳରେ ନିଜର ସମ୍ମାନ ଆହୁରି ବଢିଗଲା। ଏଣିକି ସାଧାରଣରେ ସେ ବାବୁ ବୋଲି ସମ୍ବୋଧିତ ହେଲେ।
ମହାରାଜା ଧନୁର୍ଜୟ ନାରାୟଣ ମହାରାଜା ତ ଧରଣୀଧରଙ୍କ କୃତୀତ୍ୱ ପୂର୍ବରୁ ଶୁଣିଥିଲେ। ସେ ପ୍ରଶଂସା ପତ୍ର ପ୍ରାପ୍ତ ହୋଇ କେନ୍ଦୁଝରକୁ ବାହୁଡି ଆସିବାରୁ ବିଶେଷ ଆନନ୍ଦ ପ୍ରକାଶ କଲେ। ଯେତକ ଅମଲା ଫଇଲା ସବୁ ଖୁସି ହେଲେ। ପ୍ରଜା ପାଟକଙ୍କର ଆନନ୍ଦ କହିଲେ ନସରେ। ସମସ୍ତଙ୍କ ମୁହଁରେ ଗୋଟିଏ କଥା- ଧରଣୀବାବୁ କଟକରୁ ପାସ କରି ଆସିଲେ, ମହାରାଜା ଆଜ୍ଞା ହୋଇଛନ୍ତି... ସେ ମେନେଜର ହେଲେ ଆମର ଦୁଃଖ ଯିବ।
ସବୁ ଖୁସି ଥିଲା ବେଳେ ଗୋଟିଏ ଲୋକ ଧାନ ଶିଝା ହାଣ୍ଡି ଭଳି ମୁହଁ ଉଷୁଣ୍ଡେଇ କହିଲେ- “ଛେନା ପାଠ ପଢିଛି, ଯେତେ ହେଲେ ପାହାଡି ଭୂୟାଁ ନା ଆଉ କଣ? ଚାଟ ଘର ପୁଅ ଚାଟ, ଭାଟ ଘର ପୁଅ ଭାଟ, ପାହାଡି ଭୂୟାଁ ହୋଇ କାଳେ ମେନେଜର ହେଲାଣି। ଆମେ ହେଲୁ କରଣଂ କାରଣ କର୍ତ୍ତାଃ । ସମୁଦ୍ର ଜୁଆର ଗଣି ରୋଜଗାର କରିବା ଜାତି”।
ସେ ଅନ୍ୟ କେହି ନୁହଁନ୍ତି , ସେ ହେଉଛନ୍ତି ସଦର କଚେରୀର ଆସିଷ୍ଟାଣ୍ଟ ମେନେଜର ବାବୁ ବିଚିତ୍ରାନନ୍ଦ ଦାସ। ସେ ପ୍ରଥମେ କଟକ କଲେକ୍ଟରୀଏଟରେ ଅମଲା ଥିଲେ। ସେ ଷ୍ଟାମ୍ପ ଗୋଳମାଳ ମୋକଦ୍ଦମାରେ ବରଖାସ୍ତ ହେଲାପରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର କଚେରୀରେ ପେସ୍କାର କର୍ମରେ ନିଯୁକ୍ତି ପାଇଲେ। ତାଙ୍କ କୁଟିଳ କର୍ମ ନିପୁଣତା ଉପଲବଧି କରି ମହାରାଜା ତାଙ୍କୁ କେନ୍ଦୁଝର ସଦର କଚେରୀରେ ଆସିଷ୍ଟାଣ୍ଟ ମେନେଜର କର୍ମରେ ନିଯୁକ୍ତି ଦେଇ ତାଙ୍କ ପରାମର୍ଶ ଅନୁସାରେ ରାଜ୍ୟ ଶାସନ କଲେ।
କ୍ରମଶଃ ପଢିବାକୁ ପାଇବେ....
------ *** -------
ଘନଶ୍ୟାମ ପଲେଇ,
ଆମୁଣି, ହାଣ୍ଡିଭଙ୍ଗା, କେନ୍ଦୁଝର-31, ମୋ-9437718500
(ଯଦି ଆପଣ ନୂଆ ଆଉ ଏହାର ପୂର୍ବ ଭାଗ ପଢିବାକୁ ଚାହାଁନ୍ତି... ଦୟାକରି ମୋ ଫେସବୁକ୍ ପେଜକୁ ଯାଆନ୍ତୁ)

ବି.ଦ୍ର.‌-
ଏହା କେନ୍ଦୁଝରର ଗର୍ବ ଓ ଗୌରବ ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କୁ ନେଇ କାହାଣୀଟି ଗତିଶୀଳ। କେନ୍ଦୁଝରର ଅନେକ ଲେଖକଙ୍କ ଇତିହାସକୁ ପଢି ସାରିଲା ପରେ ସହଜରେ କିପରି ବିପ୍ଳବୀ ଧରଣୀଧରଙ୍କୁ ବୁଝିହେବ ଚେଷ୍ଟା କରିଛି। ଭୁଲ୍ ତ୍ରୁଟି ରହିଲେ କ୍ଷମା କରିବେ। ଏହା ଆପଣଙ୍କୁ କିପରି ଲାଗୁଛି ଜଣାଇବାକୁ ଅନୁରୋଧ... ଯାହା ପରବର୍ତ୍ତୀ ଭାଗ ଲେଖିବା ପାଇଁ ପ୍ରେରଣା ଯୋଗାଇବ। ନମସ୍କାର। ଜୟ ଜଗନ୍ନାଥ।

21
767 views