logo

ଶିବ ଚତୁର୍ଦ୍ଦଶୀ ମାହାତ୍ମ୍ୟ - ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ବାରା ବିଶେଷ ଉପସ୍ଥାପନା।

ଶିବ ଚତୁର୍ଦ୍ଦଶୀ ମାହାତ୍ମ୍ୟ
ପଣ୍ତିତ ଦୈତ୍ୟାରି ମହାପାତ୍ର
ପ୍ରତ୍ୟେକ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିକୁ ଶିବ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଏ । ଭଗବାନ ଶ୍ରିଶିବ କୃପା ଲାଭ ନିମନ୍ତେ ଯେତେ ପୂଜାବ୍ରତ ପାଳନ କରାଯାଏ ତନ୍ମଧ୍ୟରୁ ଶିବ ଚତୁର୍ଦ୍ଦଶୀ ବ୍ରତ ଅନ୍ୟତମ। ଏହି ଦିନ ଭଗବାନ ଶିବ ପୂଜା କରିବା ସହିତ ମନ୍ଦିର ବେଢ଼ା ପରିକ୍ରମା କରାଯାଏ।ପୁରାଣରେ ବର୍ଣ୍ଣନା ଅନୁଯାୟୀ , ଏକଦା ହିମାଳୟରେ ଅବସ୍ଥାନ କରୁଥିବା ସମୟରେ ଦେବୀ ପାର୍ବତୀ ଭଗବାନ ଶିବଙ୍କୁ ପଚାରିଲେ, ହେ ପ୍ରଭୁ ! ଆପଣଙ୍କ ଉଦ୍ଦେଶ୍ୟରେ ପାଳିତ ହେଉଥିବା ପୂଜାବ୍ରତମାନଙ୍କ ମଧ୍ୟରୁ କେଉଁ ବ୍ରତ ଆପଣଙ୍କ ସବୁଠାରୁ ପ୍ରିୟ । ମହାଦେବ କହିଲେ, ହେ ଦେବୀ ! ପ୍ରତ୍ୟେକ ଅଷ୍ଟମୀ ତିଥି, ପ୍ରତି ସୋମବାର, କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ମୋର ଅଧିକ ପ୍ରିୟ । ଏହି ତିଥିମାନଙ୍କରେ ଯେଉଁମାନେ ଶିବାର୍ଚ୍ଚନା କରନ୍ତି, ଶିବମନ୍ତ୍ର ଜପ କରନ୍ତି, ଉପବାସ ପାଳନ କରନ୍ତି ,ମନ୍ଦିର ବେଢ଼ା ପରିକ୍ରମା କରନ୍ତି , ଶିବ ପୂଜା କରନ୍ତି ଏବଂ ଏହି ଦିନମାନଙ୍କରେ ଯେଉଁମାନେ ମୃତ୍ୟୁ ବରଣ କରନ୍ତି ସେମାନେ ମୁକ୍ତି ମୋକ୍ଷ ପାଇ ଦେହାନ୍ତେ ଶିବଲୋକରେ ବାସ କରନ୍ତି। ଯେଉଁମାନେ ଏକାନ୍ତ ଭକ୍ତିରେ ଶିବାର୍ଚ୍ଚନା, ରୁଦ୍ରମନ୍ତ୍ର ଜପ, ଶିବାଳୟରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତି, ଉପବାସ ରହି ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତି, ଶିବ ଚତୁର୍ଦ୍ଦଶୀ ବ୍ରତ ପାଳନ କରନ୍ତି ଏବଂ ନିଷ୍ଠାର ସହିତ ମହା ଶିବରାତ୍ରୀ ବ୍ରତ ପାଳନ କରନ୍ତି ସେମାନଙ୍କର ସର୍ବବିଦ୍ଧ ମଙ୍ଗଳ ହେବା ସହିତ ପରିବାରର ମଙ୍ଗଳ ହୋଇଥାଏ। ସର୍ବାରିଷ୍ଟ ଖଣ୍ଡନ ହେବା ସହିତ ସମସ୍ତ ପ୍ରକାର ମାନସିକ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ। ମହାମାରୀ ଆଦି ରୋଗରୁ ମୁକ୍ତି ପାଇବା ସହିତ ଅକାଳ ମୃତ୍ୟୁରୁ ରକ୍ଷା ମିଳିଥାଏ। ଦେହାନ୍ତେ ସେ ଆଶୁତୋଷ ଭଗବାନ ଶିବଙ୍କ କୃପା ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ପାଇଥାଏ।
ଫାଲ୍‌ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିକୁ ଆଶ୍ରୟ କରି ଯେଉଁ ଘନଘଟା ଅନ୍ଧକାରମୟ ଆଚ୍ଛାଦିତ ରାତ୍ରିର ଉଦୟ ହୋଇଥାଏ, ସେହି ରାତ୍ରିକୁ ମହାଶିବରାତ୍ରି କୁହାଯାଏ । ସେହି ପବିତ୍ର ଚତୁର୍ଦ୍ଦଶୀ ତିଥିରେ ଯେଉଁମାନେ ଭକ୍ତି ପୂର୍ବକ ଉପବାସ କରି ଶିବ ପୂଜା କରନ୍ତି, ସେମାନେ ନିଶ୍ଚିତଭାବେ ଶିବ କୃପା ଲାଭ କରନ୍ତି ବୋଲି ବିଶ୍ୱାସ କରାଯାଏ। ବୈଷ୍ଣବ ଭକ୍ତମାନଙ୍କ ଏକାଦଶୀ ତିଥି ବ୍ରତ ପାଳନ ପରି ଶୈବ ଭକ୍ତମାନଙ୍କର ଚତୁର୍ଦ୍ଦଶୀ ତିଥି ମୂଖ୍ୟ ଅଟେ । ଶିବ ପୁରାଣ ଅନୁସାରେ ସବୁ ଚତୁର୍ଦ୍ଦଶୀ ଶିବରାତ୍ରି ସ୍ୱରୂପ ଅଟେ । ଜ୍ୟୋତିଷ ଗଣନା ଅନୁସାରେ ପ୍ରତିପଦା ଆଦି ଷୋଳତିଥି ଯେପରି ଅଗ୍ନିଆଦି ଦେବତାମାନଙ୍କର ପ୍ରିୟ ତଥା ଅଧିପତି ଅଟନ୍ତି । ସେହିଭଳି ଚତୁର୍ଦ୍ଦଶୀ ତିଥି ଶିବଙ୍କର ପ୍ରିୟ ତଥା ସେ ତିଥିର ଅଧିପତି ହେଉଛନ୍ତି ଭଗବାନ ଶିବ । ଈଶାନ ସଂହିତାରେ କୁହାଯାଇଛି, ଫାଲ୍‌ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶିବ ଲିଙ୍ଗରୂପେ ଆବିର୍ଭୂତ ହୋଇ ବ୍ରହ୍ମାବିଷ୍ଣୁଙ୍କ ବିଦ୍ୱେଷ ଖଣ୍ଡନ କରିଥିଲେ ।
ସେହିପରି ବୃହଷ୍ପତି କୃତ୍ କୌମୁଦୀ ଗ୍ରନ୍ଥରେ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ଶିବରାତ୍ରି ତଥା ଫାଲ୍‌ଗୁନ ମାସରେ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ମହାଶିବରାତ୍ରି ରୂପେ ବର୍ଣ୍ଣିତ ହୋଇଛି । ବର୍ଷକ ବାରମାସ ମଧ୍ୟରେ ଏକାଦଶତମ ମାସ ହେଉଛି ଫାଲ୍‌ଗୁନ ମାସ । ରୁଦ୍ରଙ୍କ ସଂଖ୍ୟା ଏକାଦଶ ହୋଇଥିବାରୁ , ଫାଲ୍‌ଗୁନ ମାସ ବର୍ଷର ଏଗାର ସଂଖ୍ୟାରେ ଥିବାରୁ ସେହିମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀକୁ "ମହାଶିବରାତ୍ରୀ" ର ମାନ୍ୟତା ଦିଆଯାଇଛି । ଏହି ତିଥିରେ ସମସ୍ତ ଜ୍ୟୋତିର୍ଲିଙ୍ଗ ଉଦ୍‌ଭବ ହୋଇଥିବାରୁ ଚତୁର୍ଦ୍ଦଶୀ ତିଥିର ଗୁରୁତ୍ୱ ଶୈବ ସଂସ୍କୃତିରେ ବିଶେଷ ଭାବେ ପ୍ରାଧାନ୍ୟ ଦିଆଯାଇଛି ।
ଲୋକକଥା :-
ଚତୁର୍ଦ୍ଦଶୀ ବ୍ରତ ସମ୍ପର୍କରେ ପୁରାଣରେ ଏକ ସୁନ୍ଦର କଥା ବସ୍ତୁ ରଚନା କରାଯାଇଛି। ସେଥିରେ ଲେଖା ଅଛି , ମଧ୍ୟଦେଶରେ ଜଣେ ପାପୀ ବ୍ୟାଧ ଥିଲା । ପଶୁପକ୍ଷୀ ଶିକାର କରି ଜୀବିକା ନିର୍ବାହ କରିବା ତା’ର ବୃତ୍ତି ଥିଲା । ଏକଦା ପାପକର୍ମରେ ଲିପ୍ତ ଥାଇ କାଳାଞ୍ଚନା ପର୍ବତରୁ ଶିକାର କରି ଫେରୁଥିବା ସମୟରେ ବାଟରେ ଏକ ମହାବଳ ବ୍ୟାଘ୍ର ଭୟରେ ଏକ ବେଲଗଛ ଉପରେ ଚଢ଼ିଗଲା । ବେଲଗଛ ତଳେ ଏକ ଶିବଲିଙ୍ଗ ଥିଲା । ବ୍ୟାଘ୍ରଟି ଗଛମୂଳେ ବ୍ୟାଧକୁ ଖାଇବ ବୋଲି ଅପେକ୍ଷା କରି ରହିଲା । ବିଚରା ବ୍ୟାଧ ଗଛ ଉପରେ ରହି ଉପବାସରେ ରାତ୍ରି ଯାପନ କଲା । ସେହି ସମୟରେ ବେଲପତ୍ର ଛିଣ୍ଡାଇ ବ୍ୟାଘ୍ରକୁ ଘଉଡ଼ାଇବା ଉଦ୍ଦେଶ୍ୟରେ ପକାଉଥିଲା । ଯୋଗରୁ ସେଦିନ ଶିବରାତ୍ରି ଚତୁର୍ଦ୍ଦଶୀ ତିଥି ପଡ଼ିଥିଲା । ଉପବାସ ତଥା ଶିବଲିଙ୍ଗରେ ବେଲପତ୍ର ଚଢ଼ାଇବା ଯୋଗୁ ବ୍ୟାଧ ଅଜାଣତରେ ଶିବରାତ୍ରୀ ବ୍ରତ ପାଳନ କଲା । ସକାଳ ହେଲା ବ୍ୟାଘ୍ର ସେସ୍ଥାନ ଛାଡ଼ି ଚାଲିଯିବାରୁ ପାପକର୍ମା ବ୍ୟାଧ ବୃକ୍ଷରୁ ଓହ୍ଲାଇ ଘରକୁ ବାହୁଡ଼ିଲା । ସେହି ସମୟରେ ପୁନଶ୍ଚ ବ୍ୟାଘ୍ର ଆସି ବ୍ୟାଧକୁ ମାରିଦେଲା । ଯମଦୂତମାନେ ବ୍ୟାଧର ଜୀବନ ନେବାକୁ ଆସିଲେ। ମାତ୍ର ଶିବଗଣମାନେ ଆସି ଯମଗଣଙ୍କ ହସ୍ତରୁ ବ୍ୟାଧର ପ୍ରାଣକୁ ନେଇ ଶିବଲୋକକୁ ଚାଲିଗଲେ ।
ପୁରାଣର ଅନ୍ୟ ଏକ ବର୍ଣ୍ଣିତ ଉପାଖ୍ୟାନ ଅନୁସାରେ କୃଷ୍ଣଶର୍ମା ନାମକ ଜଣେ ବ୍ରାହ୍ମଣ ସ୍ନାନ ସମୟରେ ପୋଖରୀରେ ପଡ଼ିଥିବା ଏକ ଇଟାରେ ଗୋଡ଼ଘଷି ହୋଇ ସ୍ନାନ କରୁଥିଲା । ସେହି ଇଟା ଏକ ଶିବମନ୍ଦିରର ଥିଲା । ତା’ପର ଦିନ ସ୍ନାନଶୌଚ ସମୟରେ ସର୍ପ ଦଂଶନରେ ତାଙ୍କର ମୃତ୍ୟୁ ହେଲା । ଶିବମନ୍ଦିରର ଇଟାରେ ଗୋଡ଼ଘଷି ଥିବାରୁ ତାହାର ମୃତ୍ୟୁ ହୋଇଛି ଏବଂ ତା’ର ସବୁ ପୂଣ୍ୟଫଳ ନଷ୍ଟ ହୋଇଛି । ଏଣୁ ସେହି ପୁଷ୍କରଣୀ ତଟରେ ଥିବା ବରଗଛରେ ପ୍ରେତଭାବେ ଏକ ଅୟୁତବର୍ଷ ପର୍ଯ୍ୟନ୍ତ ରହିବାକୁ ହେବ । ଯଦି କୌଣସି ପୂଣ୍ୟାତ୍ମା ଶିବରାତ୍ରି ବ୍ରତର ପୂଣ୍ୟ ଦାନକରେ ତେବେ ତା’ର ପ୍ରେତଜନ୍ମରୁ ମୁକ୍ତି ମିଳିବ ବୋଲି ଯମରାଜା କୃଷ୍ଣଶର୍ମାଙ୍କୁ ବୁଝାଇ କହିଲେ । ସେହି ଇଟା ଶିବମନ୍ଦିରର କିପରି ବୋଲି ଆକୁଳ ନିବେଦନ କରି ପ୍ରଶ୍ନ କରିବାରୁ ଯମରାଜା କୃଷ୍ଣଶର୍ମା ବ୍ରାହ୍ମଣଙ୍କୁ ସବୁକଥା କହିଲେ । ପୂର୍ବେ କାଶ୍ମୀରରେ ଜଣେ ଶିବଭକ୍ତ ବ୍ରାହ୍ମଣ ଥିଲେ । ସେ ମାଘମାସରେ ତୀର୍ଥାଟନ ଲାଗି ପ୍ରୟାଗକୁ ଯାଇଥିଲେ । ସେଠାରେ ତ୍ରିବେଣୀ ସଙ୍ଗମରେ ଗଙ୍ଗା, ଯମୁନା, ସରସ୍ୱତୀ ନଦୀରେ ପିତୃ ତର୍ପଣ କରିଥିଲେ । ଭଗମାଳୀ ନାମରେ ଜଣେ ଶିବଭକ୍ତ ସେଠାରେ ଉପସ୍ଥିତ ହେଲେ । କାଶ୍ମୀର ବ୍ରାହ୍ମଣ ଶୈବ ବ୍ରାହ୍ମଣଙ୍କୁ ଭୋଜନ ଲାଗି ନିମନ୍ତ୍ରଣ କଲେ । ବ୍ରାହ୍ମଣ ଜଣକ ଶିବ ଦର୍ଶନ କରିନଥିବାରୁ ଭୋଜନକୁ ବାରଣ କଲେ । ବ୍ରାହ୍ମଣଙ୍କର ଶିବଭକ୍ତି ଦେଖି ତାଙ୍କୁ ଶିବଦର୍ଶନ ଓ ପୂଜା ଭିତରେ ପାର୍ଥକ କ’ଣ ଅନେକ ପ୍ରଶ୍ନ ପଚାରିଲେ । ଶିବଦର୍ଶନ କଲେ ସହସ୍ର ଅଶ୍ୱମେଧ ଯଜ୍ଞର ଫଳଲାଭ, ମଧ୍ୟାହ୍ନରେ ଦର୍ଶନ କଲେ ସକଳ ଦୂରିତ ନାଶ ହୁଏ, ପ୍ରଦୋଷରେ ଦର୍ଶନକଲେ ବ୍ରହ୍ମହତ୍ୟା ଦୋଷ ଖଣ୍ଡନ ହେବା, ପ୍ରତିଦିନ ଦର୍ଶନରେ ଶିବଙ୍କ ପ୍ରିୟଭାଜନ ହେବା, ଚତୁର୍ଦ୍ଦଶୀରେ ଦର୍ଶନ କଲେ ପାପମୁକ୍ତ ହୋଇ ଶିବଲୋକରେ ସ୍ଥାନ ପାଇବା ଆଦି ପ୍ରସଙ୍ଗ ଆଲୋଚନା କଲେ । ସେଦିନ ବାବାଜୀଙ୍କ ଆଶ୍ରମରେ ଅବସ୍ଥାନ କରି ରାତ୍ରିରେ ଶିବଲିଙ୍ଗ ପୂଜାକଲେ । ପରଦିନ ବ୍ରାହ୍ମଣ ଜଣକ ସେ ସ୍ଥାନ ତ୍ୟାଗକଲେ ଏବଂ ବାବାଜୀ ସେହିସ୍ଥାନରେ ଏକ ଶିବମନ୍ଦିର ନିର୍ମାଣ କଲେ । ଅନେକ ଦିନପରେ ମନ୍ଦିରଟି ଭାଙ୍ଗିଯାଇଥିଲା । ସେଥିରୁ ଇଟା ଖଣ୍ଡକ ଆସି ପୁଷ୍କରଣୀ ତୁଠରେ ପଡ଼ିଥିଲା । ସେହି ଇଟାରେ କୃଷ୍ଣଶର୍ମା ବ୍ରାହ୍ମଣ ଗୋଡ଼ଘଷିବାରୁ ତାଙ୍କର ଏପରି ଦଶା ଘଟିଲା ବୋଲି ଯମରାଜା ତାଙ୍କୁ ବୁଝାଇଦେଲେ । ତେଣୁ କୃଷ୍ଣଶର୍ମା ପ୍ରେତହୋଇ ସେଠାର ବଟବୃକ୍ଷରେ ନିବାସ କରି ତାଙ୍କର କୌଣସି ଶିଷ୍ୟକୁ ଅପେକ୍ଷା କରି ରହିଲେ । ସମୟ ଆସିଲା କୃଷ୍ଣଶର୍ମାଙ୍କର ଜଣେ ‘ନିରଘ’ ବୋଲି ଶିଷ୍ୟ, ତାଙ୍କୁ ସବୁକଥା କହିଲେ । ‘ନିରଘ’ ସୂର୍ଯ୍ୟଙ୍କୁ ପାଣିଟେକି ସମସ୍ତ ଚତୁର୍ଦ୍ଦଶୀ କରି ତାର ସକଳ ପୂଣ୍ୟଫଳକୁ କୃଷ୍ଣଶର୍ମାଙ୍କୁ ଦେବେ ବୋଲି ଶପଥ କଲେ । ତା’ପରେ ‘ନିରଘ’ ଭକ୍ତିପୂତ ଭାବେ ଶିବଚତୁର୍ଦ୍ଦଶୀ ବ୍ରତ ଓ ଶିବରାତ୍ରି ବ୍ରତ ପାଳନ କଲେ । ଯାହା ଫଳରେ ନିଜ ପୂଣ୍ୟଫଳରୁ ‘ନିରଘ’ କୃଷ୍ଣଶର୍ମାଙ୍କୁ ଦାନ କରିବାରୁ ସେ ଶିବଲୋକକୁ ଗମନ କଲେ ଓ ନିରଘ ମଧ୍ୟ ନିଜ ପୂଣ୍ୟଫଳ ଯୋଗୁଁ ଶିବଲୋକ ଗମନ କଲେ ।
ଶିବ ଚତୁର୍ଦ୍ଦଶୀ ବ୍ରତ ଯେ ଜନ ପାଳଇ।
ତା ଠାରୁ ଶ୍ରେଷ୍ଠ ଭକତ ସଂସାରରେ ନାହିଁ।।
ଶିବ କୃପା ଲାଭ କରି ଯଶସ୍ଵୀ ହୋଇବ।
ଧନ ଜନ ଗୋପ ଲକ୍ଷ୍ମୀ ତାର ପ୍ରାପ୍ତି ହେବ।।
ଓଡ଼ିଆ ଭାଷା ସାହିତ୍ୟ ଗବେଷକ
ଭଦ୍ରକ, ଓଡ଼ିଶା
ମୋ -୮୭୬୩୫୪୮୨୦୨/୬୩୭୨୭୫୨୬୬୨
Mail id - shivbaba.mahapatra@gmail.com

ସୌଜନ୍ୟ: ଖଣ୍ଡାଧାର ନିଉଜ।

7
465 views