logo

ମହାଶିବରାତ୍ରୀ ବା ଜାଗର ବ୍ରତ - ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ବାରା ବିଶେଷ ଉପସ୍ଥାପନା।

ମହାଶିବରାତ୍ରୀ ବା ଜାଗର ବ୍ରତ
ପଣ୍ତିତ ଦୈତ୍ୟାରି ମହାପାତ୍ର
' ଶିବ ' ସର୍ବବ୍ୟାପକ। ସେ ପରମାତ୍ମା। ଶିବ + ଶକ୍ତି = ଅର୍ଦ୍ଧନାରୀଶ୍ୱର। ଅର୍ଥାତ୍ ପରମାତ୍ମା ପରମବ୍ରହ୍ମ ଶାଶ୍ଵତ ସନାତନ ନିର୍ବିକାର ଭଗବାନ ଶିବଙ୍କର କୌଣସି ଲିଙ୍ଗ ଭେଦ ନାହିଁ। ସେ ନିର୍ଗୁଣ ନିରାକାର। ଭଗବାନ ପରମବ୍ରହ୍ମ ଶିବ ସମସ୍ତଙ୍କର କଲ୍ୟାଣ କରୁଥିବାରୁ ତାଙ୍କ ନାମ " ଶିବ "। ଏକଦା ବେଦପତି ବ୍ରହ୍ମା କହୁଛନ୍ତି, ହେ ସନକ, ସୌନକ ଆଦି ଋଷିଗଣ ! ଚଉଦ ବ୍ରହ୍ମାଣ୍ଡରେ ଯାହାର ଜୀବନ ଅଛି ସେ ହିଁ ଶିବ ଭକ୍ତ। ଏଣୁ ଆମେ ସମସ୍ତେ ଶିବ ଭକ୍ତ।
ସର୍ବ ଶକ୍ତିମାନ ଭଗବାନ ଅନ୍ତର୍ଯ୍ୟାମୀ ଶିବ ସମସ୍ତ ପ୍ରକାର ଦୂର୍ଗୁଣକୁ ବିନାଶ କରନ୍ତି। ଭକ୍ତର ମନ କଥା ଜାଣି ଫଳ ଦିଅନ୍ତି। ଆମେ ସକଳ ଜୀବ ଜଗତ ଥରେ ମାତ୍ର ତାଙ୍କର ହୋଇଗଲେ ସେ ସବୁବେଳେ ଆମର ହୋଇଯିବେ। କେବଳ ଜୀବ ତାଙ୍କ ଶରଣାପନ୍ନ ହେବାକୁ ସେ ଚାହିଁଛନ୍ତି। ଆମେ ସମସ୍ତେ ଭଗବାନ ଶିବଙ୍କ ଆଖିରେ ଆପଣାର। ଆମ ଭିତରେ କୌଣସି ଭେଦାଭେଦ ନାହିଁ। ତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ ଜଣାଯିବ ଯେ ଆମେ ସମସ୍ତେ ସେହି ମଙ୍ଗଳମୟ ସଦାଶିବଙ୍କର ସନ୍ତାନ।
ସତ୍ୟମ୍, ଶିବମ୍, ସୁନ୍ଦରମ୍ କହିଲେ ଆମେ ଭଗବାନ ଶିବଙ୍କୁ ବୁଝିଥାଉଁ। ଓଁକାର ନାଦ ବ୍ରହ୍ମ ଶିବଙ୍କର ମୂଳପିଣ୍ଡ। ବେଦ କହେ, ଆତ୍ମାର ପ୍ରକୃତି ସ୍ୱରୂପ ହେଉଛି ସତ୍ୟମ୍ ଅର୍ଥାତ୍ ଆତ୍ମା ସତ୍ୟ, ଜଗତ ମିଥ୍ୟା। ଆତ୍ମା ଚିରସ୍ଥାୟୀ , ଅଚ୍ୟୁତ ସେ ସର୍ବବ୍ୟାପକ। ଆତ୍ମା ସାଧାରଣତଃ ପାଞ୍ଚ ମହାଭୂତରେ ତିଆରି, ତେଣୁ ସେ ଅମର। ଆତ୍ମାର କୌଣସି ପରିବର୍ତ୍ତନ ହୁଏ ନାହିଁ କି ବିନାଶ ମଧ୍ୟ ହୁଏ ନାହିଁ। ଏ ଶରୀର ଏକ ଜଡ଼। ଶରୀରରେ ଆତ୍ମା ଜାଗ୍ରତ ହେଲେ ଜଡ଼ ପିଣ୍ଡ ସଜୀବ ହୋଇଯାଏ। ସଃ ଜୀବ ଇତି ଶିବ। ଯାହାର ଜୀବନ ଅଛି ଶିବ ହିଁ ତାଙ୍କ ପାଖରେ ଅଛନ୍ତି।
ଭଗବାନ ଶିବ କହୁଛନ୍ତି, "ହେ ଜୀବମଣ୍ଡଳ ! ମୁଁ ତୋ ପାଖେ ପାଖେ ଅଛି। ଦୂରରେ ନୁହେଁ। ତୁ ସୂକ୍ଷ୍ମ ଦୃଷ୍ଟିରେ ଚାହିଁଲେ ମୋତେ ନିଶ୍ଚୟ ଦେଖିପାରିବୁ। ତୁ ଯେତେବେଳେ ଯାହା କହୁଛୁ ଓ କରୁଛୁ ମୁଁ ତାହା ପ୍ରତି ମୁହୂର୍ତ୍ତରେ ଦେଖୁଛି। ଏହାକୁ ବିଚାର କରି କାର୍ଯ୍ୟ କର, ତେବେ ଯାଇ ମୁକ୍ତି ପାଇବୁ। ନିର୍ବାଣ ହେବୁ। " ମନରେ ଭକ୍ତି ଥିଲେ ଶରୀରରେ ସୁନ୍ଦରତା ଆସେ। ଅର୍ଥାତ୍ ଆତ୍ମା ସୁନ୍ଦର। କାରଣ ସେ ପରମାତ୍ମା ସଚିଦାନନ୍ଦ ସ୍ୱରୂପ। ଅର୍ଥାତ୍ ଆତ୍ମା ସୁନ୍ଦର କାରଣ ସେ ପରମାତ୍ମା ସଚିଦାନନ୍ଦ ସ୍ୱରୂପ। ଶାସ୍ତ୍ର ମତରେ, ସତ୍ ମନରେ ନିଷ୍କପଟ ଭାବରେ ଜୀବ ଯଦି ଭଗବାନ ଶିବଙ୍କ ଶରଣାପନ୍ନ ହୁଏ ତେବେ ଜୀବନ ସୁନ୍ଦର ଅର୍ଥାତ୍ ଆନନ୍ଦମୟ ବେହ।
ପଞ୍ଚ ମହାଭୂତରୁ ଜୀବର ସୃଷ୍ଟି। ତାହା ହେଲା - ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ। ଏହି ପାଞ୍ଚ ତତ୍ତ୍ଵର ମିଶ୍ରଣ ହିଁ ଶିବ। ପଞ୍ଚ ମହାଭୂତର କର୍ତ୍ତା ହେଲେ ଭଗବାନ ଶିବ। ତାହା ପୁଣି ପାଞ୍ଚ ନାମରେ ବିଦିତ। ଯଥା - ସର୍ବ " ପୃଥିବୀ ତତ୍ତ୍ଵ " । ଭବ - " ଜଳ ତତ୍ତ୍ଵ " । ରୁଦ୍ର - " ଅଗ୍ନି ତତ୍ତ୍ଵ " । ଉଗ୍ର - " ବାୟୁ ତତ୍ତ୍ଵ " ଏବଂ ଭୀମ - " ଆକାଶ ତତ୍ତ୍ଵ " । ଭଗବାନ ଶିବଙ୍କର ମୁଖ ସଂଖ୍ୟା ପାଞ୍ଚ। ତାହା ପୁଣି ପାଞ୍ଚ ମହାଭୂରରେ ଆବଦ୍ଧ। ସୃଷ୍ଟି ସର୍ଜନା ସରିଯାଇଛି। ମାଆ ପାର୍ବତୀ ପଚାରିଛନ୍ତି, ହେ ପ୍ରଭୁ ! ଆପଣ ତ ସର୍ବଶକ୍ତିମାନ, ସର୍ବବ୍ୟାପକ । ପ୍ରତି ଦିନ ତ ଆପଣଙ୍କ ପାଇଁ ମଙ୍ଗଳ । ହେ ଦେବାଧିଦେବ ମହାଦେବ ! ଆପଣଙ୍କ ପୂଜା ଆରାଧନା ପାଇଁ କେଉଁ ଦିବସଟି ସର୍ବୋତ୍ତମ। ଭଗବାନ ଶିବ କହୁଛନ୍ତି, ହେ ଦେବୀ ! ମହାଶିବରାତ୍ରୀ ବ୍ରତ ମୋ ପାଇଁ ସର୍ବୋତ୍ତମ। ଶିବରାତ୍ରୀର ମହିମା ଅପାର। ଶିବରାତ୍ରୀର ଅନ୍ୟନାମ ଜାଗର ବା ଉଜାଗର। ଅର୍ଥାତ୍ ସାରାରାତି ଉଜାଗର ରହି ଭଗବାନ ଶିବଙ୍କ ଶରଣାପନ୍ନ ହେବା ଏବଂ ଦ୍ଵୀପ ଜାଳି ନିକଟରେ ବସିରହିବା । ଶିବ ଚିନ୍ତା କରିବା ଏବଂ ଶିବ ବାଣୀ ପ୍ରଚାର ପ୍ରସାର କରିବା।
ଈଶାନ ସଂହିତା କହେ, " ମାଘ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି - ମହାନିଶି, ଶିବ ଲିଙ୍ଗ କୋଟି ସୂର୍ଯ୍ୟ ସମପ୍ରଭ।" ଈଶାନ ସଂହିତା ଅନୁଯାଇ, ମାଘ ମାସରେ କିନ୍ତୁ ପଞ୍ଜିକା ଅନୁସାରେ ଫାଲଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶିବରାତ୍ରୀ ବା ଜାଗର ବ୍ରତ ପାଳନ କରାଯାଏ। ଜାଗର ବା ଶିବରାତ୍ରୀରେ ଉଜାଗର ରହି ଏକାନ୍ତ ଭକ୍ତି- ନିଷ୍ଠା- କାଷ୍ଠା ଓ ଏକାଗ୍ରତାର ସହିତ ଶିବ ନାମ ସ୍ମରଣ କଲେ ବା ଶ୍ରୀଶିବ ନାମରେ ସଙ୍କୀର୍ତ୍ତନ କଲେ ଶିବ କୃପା ମିଳିଥାଏ। ଅଭୀଷ୍ଟ ପୂରଣ ହୁଏ। ଭବ ସଂସାରରୁ ମୋକ୍ଷ ପ୍ରାପ୍ତି ମିଳେ। ଜାଗର ହେଉଛି ପୂର୍ଣ୍ଣମାତ୍ରାରେ ଭଗବାନ ଶିବଙ୍କ ଆଶ୍ରିତ ହେବାର ରାତି। ସାରାଦିନ ଉପବାସ ରହି ସମ୍ପୂର୍ଣ୍ଣ ରାତ୍ରି ଉଜାଗର ରହି ଭଗବାନ ଶିବଙ୍କ ନିକଟରେ ଘିଅ ଦ୍ଵୀପ ଜାଳି ଶ୍ରୀଶିବଙ୍କ ପାଦପଦ୍ମରେ ମନ ନିବେଶ କରି ଶିବ ନାମକୁ ବାରମ୍ବାର ଜପ କରିବା ବା ସଙ୍କୀର୍ତ୍ତନ କରିବା। ଫଳରେ ଶିବ କୃପା ମିଳିବା ସହିତ ସାତ ଜନ୍ମର ପାପ ତାପରୁ ମୁକ୍ତି ମିଳିଥାଏ। ଆଗାମୀ ସାତ ଜନ୍ମ ପାଇଁ ଧର୍ମ ସଞ୍ଚୟ ହୋଇ ରହିଥାଏ।
ଜାଗରକୁ ଚାରି ପ୍ରହରରେ ବିଭକ୍ତ କରାଯାଇ ଏକାନ୍ତ ଭକ୍ତି ଓ ନିଷ୍ଠାର ସହିତ ଶିବ ପୂଜା ଆରାଧନା କରାଯାଏ। ପ୍ରଥମ ପ୍ରହରକୁ " ରଜଗୁଣ", ଦ୍ଵିତୀୟ ପ୍ରହାରକୁ " ତମଗୁଣ ", ତୃତୀୟ ପ୍ରହରକୁ " ସତ୍ତ୍ଵଗୁଣ" ଏବଂ ଚତୁର୍ଥ ପ୍ରହରକୁ "ଗୁଣାତୀତ" କୁହାଯାଏ। ବିଧି ବିଧାନ ଅନୁସାରେ ଏକାନ୍ତ ଭକ୍ତିର ସହିତ ଶିବ ପୂଜା କରାଯାଏ। ଶିବରାତ୍ରୀରେ ଘିଅ ଦ୍ଵୀପ ଜାଳିବା ଏବଂ ମନ୍ଦିରର ଚୂଳି ଉପରକୁ ମହାଦୀପ ଉଠାଇବା ଏକ ସ୍ବତନ୍ତ୍ର ବିଧି ବିଧାନ। ମହାଦୀପ ଜାଳିବାର ମୁଖ୍ୟ କାରଣ ହେଉଛି ଅଜ୍ଞାନରୂପୀ ଅନ୍ଧକାରକୁ ଦୂରୀଭୂତ କରି ଜ୍ଞାନରୂପକ ଆଲୋକକୁ ଜାଗ୍ରତ କରିବା। ଅସତ୍ୟରୁ ଦୂରେଇ ରହି ସତ୍ୟକୁ ଆଶ୍ରୟ କରିବା। ଜୀବ ବା ଆତ୍ମା ପରମାତ୍ମଙ୍କ ନିକଟବର୍ତ୍ତୀ ହେବା ଏହି ପୂଜା ବା ବ୍ରତର ମୁଖ୍ୟ ଲକ୍ଷ୍ୟ। ଏକାନ୍ତ ଭକ୍ତିର ସହିତ ବିଧି ବିଧାନ ଅନୁସାରେ ସମ୍ପୂର୍ଣ ଉଜାଗର ରହି ଶିବ ପୂଜା କଲେ ଭଗବାନ ପରମବ୍ରହ୍ମ ପରମପିତା ଶିବ ପ୍ରସନ୍ନ ହୋଇ କୃପା ଦୃଷ୍ଟି ପକାଇଥାନ୍ତି।
ଓଡ଼ିଆ ଭାଷା ସାହିତ୍ୟ ଗବେଷକ
ଭଦ୍ରକ, ଓଡ଼ିଶା
ମୋ -୮୭୬୩୫୪୮୨୦୨/୬୩୭୨୭୫୨୬୬୨
Mail id - shivbaba.mahapatra@gmail.com

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

1
300 views