logo

"ପୂଣ୍ୟଭୂମି‌‌‌‌‌ ଆମୁଣି ଗାଁରୁ, ପ୍ରଜା ବିଦ୍ରୋହର ଶଙ୍ଖନାଦ।" ଘନଶ୍ୟାମ ପଲେଇ ଙ୍କ ଦ୍ଵାରା ବିଶେଷ ଉପସ୍ଥାପନା।

"ପୂଣ୍ୟଭୂମି‌‌‌‌‌ ଆମୁଣି ଗାଁରୁ,
ପ୍ରଜା ବିଦ୍ରୋହର ଶଙ୍ଖନାଦ।"
ଲେଖକ- ଘନଶ୍ୟାମ ପଲେଇ
ଭାଗ- ୩

ସେଠାରେ ଉପସ୍ଥିତ ଥିବା ରାଜଜ୍ୟୋତିଷୀ ପଟ୍ଟଯୋଷୀ ମହୋଦୟ ତୁରନ୍ତ ରାଜାଙ୍କ ସହ ସ୍ୱର ମିଳେଇ କହିଲେ‌- ମଣିମା! ମଣିମା! ଏହା ସାଧାରଣ ପିଲା ନୁହଁ। ଏହାଠାରେ ଭଲ ଲକ୍ଷଣ ଅଛି। ଏହାର ଆଖି ରକ୍ତ ବର୍ଣ୍ଣ ହୋଇଥିବାରୁ ପାଠ କହୁଛି। ଯାହାର ଆଖି ରକ୍ତ ବର୍ଣ୍ଣ... ଏହା ଜାଣିବ ରାଜ ଲକ୍ଷଣ। ଦେଖୁନାହାଁନ୍ତି ଏହାର ରୂପରେଖ ଦେଖି କିଏ କହିବ ୟେ ମାଳଭୂୟାଁ ପିଲା ବୋଲି।
ସଭାରେ ବସିଥିବା ସବୁ ପଣ୍ଡିତ ଏକା ସଙ୍ଗେ କହି ଉଠିଲେ- ସତ.... ସତ..! ତା ନହଲେ କି ମାଳଭୂୟାଁ ପିଲାଟା ଏତେ ଜାଣି ପାରନ୍ତା।
ସମସ୍ତଙ୍କ ମୁହଁରେ ଧରଣୀଧର ପ୍ରଶଂସିତ ହେଲେ। ଗୁଣଗ୍ରାହୀ ମହାରାଜା ଧନୁର୍ଜୟ ନାରାୟଣ ଭଞ୍ଜ ମଧ୍ୟ ଭୂରିଭୂରି ପ୍ରସଂସା କଲେ। ପିଲାଟିର ପ୍ରାଥମିକ ଶିକ୍ଷା ଯୋଗ୍ୟତା ଦେଖି ମହାରାଜା ମନେ କଲେ – ଯଦି ସେ ଅଧିକ ଶିକ୍ଷା ପ୍ରାପ୍ତ କରେ ନିଶ୍ଚୟ ଆମ ରାଜ୍ୟର ଜଣେ ଯୋଗ୍ୟ ଲୋକ ହେଇ ବାହାରିବ।
ମହାରାଜା ଆଉ କାଳ ବିଳମ୍ବ ନ କରି ସେଇଠାରେ ହିଁ ଘୋଷଣା କଲେ – “ଧରଣୀଧର! ଉଚ୍ଚ ଶିକ୍ଷା ପାଇବା ପାଇଁ କଟକ ଯିବ। ତା’ର ସମସ୍ତ ବ୍ୟବସ୍ଥା କରାଯାଉ”।
ଏଣେ ଲଇଛଣ ନାୟକ ସାଷ୍ଟାଙ୍ଗ ଭୂଇଁରେ ଲୋଟି ଭୋ... ଭୋ..ହେଇ କାନ୍ଦିଲା। ଧରଣୀଧର, ବାପାଙ୍କର ଲୁହ ପୋଛିଦେଲା। ମାଟିଆ ପଧାନ ବହୁତ ବୁଝାଶୁଝା କରି ତାକୁ ଗାଁକୁ ପଠାଇଦେଲା।
ଧରଣୀଧରଙ୍କୁ ରାଜବାଟି ନିଆଗଲା। ମହାରାଣୀଙ୍କୁ ତ ଆଗରୁ ଭୂୟାଁ ପିଲାଟିର ସମ୍ବାଦ ମିଳି ସାରିଥିଲା। ତେଣୁ ସେ ସେଠାରେ ଅପେକ୍ଷା କରିଥିଲେ। ମହାରାଣୀ ସହ ଭେଟ ହେଲାରୁ ଧରଣୀଧର ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ମହାରାଣୀ ମଧ୍ୟ ଏପରି ଏକ ତେଜଦୀପ୍ତ ବାଳକକୁ ଦେଖି ଆଶ୍ଚର୍ଯ୍ୟ ହେଲେ। ତାଙ୍କର ତ ପିଲାପିଲି କେହି ନ ଥିଲେ... ତେଣୁ ଧରଣୀଧରଙ୍କୁ ଦେଖି ମାତୃତ୍ୱ ଜାଗି ଉଠିଲା। ସେହିଦିନ ଠାରୁ ତାକୁ ମହାରାଣୀ ‘ଧର୍ମପୁତ୍ର’ ରୂପେ ଗ୍ରହଣ କଲେ। ରହିବା ପାଇଁ ରାଜବାଟରେ ଏକ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା କରାଗଲା। ମହାରାଜା ଓ ମହାରାଣୀଙ୍କ ଠାରୁ ଅନୁଗ୍ରହ ଲାଭ କରିବାରୁ ଅନ୍ୟ ସମସ୍ତେ ତାଙ୍କୁ ସ୍ନେହ ଚକ୍ଷୁରେ ଦେଖିଲେ ଓ ଆଦର ଯତ୍ନ କଲେ।
ଧରଣୀଧର ଯେଉଁଦିନ କଟକ ଗଲେ, ସେଦିନ ତାକୁ ମହାରାଜା ଭଲଭଲ ଲୁଗାଜାମା ପିନ୍ଧିବାକୁ ଦେଲେ। ମହାରାଜାଙ୍କ ଠାରୁ ବିଦାୟ ନେବାକୁ ଯାଇ ସାଷ୍ଟାଙ୍ଗ ଭୂମିଷ୍ଠ ହେଲା।ମହାରାଜା ସଦୟ ବିଭୋର ହୋଇ କହିଲେ – ଧରଣୀ! ମନଦେଇ ପାଠ ପଢ। ଭଲପାଠ ପଢି ଫେରିଲେ ତୁ କେନ୍ଦୁଝରରେ ମେନେଜର ହେବୁ।
ତା’ ପାଇଁ ରୋଷେଇ କରିବାକୁ ତାର ସହପାଠୀ ଯଦୁ ପଧାନଙ୍କୁ ସାଙ୍ଗରେ ପଠେଇଲେ। ଜଣେ ବିଶ୍ୱସ୍ତ ରାଜ କର୍ମଚାରୀ ତାକୁ କଟକ ତୁଳସୀପୁର କେନ୍ଦୁଝର କୋଠୀରେ ଛାଡିବାକୁ ବାହାରିଲେ। ସେତେବେଳେ କେନ୍ଦୁଝରରୁ କଟକ ଯିବାକୁ ଭଲ ରାସ୍ତା ଘାଟ କିମ୍ବା ଯାନ୍ତ୍ରିକ ଯାନର ସୁବିଧା ନଥିଲା। ପାଦରେ ଚାଲି ଚାଲି ସେଠାକୁ ଯାଇଥିଲେ। ଉଚ୍ଚଶିକ୍ଷା ପାଇବାକୁ ଉତ୍ସାହିତ ଧରଣୀଧର ଟିକିଏ ବି ପଦଯାତ୍ରାର କାୟକ୍ଳେଶ ଅନୁଭବ କରିନଥିଲେ।
କ୍ରମଶଃ ପଢିବାକୁ ପାଇବେ....
------ *** -------
ଆମୁଣି, ହାଣ୍ଡିଭଙ୍ଗା, କେନ୍ଦୁଝର-୭୫୮୦୩୧ ମୋ-9437718500
ବି.ଦ୍ର.‌- ଏହା କେନ୍ଦୁଝରର ଗର୍ବ ଓ ଗୌରବ ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କୁ ନେଇ କାହାଣୀଟି ଗତିଶୀଳ। କେନ୍ଦୁଝରର ଅନେକ ଲେଖକଙ୍କ ଇତିହାସକୁ ପଢି ସାରିଲା ପରେ ସହଜରେ କିପରି ବିପ୍ଳବୀ ଧରଣୀଧରଙ୍କୁ ବୁଝିହେବ ଚେଷ୍ଟା କରିଛି। ଭୁଲ୍ ତ୍ରୁଟି ରହିଲେ କ୍ଷମା କରିବେ। ଏହା ଆପଣଙ୍କୁ କିପରି ଲାଗୁଛି ଜଣାଇବାକୁ ଅନୁରୋଧ... ଯାହା ପରବର୍ତ୍ତୀ ଭାଗ ଲେଖିବା ପାଇଁ ପ୍ରେରଣା ଯୋଗାଇବ। ନମସ୍କାର। ଜୟ ଜଗନ୍ନାଥ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

19
1225 views