logo

ଭାରତୀୟ ସଂସ୍କୃତିରେ ଶିବପୂଜା। ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ବାରା ବିଶେଷ ଉପସ୍ଥାପନା।

ଭାରତୀୟ ସଂସ୍କୃତିରେ ଶିବପୂଜା
ପଣ୍ତିତ ଦୈତ୍ୟାରି ମହାପାତ୍ର
ସୋମବାର ଶୈବ ସଂସ୍କୃତିରେ ଅତ୍ୟନ୍ତ ପବିତ୍ର ଏବଂ ଗୁରୁତ୍ବପୂର୍ଣ୍ଣ ବାର। ସୋମବାର ଦିନ ଏକାନ୍ତ ଭକ୍ତି, ନିଷ୍ଠା ଓ ଆନ୍ତରିକତାର ସହିତ ଦେବାଧିଦେବ ମହାଦେବଙ୍କୁ ପୂଜା କରାଯାଏ । ଭଗବାନ ମହାଦେବ ହେଉଛନ୍ତି ସୃଷ୍ଟିର ସଂହାରକର୍ତ୍ତା ଏବଂ ମଙ୍ଗଳମୟ । ଭଗବାନ ଶିବ ହେଉଛନ୍ତି ସମଗ୍ର ବିଶ୍ୱର ପିତା ଏବଂ ଦେବୀ ପାର୍ବତୀ ହେଉଛନ୍ତି ବିଶ୍ୱର ମାତା । ପ୍ରଭୁ ଶିବ ଭଗବାନଙ୍କର ବିଭିନ୍ନ ନାମ ମଧ୍ୟରୁ ପ୍ରସନ୍ନଖେମେଶ୍ୱର, ନୀଳକଣ୍ଠ, ଜଟାଧାରୀ, ତ୍ରୀନାଥ, ପାର୍ବତୀପତି, ଗଙ୍ଗାଧର, ଭୋଳାନାଥ, ଲୋକନାଥ, ଭୂଷଣ୍ଡେଶ୍ଵର, ଗୁପ୍ତେଶ୍ୱର, ଝାଡେଶ୍ୱର୍, ବ୍ରହ୍ମେଶ୍ୱର, କିଲାଟେଶ୍ୱର, ଧବଳେଶ୍ଵର, ପାଟଣେଶ୍ବର, ସୁବର୍ଣେସ୍ୱର, ବୁଢ଼ା ମହାଦେବ, ଆଖଣ୍ଡଳମଣି ଆଦି ଅନ୍ୟତମ । ଭକ୍ତ ତାଙ୍କୁ ଯେମିତି ଡ଼ାକେ ସେ ଭକ୍ତର ଡ଼ାକ ମଧ୍ୟ ସେମିତି ଶୁଣନ୍ତି । ଭଗବାନ ଶିବଙ୍କୁ କୋପେ ବର ଏବଂ ତପେ ବର କୁହାଯାଏ ।
ଭକ୍ତ ନିଜର ମାନସିକ ପୂରଣ କରିବା ପାଇଁ ଶିବ ଆରାଧନା ସହିତ, ତ୍ରୀନାଥ ମେଳା, ପଞ୍ଚାନନ ମେଳା, ଷୋଳ ସୋମବାର ବ୍ରତ, ଶ୍ରାବଣ ମାସ ବ୍ରତ, ଚତୁର୍ଦ୍ଦଶୀ ବ୍ରତ, ସୋମନାଥ ବ୍ରତ, ମହା ଶିବରାତ୍ରୀ ବ୍ରତ ଇତ୍ୟାଦି କରିଥାନ୍ତି । ସୋମବାର ଦିନଟି ହେଉଛି ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ବାର l ଏହିଦିନ ମହାଦେବଙ୍କ ସହିତ ତାଙ୍କର ସମସ୍ତ ପରିବାର ଏକତ୍ରିତ ହୋଇଥାନ୍ତି । ଭକ୍ତମାନେ ଯଦି ଏହିଦିନ ଭଗବାନ ଶିବଙ୍କୁ ମନ ପ୍ରାଣ ଦେଇ ପୂଜା କରିଥାନ୍ତି ତେବେ ଦୁଃଖ ,ରୋଗ ,କ୍ଳେଶ ଓ ଆର୍ଥିକ ଅସୁବିଧା ଦୂର ହେବା ସହିତ ସର୍ବବିଧ ମଙ୍ଗଳ ହୋଇଥାଏ। ସୋମବାର ଦିନ ଶିବଙ୍କୁ ପୂଜା କରିବା ସମୟରେ କେବେବି କଳା ବସ୍ତ୍ର ଧାରଣ କରିବା ଅନୁଚିତ । ହଳଦିଆ ,ନାଲି ,କମଳା କିମ୍ବା ଧଳା ବସ୍ତ୍ର ଧାରଣ କରିବା ଉଚିତ୍ ।
ଶୈବ ପୂଜାର ଆବଶ୍ୟକତା :–
ଭାରତୀୟ ସଂସ୍କୃତିରେ ଶିବ ପୂଜାକୁ ବିଶେଷ ଭାବେ ପ୍ରାଧାନ୍ୟ ଦିଆଯାଇଛି। ତା ପଛରେ ରହିଛି ଅନେକ କାରଣ। ଯଥା - ୧- ଭଗବାନ ଶିବ ଶୀଘ୍ର ବରଦାନ କରିଥାନ୍ତି । ଯଦି ଆମେ ଶୁଦ୍ଧ ମନରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ତେବେ ଅମର ମନୋସ୍କାମନା ଖୁବ ଶୀଘ୍ର ପୂରଣ ହୋଇପାରିବ ।୨- ଭଗବାନ ଶିବଙ୍କୁ ପ୍ରାର୍ଥନା କରିବା ଖୁବ ସହଜ । ଭଗବାନ ଶିବ ଅନ୍ୟ ଦେବୀ ଦେବତାମାନଙ୍କ ପରି ଗହଣା, ବସ୍ତ୍ର ଉପକରଣ ଆବଶ୍ୟକ କରିନଥାନ୍ତି । କିଛି ବେଲ ପତ୍ର,ଦୁଦୁରା ଫୁଲ, ବିଭୂତି , ଜଳ , କ୍ଷୀର ଦ୍ୱାରା ଭଗବାନ ଶିବଙ୍କୁ ପୂଜା କରାଯାଏ। ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ମାନସିକ ଶାନ୍ତି ମଧ୍ୟ ମିଳିଥାଏ । ୩- ଭଗବାନ ଶିବ ଗଙ୍ଗାଙ୍କ ରୂପରେ ସମଗ୍ର ବିଶ୍ୱରେ ଜ୍ଞାନ ଏବଂ ବୃଦ୍ଧି ବିସ୍ତାର କରିଥାନ୍ତି । ସେ ଏକାଧାରାରେ ସଂଗୀତକାର, ନୃତ୍ୟକାର ଏବଂ ଗାୟକ ମଧ୍ୟ । ତେଣୁ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ବୃଦ୍ଧି , ଜ୍ଞାନ ଏବଂ ସ୍ମରଣଶକ୍ତି ବୃଦ୍ଧି ପାଇଥାଏ । ଏହିସବୁ ବିଭିନ୍ନ କାରଣରୁ ଘରେ ଘରେ ଶିବ ପୂଜାକୁ ବିଶେଷ ଭାବେ ପ୍ରାଧାନ୍ୟ ଦିଆଯାଇଛି।
ଶିବପୂଜା ଜଣ ଓ କେମିତି :-
ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରିବା ପାଇଁ କିଛି ବିଧି ବିଧାନ ରହିଛି, ଯଥା - ଘରେ ଭଗବାନ ଶିବଙ୍କର ଶିବଲିଙ୍ଗ ଅପେକ୍ଷା ଭଗବାନଙ୍କ ମୂର୍ତ୍ତି ପୂଜା କରିବା ଉଚିତ । ଘରେ ଶିବଙ୍କର ଗୋଟିଏରୁ ଅଧିକ ମୂର୍ତ୍ତି ପୂଜା ଦ୍ୱାରା ଘରେ ବିପରୀତ ପ୍ରଭାବ ପଡିଥାଏ । ସେହି ମୂର୍ତ୍ତି ସମ୍ମୁଖରେ ସର୍ବଦା ପ୍ରଣାୟାମ କରିବା ସହିତ ପୂଜା କରିବା ସମୟରେ କିଛି ସମୟ ଧ୍ୟାନରେ ବସିବା ଏବଂ ନିଜ ମନର କଥା କେବଳ ତାଙ୍କରି ନିକଟରେ ଜଣାଇବା ଉଚିତ୍, କାରଣ ସେ ଆଶୁତୋଷ ଓ ମଙ୍ଗଳମୟ।
ଭଗବାନ ଶିବଙ୍କୁ ପୂଜା କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ସହିତ ଶିବଙ୍କ ସହିତ ଦେବୀ ପାର୍ବତୀଙ୍କ ପୂଜା କରିବା ଉଚିତ୍। ଭଗବାନ ଶିବଙ୍କୁ ବେଲପତ୍ର, ବିଭୂତି, ଦୁଦୁରା ଫୁଲ ଏବଂ ଜଳ ଓ କ୍ଷୀର ଅର୍ପଣ କରି ପୂଜା କରିବା ଉଚିତ । ପ୍ରତ୍ୟେକ ସୋମବାର ଶିବ ମନ୍ଦିରକୁ ଯାଇ ଶିବ ଲୀଙ୍ଗରେ କିଛି କ୍ଷୀର ଓ ଜଳ ଅର୍ପଣ କରିବା ବିଧେୟ। ମୂର୍ତ୍ତୀ ପୂଜା କରୁଥିଲେ ମୂର୍ତ୍ତୀକୁ ଭଲ ଭାବେ ପରିଷ୍କାର କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ। ଏହା ଦ୍ଵାରା ସର୍ବ ସିଦ୍ଧି ହୋଇଥାଏ। ସୋମବାର ଦିନ ଭଗବାନ ଶିବଙ୍କୁ ନିଷ୍ଠାର ସହିତ ପୂଜା କରିବା ଦ୍ୱାରା ଅନେକ ସୁଫଳ ମିଳିଥାଏ । ପରିବାରରେ ସର୍ଵବିଧ ମଙ୍ଗଳ ହୋଇଥାଏ। ସନ୍ତାନମାନେ ନିରୋଗି ଏବଂ ଦୀର୍ଘାୟୁ ହୋଇଥାନ୍ତି।
ଓଡ଼ିଆ ଭାଷା ସାହିତ୍ୟ ଗବେଷକ
ଭଦ୍ରକ, ଓଡ଼ିଶା
ମୋ -୮୭୬୩୫୪୮୨୦୨/୬୩୭୨୭୫୨୬୬୨
Mail id - shivbaba.mahapatra@gmail.com

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

1
344 views