logo

ସୋମବାର ମାହାତ୍ମ୍ୟ- ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ବାରା ବିଶେଷ ଉପସ୍ଥାପନା।

ସୋମବାର ମାହାତ୍ମ୍ୟ
ପଣ୍ଡିତ ଦୈତ୍ୟାରି ମହାପାତ୍ର
ପବିତ୍ର ସୋମବାର ହେଉଛି ସପ୍ତାହର ଏକ ଦିନ ବା ବାର । ଯାହା ରବିବାର ପରେ ଓ ମଙ୍ଗଳବାର ପୂର୍ବରୁ ଆସେ । ଚନ୍ଦ୍ରଙ୍କ ନାମ ଅନୁସାରେ ଏହି ବାରର ନାମ ହୋଇଛି। ଏହାକୁ ସପ୍ତାହର ପ୍ରଥମ ଦିନ ଭାବେ ଗଣାଯାଏ । ସରକାରୀ କାର୍ଯ୍ୟାଳୟ ଗୁଡିକରେ ଏହି ଦିନ କାର୍ଯ୍ୟ ଆରମ୍ଭ ହୁଏ ।
ସୋମବାର ଶିବପୂଜା ପାଇଁ ସ୍ୱତନ୍ତ୍ର ବାର:-
ହିନ୍ଦୁ ଧର୍ମରେ ସୋମବାରକୁ ଭଗବାନ ଶିବଙ୍କ ପାଇଁ ସମର୍ପିତ ଦିନ ଭାବରେ ବିବେଚନା କରାଯାଏ। ଶୈବ ଉପାସକମାନେ ଏହି ଦିନ ଶିବପୂଜା ରଖି ଜଳାଭିଷେକ କରି ଉପବାସ ରଖନ୍ତି ଏବଂ ଏକାନ୍ତ ଭକ୍ତିର ସହିତ ଭଗବାନ ଶିବଙ୍କୁ ପ୍ରାର୍ଥନା କରନ୍ତି।
ଏକାନ୍ତ ଭକ୍ତିରେ ପ୍ରତି ସୋମବାରେ
ଶିବ ପୂଜା ଯେ କରଇ।
ଭବିଷ୍ୟ ଜୀବନ ସୁଖରେ କଟିବ
ଶିବ କୃପା ସେ ଲଭଇ।।
ସୋମବାର ଦିନ ଏକାନ୍ତ ଭକ୍ତି ପୂର୍ବକ ନୀତି, ନିୟମ, ନିଷ୍ଠାର ସହିତ ନିର୍ମଳ ହୃଦୟରେ ଭଗବାନ ଶିବଙ୍କର ପୂଜାର୍ଚ୍ଚନ କଲେ ଭକ୍ତର ଅଭିଷ୍ଟ ପୂରଣ ହୋଇଥାଏ। ଭକ୍ତମାନେ ଇଚ୍ଛା କରିଥିବା ଆଶାନୁରୂପ ଆଶୀର୍ବାଦ ପାଇବା ସହିତ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ପ୍ରତ୍ୟକ୍ଷ ଆଶୀର୍ବାଦ ମଧ୍ୟ ପାଆନ୍ତି।
ଭାରତୀୟ ଶୈବ ସଂସ୍କୃତିର ଧାର୍ମିକ ବିଶ୍ୱାସ ଅନୁସାରେ, ସୋମବାର ହେଉଛି ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଦିନ କୁହାଯାଏ। ଏହି ଦିନଟି ସୋମ, ଚନ୍ଦ୍ର ସହିତ ମଧ୍ୟ ଜଡିତ। ଯାହାକୁ ଭଗବାନ ଶିବ ତାଙ୍କ ନିଜ ମସ୍ତକରେ ପିନ୍ଧିଥାନ୍ତି। ତେଣୁ ସୋମବାର ହେଉଛି ଭଗବାନ ଶ୍ରୀଶିବ ଏବଂ ଚନ୍ଦ୍ର ଦେବତା ଉଭୟଙ୍କ ପୂଜା ପାଇଁ ଏକ ବିଶେଷ ଦିନ। ସୋମବାର ଦିନ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ପରିବାରରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ମହାପାତକ ଆଦି ଅକାଳ ମୃତ୍ୟୁରୁ ରକ୍ଷା ମିଳିଥାଏ। ସନ୍ତାନମାନଙ୍କର ସର୍ବବିଧ ମଙ୍ଗଳ ହୋଇଥାଏ। ଶତ୍ରୁ ଦମନ ହେବା ସହିତ ଶ୍ରୀ ବୃଦ୍ଧି ହୋଇଥାଏ। ସମସ୍ତ ପ୍ରକାର ଅଶାନ୍ତି ଦୂର ହେବା ସହିତ ଋଣ ଏବଂ ଆର୍ଥିକ ଅସୁବିଧାରୁ ମଧ୍ୟ ମୁକ୍ତି ମିଳିଥାଏ।
ଷୋଳ ସୋମବାର ବ୍ରତ ବା ସୋମବାର ବ୍ରତ ପାଳନ କଲେ ଅପୁତ୍ରି ପୁତ୍ରବତୀ ହୁଏ। ଅବିବାହିତ ମହିଳା ଉତ୍ତମ ବର ପ୍ରାପ୍ତି ହୋଇଥାନ୍ତି। ସ୍ବାମୀ ନିରୋଗୀ ଏବଂ ଦୀର୍ଘାୟୁ ହୋଇଥାନ୍ତି। ଉଚ୍ଚ ଶିକ୍ଷା ଲାଭ କରିଥିବା ଛାତ୍ର ଛାତ୍ରୀ ଚାକିରି ପାଇଥାନ୍ତି। ବୈବାହିକ ଜୀବନ ସୁଖ ଶାନ୍ତିରେ କରିଥାଏ। ଚନ୍ଦ୍ରଙ୍କ ପ୍ରଭାବରୁ ଭବ ସଂସାରରୁ ମୁକ୍ତି ମୋକ୍ଷ ପ୍ରାପ୍ତି ହୋଇଥାଏ।
ଶାସ୍ତ୍ର ଅନୁସାରେ, ସୋମବାର ଦିନ ପୂଜାରେ ବେଲ ​​ପତ୍ର, ଅରୁଆ ଚାଉଳ, ଚନ୍ଦନ, ଦୁଦୁରା ଫୁଲ ଏବଂ ଅରଖ ଫୁଲ ସାମିଲ କଲେ ଭଗବାନ ଶିବ ପ୍ରସନ୍ନ ହୋଇ ଭକ୍ତମାନଙ୍କ ଅଭିଷ୍ଟ ପୂରଣ କରିଥାନ୍ତି। ଜଳାଭିଷେକ, କ୍ଷୀରାର୍ପଣ କରି ଶିବ ଲିଙ୍ଗରେ ଘର୍ଷଣ କଲେ ସର୍ବ ସିଦ୍ଧି ହୋଇଥାଏ।
ସପ୍ତାହକ ସାତ ବାର ମଧ୍ୟରୁ ସୋମବାର ହେଉଛି ସବୁଠୁ ପବିତ୍ର ଦିନ । ଏହି ଦିନ ସକାଳେ ଶଯ୍ୟା ତ୍ୟାଗ କରି ପ୍ରାତଃସ୍ନାନ କରିବା ବିଧେୟ। ସ୍ନାନ ପରେ ଶୁଦ୍ଧପୁତ୍ତ ହୋଇ ଧଳା କିମ୍ବା ହଳଦିଆ ବସ୍ତ୍ର ପିନ୍ଧିବା ଉଚିତ୍ । ଏହା ପରେ ଆବଶ୍ୟକୀୟ ଉପକରଣ ସହ ଘରେ କିମ୍ବା ମନ୍ଦିରରେ ଗଙ୍ଗା ଜଳରେ ଶିବଲିଙ୍ଗକୁ ପବିତ୍ର କରାଇ ରୁଦ୍ରାକ୍ଷ ମାଳା ବ୍ୟବହାର କରି ମହାମୃତ୍ୟୁଞ୍ଜୟ ମନ୍ତ୍ର କିମ୍ବା ଓମ୍ ନମଃ ଶିବାୟ ମନ୍ତ୍ରକୁ ଏକାନ୍ତ ଭକ୍ତିର ସହିତ ୧୦୮ ଥର ଜପ କରିବା ଉଚିତ।
ସୋମବାର ଦିନ ଶିବ ଚାଳିଶା କିମ୍ବା ରୁଦ୍ରାଷ୍ଟକମ୍ ସହିତ ଶିବ ପଞ୍ଚାକ୍ଷର ପାଠ କରିବା ବିଧେୟ। ଭଗବାନ ଶିବଙ୍କ ଆରତୀ ଗାନ କରି ମନ୍ତ୍ର ଉଚ୍ଚାରଣ କରି ଶିବପୂଜା କରିବା। ଭଗବାନ ଶିବଙ୍କୁ ଧଳା ମିଠା କିମ୍ବା ଚିନି ଗୁଡ଼ ଅର୍ପଣ କରିବା ସହିତ ଦୀନ ଦରିଦ୍ର, ରୋଗୀ, ଅଭାବୀ , କୁଷ୍ଠରୋଗୀ , ଶିଶୁ ଏବଂ ଗୋମାତାଙ୍କୁ ଦାନ କଲେ ସର୍ବ ମଙ୍ଗଳ ହୋଇଥାଏ। ଶିବ ପୂଜା ଶେଷରେ ଚନ୍ଦ୍ରଦେବଙ୍କୁ ପ୍ରାର୍ଥନା କରି “ଓଁ ଚନ୍ଦ୍ରାୟ ନମଃ” ମନ୍ତ୍ର ଜପ କଲେ ଅବିଳମ୍ବେ କାର୍ଯ୍ୟ ସିଦ୍ଧି ହୋଇଥାଏ।
ଓଡ଼ିଆ ଭାଷା ସାହିତ୍ୟ ଗବେଷକ
ଭଦ୍ରକ, ଓଡ଼ିଶା
ମୋ -୮୭୬୩୫୪୮୨୦୨/୬୩୭୨୭୫୨୬୬୨
Mail id - shivbaba.mahapatra@gmail.com

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

14
2624 views