logo

ବରପଦି ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ।

ବରପଦି ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ।

ଭଦ୍ରକ/ ଭଣ୍ଡାରିପୋଖରୀ - ୧୩/୦୨(ଖଣ୍ଡାଧାର ନିୟୁଜ )ସର୍ଵଂ ରହସ୍ୟ ପୁରୁଷୋତ୍ତମସ୍ୟ, ଦେବଃ ନ ଜାନାତି କୁତଃ ମନୁଷ୍ୟା। ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଲୀଳା ଅବର୍ଣ୍ଣନୀୟ। ତାଙ୍କର ଲୀଳା ସମଗ୍ର ବିଶ୍ବ ବ୍ରହ୍ମାଣ୍ଡକୁ ବ୍ୟାପିଛି। ସେ ଲୀଳାମୟ ବ୍ରହ୍ମ। ଶ୍ରୀକ୍ଷେତ୍ର ପୁରୀ ସମେତ ବିଭିନ୍ନ ଦେଶ, ବିଦେଶ , ପ୍ରଦେଶ, ଜିଲ୍ଲା ଏବଂ ବ୍ଲକ ମହକୁମାରେ ଶ୍ରୀଜଗନ୍ନାଥ ମନ୍ଦିର ଦେଖିବାକୁ ମିଳେ। ତନ୍ମଧ୍ୟରୁ ଭଦ୍ରକ , ବନ୍ତ ବ୍ଲକ ଅନ୍ତର୍ଗତ ବରପଦିରେ ପ୍ରତିଷ୍ଠିତ ହୋଇଥିବା ବହୁ ପ୍ରାଚୀନ ଜଗନ୍ନାଥ ମନ୍ଦିର ହେଉଛି ଅନ୍ୟତମ । ଦୀର୍ଘ ପାଞ୍ଚ ବର୍ଷ ତଳେ ଗ୍ରାମର ଭକ୍ତମାନେ ଏକତ୍ରିତ ହୋଇ ଫେବୃଆରୀ ୧୨ ତାରିଖ ଦିନ ଏହି ଭବ୍ୟ ମନ୍ଦିର ନିର୍ମାଣ କରି ଆଜି ଭଳି ପବିତ୍ର ଦିନରେ କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କ ସହଯୋଗରେ ଶ୍ରୀଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ ଏକାନ୍ତ ଭକ୍ତିର ସହିତ ପାଳିତ ହୋଇଆସୁଅଛି ବୋଲି ବିଶିଷ୍ଟ ଭାଷା ସାହିତ୍ୟ ଗବେଷକ ତଥା ଆବାଲ୍ୟ
ଶିବ ଉପାସକ ପଣ୍ଡିତ ଦୈତ୍ୟାରି ମହାପାତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରି କହିଥିଲେ। ଦିବସବ୍ୟାପି ମନ୍ଦିରର ବାର୍ଷିକ ଉତ୍ସବରେ ଷୋଡ଼ଶ ଉପଚାର ପୂଜା, ସମ୍ପୂଟ ଯଜ୍ଞ ଏବଂ ସନ୍ଧ୍ୟାବେଳେ ଭଜନ ଜଣାଣ ସମାରୋହ ଆୟୋଜିତ ହୋଇଥିଲା।ବିଶିଷ୍ଟ ଶିକ୍ଷାବିତ୍ ଗୟାଧର ସାମଲ , ପୁରୁଷୋତ୍ତମ ଧଳ, ପଣ୍ଡିତ ସଞ୍ଜୟ ପାଢ଼ୀଶର୍ମା, ଅରୁଣ କୁମାର ମଲ୍ଲିକ,ସୁଶାନ୍ତ କୁମାର ଜେନା, ଅଧ୍ୟାପକ ସିଦ୍ଧେଶ୍ୱର ସାହୁ, ଶିକ୍ଷାବିତ୍ ମଦନମୋହନ ପଣ୍ଡା, ଦୀପାଲି ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର କମିଟିର ସଭାପତି ଶତ୍ରୁଘ୍ନ ରାଉତଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ସୁଦର୍ଶନ ନାୟକ ଦିବସବ୍ୟାପୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କୋଷାଧ୍ୟକ୍ଷ ପ୍ରଦୀପ ରାଉତ, ଉପଦେଷ୍ଟା ସେବଲତା ରାଉତ ଏବଂ ମନ୍ଦିରର କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଅବସରରେ ମନ୍ଦିରର ଉପଦେଷ୍ଟା ପୁଷ୍ପାନ ରାଉତ ସମସ୍ତ ଭକ୍ତ ଏବଂ ଅତିଥିଙ୍କୁ ସ୍ଵାଗତ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବାର୍ଷିକ ପ୍ରତିଷ୍ଠା ଉତ୍ସବରେ ନିକଟସ୍ଥ ଶରତପୁର, ବାରିକପୁର, ପାଟଣା, ରାଜେନ୍ଦ୍ରପୁର, ଭଗିବିନ୍ଧା, ଅନନ୍ତପୁର ଆଦି ଗ୍ରାମରୁ ବହୁ ସଂଖ୍ୟାରେ ଭକ୍ତବୃନ୍ଦ ପ୍ରଭୁଙ୍କୁ ଦର୍ଶନ କରି କୃପା ଲାଭ କରିବା ସହିତ ପ୍ରସାଦ ସେବନ କରିଥିଲେ। ବରପଦୀ ଗ୍ରାମର ଅନ୍ତେବାସୀଙ୍କ ସହଯୋଗ ଏବଂ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ପ୍ରତି ବର୍ଷ ଭଳି ଚଳିତ ବର୍ଷର ବାର୍ଷିକ ଉତ୍ସବ ଖୁବ୍ ସଫଳତାର ସହିତ ପାଳିତ ହୋଇଛି।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

5
893 views